Unknown

 

 

 

 

 

 

 

 

 

 

 

ବଧୂ ବରଣ

ଦଶରଥ ସାମଲ

 

ଉତ୍ସର୍ଗ

 

ଘନ ଦାଦା,

 

ଆଜିକି ଏଗାର କି ବାର ବର୍ଷ ହେବ, ଠିକ୍ ମୋର ମନେ ନାହିଁ, ବୋଧହୁଏ ସେତେବେଳେ ମୁଁ ମାଇନର ସପ୍ତମ ଶ୍ରେଣୀରେ ପଢ଼ୁଥିଲି । ସେତିକିବେଳେ ଆପଣଙ୍କ ‘ଧରମଝିଅ’ ଉପନ୍ୟାସର ପ୍ରାୟ ଜନ୍ମ । ସେଇ ମାଇନର ସ୍କୁଲର ଏକ କଅଁଳ ଚପଳ କିଶୋର ଛାତ୍ର ଥିଲାବେଳେ ଆପଣ ମୋ ଗାଁର ଜଣେ ଲେଖକ ହୋଇଥିବାରୁ ବହୁ ଆଗ୍ରହ ଓ କୌତୂହଳ ନେଇ ମୁଁ ସେଇଟିକୁ ପଢ଼ିଥିଲି ।

 

ଆମରି ଗାଁର ନୃସିଂହ ଦାଦାଙ୍କୁ ଛାଡ଼ିଦେଲେ ଘନ ଦାଦା, ଏ କଥା କେହି ଜାଣି ନଥିଲେ–ଆପଣଙ୍କ ବହିଟିକୁ ପଢ଼ି ସାରିଲା ପରେ କି ଏକ ଖିଆଲରେ ମୁଁ ବି ଗୋଟେ ଉପନ୍ୟାସ ଲେଖିବାକୁ ଦୁର୍ଦ୍ଦାନ୍ତ ସାହସ କରିଥିଲି । ଆପଣଙ୍କ ପରି ଜଣେ ଲେଖକହେବାର ଗୌରବ ନେବି ବୋଲି କଳ୍ପନା କରିଥିଲି । ତାକୁ ଅନୁକରଣ କରି ଏକସ୍‍ରସାଇଜ୍ ଖାତାର ଷାଠିଏ ଫାଳ ପର୍ଯ୍ୟନ୍ତ ଗୋଟିଏ ଉପନ୍ୟାସ ଲେଖି ପକାଇଥିଲି, ଯା’ର ନାମ ଦେଇଥିଲି ଧରମ ଭଉଣୀ । ହସ ମାଡ଼ୁଛି ଘନ ଦାଦା, ଆଜି ଏଇ ପଚିଶି ବର୍ଷ ବୟସର ମୋ ଶିକ୍ଷା ଓ ସଂସ୍କୃତିର ଅଭିଜ୍ଞାନ ନେଇ ମୁଁ ଯେତେବେଳେ ସେଇ ଏଗାର କି ବାରବର୍ଷ ତଳର ପୁରୁଣା ଅତୀତକୁ ଚାହେଁ ସେଇ ଉପନ୍ୟାସର ଅସଂଲଗ୍ନ ହାସ୍ୟସ୍ପଦ କଥାବସ୍ତୁ, ଦୁର୍ବଳ ଭାଷା ଆଉ ମୋର କସି ହାତର ସେଇ ବିକୃତ ବିପର୍ଯ୍ୟସ୍ତ ଚରିତ୍ରଚିତ୍ରଣ ମୋ ଆଖି ଆଗରେ ଜଳ ଜଳ ହୋଇ ଦିଶିଯାଏ ।

 

ଆପଣଙ୍କ ଉପନ୍ୟାସରେ ଗଦ୍ୟ ଓ ପଦ୍ୟର ସୁନ୍ଦର ସମନ୍ୱୟ କରି ଆପଣ ତାହାକୁ ଅଧିକ ହୃଦୟଗ୍ରାହୀ ଓ ଉପଭୋଗ୍ୟ କରିବାକୁ ଯେମତି ଚେଷ୍ଟା କରିଥିଲେ, ମୁଁ ବି ମୋର ସେଇ ତଥାକଥିତ ଉପନ୍ୟାସରେ ଗଦ୍ୟ, ପଦ୍ୟ ଉଭୟ ଦେଇଥିଲି । ଏ କଥା ଅତ୍ୟନ୍ତ ସ୍ପଷ୍ଟ ଯେ ସେଇ କବିତାଗୁଡ଼ିକ ପଢ଼ି ମୁଁ ଲେଖା ଆରମ୍ଭ କରିଥିଲି । ମୁଁ ଭାବୁଛି ମୋର ପରବର୍ତ୍ତୀ ଜୀବନରେ କବିତା ରଚନାରେ ମତେ ତାହା ଯଥେଷ୍ଟ ଖାଦ୍ୟ ଯୋଗାଇଥିଲା ।

 

ମୋ ଉପନ୍ୟାସ ଲେଖା ସେତିକିରେ ସରିଲା ।

 

ହାଇସ୍କୁଲ ଆଉ କଲେଜ ଜୀବନରେ କବିତା ଲେଖା ଆରମ୍ଭ କଲି । କିନ୍ତୁ ଘନ ଦାଦା, ଦିନେ ଯେଉଁ ଆଶା ଓ ଉତ୍ସାହରେ ଅତ୍ୟାଧୁନିକ ଓଡ଼ିଆ କବିତା ଲେଖିବାକୁ ମୁଁ ମନ ବଳାଇଥିଲି, ସେ ଉତ୍ସାହ, ସେ ଦ୍ୟୋତନା ଆଜି ମୋର ନାହିଁ । କବିତା ଲେଖା ଯଦିଓ ସଂପୂର୍ଣ୍ଣ ଛାଡ଼ି ପାରିନି ତଥାପି ଛାଡ଼ିବା ଉପରେ । ଆଜି ଅତ୍ୟାଧୁନିକ ଓଡ଼ିଆ କବିତା-ସାହିତ୍ୟରେ ଯେଉଁ ନୂଆ ଆଙ୍ଗିକ ଆଉ ଆଭିମୁଖ୍ୟର ପରୀକ୍ଷା ନିରୀକ୍ଷା ଯେଉଁ କେତେଜଣ ସମ୍ମାନାସ୍ପଦ କବି ଓ କବିବଂଧୁ ଚଳାଇଛନ୍ତି ମୁଁ ତାକୁ ଆନ୍ତରିକ ସମର୍ଥନ ଓ ଉତ୍ସାହିତ କରୁଛି ଆଉ ନିଜେ ପଢ଼ି ମଧ୍ୟ ଉପଭୋଗ୍ୟ କରୁଛି । କିନ୍ତୁ ସେଇ ଆଙ୍ଗିକ ଆଉ ଆଭିମୁଖ୍ୟ ସହ ତାଳ ପକାଇ ଆଉ ଉଠିପାରିବି ନାହିଁ ଭାବି ପଛଘୁଞ୍ଚା ଦେଇ ଆଜିକୁ ପ୍ରାୟ ଚାରିବର୍ଷ ହେବ ମୁଁ ଗଳ୍ପ ଲେଖା ଆରମ୍ଭ କରିଛି । ମୁଁ କବିତା ଲେଖାଲେଖି ପ୍ରାୟ ବନ୍ଦ କରିଦେଇ ସାରିଲିଣି ଜାଣି ବହୁ ସାହିତ୍ୟିକ ବଂଧୁ କହିଛନ୍ତି, ‘ତମର ଭଲ କବିତା ହେଉଥିଲା, ଛାଡ଼ିଦେଲ କାହିଁକି ?’

 

ଆପଣ ଯେଉଁ ଶୈଳୀ, ଛନ୍ଦ ଓ ଭିତ୍ତିଭୂମିକୁ ଉପଜୀବ୍ୟ କରି କବିତା ରଚନା କରିଥଲେ ସେଇ ଶୈଳୀ ଓ ଭିତ୍ତିଭୂମି ଆଜି ଅତ୍ୟାଧୁନିକ ଯୁଗରେ ସଂପୂର୍ଣ୍ଣରୂପେ ବଦଳିଗଲାଣି । ମୁଁ ଆଜି ଓଡ଼ିଆ କବିତାରାଜ୍ୟରେ ଅନନ୍ତ ପଟ୍ଟନାୟକ, ରମାକାନ୍ତ ରଥ ଆଉ ଦୁର୍ଗାଚରଣ ପରିଡ଼ାଙ୍କ କବିତାର ଭକ୍ତ, ସ୍ତାବକ ଓ ଅନୁରକ୍ତ । ହେଲେ ଆପଣଙ୍କର ସେଇ କବିତାଗୁଡ଼ିକ ମୋର ଯେପରି ସ୍ପଷ୍ଟ ମନେଅଛି, ସେମାନଙ୍କ କବିତାର ଭକ୍ତ, ସ୍ତାବକ ଓ ଅନୁରକ୍ତ ହେଲେହେଁ ସେଗୁଡ଼ିକ ମୋର ଆଦୌ ମନେ ନାହିଁ, ଆଉ ରହିବ କି ନାହିଁ, ଜାଣେ ନା ।

 

ଯେଉଁ ଗାଁର ପୁଅ ହୋଇ ଆପଣ କଲମ ଧରିଥିଲେ ମୁଁ ସେଇ ଗାଁର ଛୁଆ । ମୋ ବାପା ଆପଣଙ୍କର ସହପାଠୀ । ଯେଉଁ ସାହସ ନେଇ ଆପଣ କଲମ ଧରିବାର ନିଶାଟାକୁ ଖୁବ୍ ଜୋର୍ କରିଥିଲେ, ମୁଁ ସେଇ ସାହସ ନେଇ ଓଡ଼ିଆ ସାହିତ୍ୟକୁ କୁଦା ମାରିଛି । ଏଗାର ବାର ବର୍ଷ ତଳେ ଅନୁକରଣ କରି ଦିନେ ଏକ ଖିଆଲରେ ଛୁଆ ଖେଳପରି ଉପନ୍ୟାସ ଲେଖି ପକାଇଥିଲି । ତାହା ଉଇ ଖାଇଗଲାଣି । ନିଜ ଗୋଡ଼ରେ ଠିଆ ହୋଇ ନିଜ ଶିଙ୍ଗରେ ମାଟି ତାଡ଼ି ମୋ ଔପନ୍ୟାସିକ ଜୀବନର ପ୍ରଥମ ପ୍ରଭାତ ଆଜି ମୁଁ ଦେଖୁଛି । ଦିନେ ଉପନ୍ୟାସ ଲେଖି କାହାରିକୁ ନ ଦେଖାଇ ଉଇ ମୁହଁରେ ଦେଇଥିଲି । ଆଜି ସମସ୍ତଙ୍କ ଆଖି ଆଗରେ ମୋର ପ୍ରଥମ ସୃଷ୍ଟି ଆପଣଙ୍କ ହାତରେ ଦେଉଛି ।

 

ଆପଣ କହନ୍ତି, ମୁଁ କୁଆଡ଼େ ଆପଣଙ୍କର ସାହିତ୍ୟିକ ଦାୟାଦ । ମୁଁ ଯୋଗ୍ୟ ଦାୟାଦ ହୋଇଛି କି ନାଇଁ, ତାର ବିଚାର ମୋର ଲେଖିାରୁ କରିବେ । ରହିଲି ।

 

ପହିଲି ପୂଜା,

୧୯୫୮ ଦଶରଥ

 

 

 

 

 

 

ଏଇ ଉପନ୍ୟାସଟିକୁ ଲେଖିବାରେ ଓ ପ୍ରକାଶ କରିବାରେ ଔପନ୍ୟାସିକ ଘନଶ୍ୟାମ ମହାନ୍ତି, ଲେଖକ ଯତୀନ୍ଦ୍ରକୁମାର ଦାସ, ସାମ୍ବାଦିକ ଭଗବାନ ନାୟକ, କବିବଂଧୁ ବ୍ରଜନାଥ ରଥ, ଶ୍ରୀଯୁକ୍ତ ନିଶାମଣି ତ୍ରିପାଠୀ ଓ ଶ୍ରୀ ଗୌରାଙ୍ଗ ଚରଣ ନାୟକ ପ୍ରଭୃତି ଯେଉଁ ଉତ୍ସାହ ଦେଇଛନ୍ତି ସେମାନଙ୍କୁ ମୋ ହୃଦୟର ଗଭୀର କୃତଜ୍ଞତା ଜଣାଉଛି ।
 

ଲେଖକ

Image

 

–ଏକ–

 

ସଞ୍ଜ ନଇଁ ଆସିଲାଣି……..

 

ହେମକାନ୍ତ ଅଫିସ୍‌ରେ ବସିଛନ୍ତି । ସଞ୍ଜର ସେଇ ପାତଳ ଅନ୍ଧାର ଭିତରେ ସେ ଏକ ଦୈନିକ ଇଂରାଜୀ ଖବରକାଗଜ ଉପରେ ଆଖି ବୁଲାଉଛନ୍ତି । ଲାଇଟ୍ ଲାଗିନି ।

 

ଅଫିସ୍ ଭିତରକୁ ପଶିଆସିଲା କେତକୀ ।

 

ହେମକାନ୍ତ ଖବରକାଗଜରୁ ଆଖିମେଲି ଚାହିଁଲେ ବାହାରକୁ । ଦେଖିଲେ, ଅଫିସ୍ ଲାଇବ୍ରେରୀ—ଥାକ ଥାକ ବହି—ବିଜ୍ଞାନ ବିଭାଗର ଯନ୍ତ୍ରପାତି—ପୃଥିବୀର ବିଭିନ୍ନ ଦେଶର ମାନଚିତ୍ର । ସଞ୍ଜର ସେଇ ପାତାଳ ଅନ୍ଧାର ଭିତରେ କେତକୀଙ୍କୁ ଦେଖି ସେ ଚମକି ଉଠିଲେ । ଶାୟିତ ପୁରୁଷକାର ତାଙ୍କର ଜାଗିଉଠିଲା । ତାକୁ ପ୍ରଥମ କରି, ଅତି ପରିଷ୍କାର ଭାବେ ନିଜ ଆଖିର ସବୁ ଉଜ୍ଜ୍ୱଳତା ଦେଇ ଚାହିଁଲେ ।

 

କେତକୀ ହଠାତ୍ କହିଲା—ପଚାରିପାରେ କି ଗୋଟିଏ କଥା ?

 

—କହନ୍ତୁ କେତକୀ ଦେବୀ ।

 

କେତକୀର ମନର ଭୂଇଁରେ ସତେ ଅବା ବନ୍ୟା ମାଡ଼ିଗଲା । ଓଠର ନଈରେ ହସର ବନ୍ୟା ଛୁଟାଇ କହିଲା—ଆପଣ ବିବାହ କରୁନାହାନ୍ତି ?

 

ହେମକାନ୍ତ ବିଶ୍ୱାଳ ଉଦୟାସ୍ତପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ । ଅବିବାହିତା ସ୍ଥିତପ୍ରଜ୍ଞ । ଅଣତ୍ରିଶ ପୂରି ତିରିଶି ଚାଲିଲାଣି । ବାହା ହୋଇନାହାନ୍ତି । ବିବାହ କରିବା ପାଇଁ ମନଭିତରେ ଥରେ ହେଲେ ସେ ଚିନ୍ତା କରୁନାହାନ୍ତି ।

 

କେତକୀ ବି.ଏ. ପାଶ୍ କରିସାରିଲା ପରେ ସେଇ ସ୍କୁଲ ରେ ଶିକ୍ଷୟିତ୍ରୀ ହୋଇଛି । ହେମକାନ୍ତ ତାର ନିଯୁକ୍ତିରେ ଅସନ୍ତୁଷ୍ଠ ହୋଇଥିଲେ । କିନ୍ତୁ ପରିଚାଳନା କମିଟି ସେଥିପାଇଁ କିଛି ନ କହିବାରୁ ସେ ନୀରବ ରହିଲେ । ଦିନ ଗଲା ।

 

କେତକୀ ଅବିବାହିତା । ବିବାହ କରିବାର ବୟସ ସଂପୂର୍ଣ୍ଣ ତାର ଆସିଯାଇଛି । ପୁରୁଷ ଶିକ୍ଷକଙ୍କ ସହ ବୟସର ଉତ୍ତାପ ନେଇ ଅବାଧ ମିଳାମିଶା କରୁଛି । ହେମକାନ୍ତଙ୍କ ସହ ସେଇମିତି ବି ସେ ମିଶି ପାରୁଛି ।

 

ସେ ଶିକ୍ଷୟିତ୍ରୀ ରହିବାର ଛ’ ମାସ ବିତିଗଲାଣି । ସେ ନିରୋଳାରେ ଯେତେବେଳେ ତାଙ୍କ ସହ ସ୍କୁଲର ଅଭାବ ଅବିଯୋଗ ସଂପର୍କରେ ଆଳାପ ଆଲୋଚନା କରେ, ସେତେବେଳେ ଗୋପନରେ ତାର ମନଭିତରେ କେତେ ଆଶାର ଜୁଆର ମାଡ଼େ । ସେ କେତେ ଭଙ୍ଗୀରେ ଭାଷାରେ ଦରଦ ଦେଇ, ସମ୍ମୋହନ ଦେଇ କଥା କହେ । ଭାଷାରେ ସତେ ଅବା ତା’ର ଶତ ମମତାର ମଧୁ ପରଶିଯାଏ । ହେମକାନ୍ତ ଶୁଣନ୍ତି । କଥାବାର୍ତ୍ତା ହୁଅନ୍ତି ।

 

କେତକୀ ସହ ଏଣିକି ହେମକାନ୍ତଙ୍କର ଘନିଷ୍ଠତା ବଢ଼ୁଛି । ତାଙ୍କ ଅବଚେତନ ମନର କେଉଁ ଏକ ନିଭୃତ ପ୍ରଦେଶରେ କେତକୀର ରୂପ ନାଚି ନାଚି ଯାଉଛି । କେତକୀର ସ୍ନେହ ଦିନକୁ ଦିନ ବରଂ ବଢ଼ୁଛି । ଆପଣାକୁ ଯେତେ ସତର୍କ କରିବାକୁ ଚେଷ୍ଟା କରି ମଧ୍ୟ ସେ ପାରୁନାହାନ୍ତି । କେତକୀ ନିଜକୁ ସଜ୍ଜିତ କରି ଆଖିରେ ତାଙ୍କର ସତେ ଅବା ରୂପ-ପିପାସାର ଅଞ୍ଜନ ମାଖି ଦେଉଛି-

 

ହେମକାନ୍ତ କେତକୀର କଥା ଶୁଣି ସ୍ଥିରଭାବରେ ଉତ୍ତର ଦେଲେ—ମୋ ବିବାହ ତ ହେବ, ଦିନେ ନା ଦିନେ ନିଶ୍ଚୟ ହେବ । ଆପଣ ବିବାହ କରୁନାହାନ୍ତି ?

 

କେତକୀ ବୋଧହୁଏ ତୃପ୍ତି ପାଇଲା । କିନ୍ତୁ ମନ ଭିତରର ଅନ୍ଧାରି ଘରେ ଯେଉଁ ଆଶାର ବତୀଟି ଅତି କ୍ଷୀଣ ଆଉ ମଳିନ ହୋଇ ଜଳୁଥିଲା, ସେ ଆଲୋକଟିକୁ ଆହୁରି ଆଲୋକିତ କରିବା ପାଇଁ ସେ ବ୍ୟଗ୍ର ହୋଇଉଠିଲା । ମନେ ମନେ ଭାବିଲା—ତା’ ବିବାହର ପ୍ରତ୍ୟକ୍ଷ ପ୍ରସ୍ତାବ ସେ ବାଢ଼ିବ ।

 

ଏତିକି ଭାବି କହିଲା—କ୍ଷତି କ’ଣ ହୁଅନ୍ତା... । ଆଉ କିଛି କହିପାରିଲା ନି ସେ । କଣ୍ଠ ତାର ରୁଦ୍ଧ ହୋଇଆସିଲା । ଲାଜରେ ବିଜୁଳି ବେଗରେ ଅଫିସ୍ ଘରୁ ସେ ପଳାଇଗଲା । ଫେରିଯାଉଥିଲା ବେଳେ ମନଭିତରେ ଆଶାର କେତେ ବନ୍ଧ ବାନ୍ଧି ଯାଉଥିଲା । ଭାବୁଥିଲା—ହେମକାନ୍ତଙ୍କ ପରି ସୁଶ୍ରୀ ତରୁଣଟିକୁ ସ୍ୱାମୀରୂପେ ପାଇଲେ ତା ଶିକ୍ଷୟିତ୍ରୀ ଜୀବନର ଅଳସ ଦିନଗୁଡ଼ିକ ସରସ ଓ ମଧୁମୟ ହେବ ।

 

ସେ ଦିନ ରାତି ଆସିଯାଇଛି । ହେମକାନ୍ତଙ୍କର ମୁଣ୍ଡ ଭିତରେ ଶତ ଭାବନାର ମେଘ ଉଦୟ ହୋଇଛି । ବିବାହ, ଘର, ଆଉ କେତକୀ । କିଛି ସେ ଭାବି ଠିକ୍ କରିବାରୁ ନାହାନ୍ତି । ସେ ଆଶ୍ଚର୍ଯ୍ୟ ହେଲେ ଏ ଯୁଗର ଜଣେ ନାରୀର ଆତ୍ମ-ନିବେଦନ ଜାଣି । ଭାବିଲେ—କେତକୀ ଆସିଥିଲା ତା’ ବିବାହ ପ୍ରସ୍ତାବ ନିଜେ ପକାଇବାକୁ । ସେ ହୁଏତ ଆଜି ନିରୋଳାରେ ସମ୍ମତି ଜଣାଇଥିଲେ ହସି ହସି ଘରେ ତା’ ବାପା ମା’ଙ୍କୁ କହିଥାନ୍ତା ; ପୁଲକିତ ହୋଇଥାନ୍ତା । ବିଚିତ୍ର ଏ ଦୁନିଆ ।

 

ପୁଣି ଭାବିଲେ, କେତକୀର ମମତା ଦିନକୁ ଦିନ ବଢ଼ୁଛି । ସେ ଯେତେ ନୀରବ ନିଶ୍ଚଳ ହୋଇ ଚଳିବାକୁ ଚେଷ୍ଟା କଲେ ସୁଦ୍ଧା ପାରୁନାହାନ୍ତି । ତା’ର ଆଳାପ ଆଲୋଚନାର ଭଙ୍ଗୀର ଆକର୍ଷଣରେ ସେ ଦିନକୁ ଦିନ ଯେପରି ଟାଣି ଟାଣି ହୋଇ ଯାଉଛନ୍ତି । ତା’ ପରେ ସହକର୍ମୀ ଶିକ୍ଷକଙ୍କ ଭିତରେ ସନ୍ଦେହର ପାତଳ କୁହୁଡ଼ି ଢାଙ୍କି ଆସିଲାଣି । ତାଙ୍କର ମନେ ପଡ଼ିଲା—ହଁ ସେଦିନ ପଣ୍ଡିତ ମହାଶୟ ହସି ହସି କ’ଣ ମଧୁର ଥଟ୍ଟା କରିଥିଲେ । ସବୁ ମନେପଡ଼ିଲା ତାଙ୍କର । ଏଇମିତି କେତକୀର ମମତା ଯଦି ବଢ଼େ ଏବଂ ସେ ନିଜେ ଯଦି କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଦିନେ କେତକୀର ରୂପଲାବଣ୍ୟର ଅଗ୍ନିରେ ନିଜର ମନର ପତଙ୍ଗକୁ ଝାସ ଦେବେ, ତା’ ହେଲେ ସବୁ ସରୁଯୁବ । ସବୁ ନଷ୍ଟଭ୍ରଷ୍ଚ ହୋଇଯିବ ।

 

ଏଇମିତି ଭାବୁଛନ୍ତି, ଠିକ୍ କଲେ ସେ ଇସ୍ତଫା ଦେବେ । ଏଠାରୁ ଚାଲିଯିବେ । ନ ଗଲେ କେତକୀକୁ ନେଇ ହୁଏତ ତାଙ୍କ ନାଁରେ ଅପବାଦର କଳଙ୍କ ରଟିଯିବ । ପ୍ରତିଷ୍ଠା ଆଉ ଗୌରବରେ ତାଙ୍କରି ଆଞ୍ଚ ଆସିବ । ଭାବିଲେ—ଏଠାରୁ ଗଲେ କ’ଣ କରିବେ ସେ ? ଘରେ ବୁଢ଼ା ବାପା ମା’ ଅଛନ୍ତି । ଜମିବାଡ଼ି ଅବଶ୍ୟ ଅନେକ ଅଛି । ହେଲେ ଅନ୍ତତଃପକ୍ଷେ ସେମାନଙ୍କୁ କିଛି ନ ଦେଲେ ଚଳିବ ନି । ଯାହାହେଉ ତାଙ୍କୁ ଏଠୁ ଚାଲିଯିବାକୁ ହେବ । ତାଙ୍କୁ ଇସ୍ତଫା ହିଁ ଦେବାକୁ ହେବ ।

 

ତା’ ପରଦିନ । ଇସ୍ତଫାପତ୍ର ସେ ଦାଖଲ କଲେ । ଶିକ୍ଷକଙ୍କ ଭିତରେ ଚାଞ୍ଚଲ୍ୟ ସୃଷ୍ଟି ହେଲା । ଛାତ୍ର ସମାଜ ଭିତରେ ବିଦ୍ୟୁତ୍ ଗତିରେ ଏ ଖବର ଉଡ଼ିଗଲା । ପରିଚାଳନା କମିଟି ତାଙ୍କୁ ସେଇଠି ରହିବାକୁ ବହୁ ଅନୁରୋଧ କଲେ । ଶିକ୍ଷକବୃନ୍ଦ ବ୍ୟସ୍ତ ହୋଇପଡ଼ିଲେ । କିନ୍ତୁ ସେ ଅଚଳ, ଅଟଳ । ଇସ୍ତଫାପତ୍ର ଗୃହୀତ ହେଲା । ବିଦାୟକାଳୀନ ସଭା ହେଲା । ସେଇ ଶିକ୍ଷାନୁଷ୍ଠାନର ଚପଳ ଛାତ୍ରଛାତ୍ରୀ ଆଖିରୁ ଲୁହ ପୋଛିଲେ । ଶିକ୍ଷକ ବଂଧୁମାନେ ଗଭୀର ଭାବେ ବ୍ୟଥିତ ହେଲେ । କେତକୀର ଆଖି କାନ୍ଦି କାନ୍ଦି ଫୁଲିଲା । ସେ ବିଦାୟ ନେଲେ ।

 

–ଦୁଇ–

 

ହେମକାନ୍ତଙ୍କର ସହରକୁ ଆସିବାର ମାସଟିଏ ହୋଇଗଲାଣି । ଏକ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ରରେ ସେ ସହକାରୀ ସମ୍ଫାଦକ ହୋଇଛନ୍ତି । ବିଭିନ୍ନ ସମ୍ବାଦ ସରବରାହ ଅନୁଷ୍ଠାନର ସମ୍ବାଦ ସେ ଓଡ଼ିଆରେ ଅନୁବାଦ କରୁଛନ୍ତି ।

 

ମୋଟାମୋଟି ଏଇ ସମ୍ପାଦକ ଜୀବନ ଭଲ ଲାଗିଛି ତାଙ୍କୁ । ଘରକୁ ମଝିରେ ମଝିରେ କିଛି କିଛି ଟଙ୍କା ପଠାଇପାରୁଛନ୍ତି । ଓଡ଼ିଆ ପତ୍ରପତ୍ରିକାରେ ଚିନ୍ତାମୂଳକ ପ୍ରବନ୍ଧ ଲେଖୁଛନ୍ତି ଦିନ ଯାଉଛି ।

 

ଦିନେ ଦିନେ ସହରର ସନ୍ଧ୍ୟାରେ ହେମକାନ୍ତ ବୁଲନ୍ତି । ବୁଲୁଥିଲାବେଳେ ମନଭିତରେ ତାଙ୍କର ଚେଇଁ ଉଠେ ଅତୀତର ସେଇ ଶିକ୍ଷକ ଜୀବନର କଥା । ପୁଣି ମନେ ପଡ଼ିଯାଏ ବିଦାୟ ଦେଇ ଆସିଥିବା ଶହ ଶହ ହସ ହସ ଶାନ୍ତ ସରଳ ବାଳକ ବାଳିକାଙ୍କ କଥା । ଅତୀତର ସକଳ ସ୍ମୃତି ମନଭିତରେ ତାଙ୍କର ସ୍ପଷ୍ଟହୋଇ ଛାଇଯାଏ । ପୁଣି କେତକୀ କେତେ ଆଶା ଆଉ ଭରସା ନେଇ ସେଦିନ ଆସିଥିଲା ଆତ୍ମ-ନିବେଦନ କରିବାକୁ । କିନ୍ତୁ ହାୟ ! ସେ ତାକୁ ହତାଶ କରିଛନ୍ତି । ନିରାଶ କରିଛନ୍ତି ।

 

ସେ ଭାବିଲେ, “କେତକୀ ସୁନ୍ଦରୀ, ଉଚ୍ଚ ଶିକ୍ଷିତା । ସେ ଇଚ୍ଛା କଲେ ଏ ଦେଶର ବହୁ ତରୁଣ ତାର ଏ ଆତ୍ମ-ନିବେଦନ ହସି ହସି ରକ୍ଷା କରିବେ । କିନ୍ତୁ ତାଙ୍କ ଭଳି ଏକ ସୃଷ୍ଟିଛଡ଼ା ମଣିଷ ପାଖକୁ କାହିଁକି ସେ ଆସିଲା ? ଯାହାର ପ୍ରେମ କରିବାକୁ ପ୍ରୟାସ ନାହିଁ, ଉଦ୍ୟମ ନାହିଁ, ତାରି ପାଖକୁ ଆସି ସେ ଭୁଲ୍ କରିଛି । ସତରେ ସେ କ’ଣ ଭୁଲ୍‍ କରିଛି ? ମନେ ମନେ ପୁଣି ସେ ଭାବନ୍ତି-। କାମନା କ’ଣ ତାଙ୍କର ନାଇଁ ? ବିବାହର ଆବଶ୍ୟକତା କ’ଣ ନାହିଁ ତାଙ୍କର ? ସବୁ ଅଛି-। ହେଲେ ସେ ବାହା ହେବେନି । ସଂସାରର ସେଇ ଖସଡ଼ା ବାଟରେ ଗୋଡ଼ ଦେଇ କାହିଁକି ସେ କଚାଡ଼ି ପଡ଼ିବେ ?’’

 

ସେଠାରୁ ବିଦାୟନେଇ ଆସିଲାପରେ କେତକୀ ତାଙ୍କ ପାଖକୁ ଚିଠି ଲେଖିଥିଲା । ହୃଦୟର କେତେ ଆଶା ଆଉ ଦରଦ ଦେଇ ସେ ଚିଠି ଲେଖିଥିଲା ଔପନ୍ୟାସିକ ଭାଷାରେ । ସରଳ, ତରଳ ଆଉ ସାବଲୀଳ ଭାଷାରେ । ପ୍ରତ୍ୟେକ ଯୁବକର ଚିତ୍ତକୁ ନିବିଡ଼ଭାବରେ ସ୍ପର୍ଶ କଲାଭଳି ସରସ ଭଙ୍ଗୀରେ ସେ ଚିଠି ଲେଖିଥିଲା । ପ୍ରଥମେ ସେ ଯେତେବେଳେ ଚିଠି ପାଆନ୍ତି, ସେତେବେଳେ ତାଙ୍କର କିଛି ପ୍ରତିକ୍ରିୟା ହୋଇ ନଥିଲା । ଏବେ ସେ ଚିଠିଟିକୁ ପଢ଼ୁଛନ୍ତି । ଭାରି ହସୁଛନ୍ତି । ହସି ହସି ମନେ ମନେ ଗଡ଼ି ଯାଉଛନ୍ତି ।

 

କେତକୀକୁ ସେ ଆଉ ଚିଠି ଲେଖି ନାହାନ୍ତି । ଦ୍ୱିତୀୟବାର ପୁଣି ସେ ଚିଠି ଲେଖିଛି—ଆଖିରେ ଅଶ୍ରୁଭରି । ତାଙ୍କ ଚିଠିକୁ ସେ ଅପେକ୍ଷା କରିଛି ବୋଲି ସେ ତା’ ଚିଠିରେ ଲେଖିଛି । ସେ ଆହୁରି ହସୁଛନ୍ତି— । ତା’ ଚିଠିଟିକୁ ସେ ସାଇତି ରଖିଛନ୍ତି । ପ୍ରତିଦିନ ସକାଳୁ ଉଠି ଥରେ ଲେଖାଏଁ ସେ ଚିଠିଟିକୁ ପଢ଼ୁଛନ୍ତି । ଆଉ ବେଳେ ବେଳେ ଭାବୁଛନ୍ତି ତାଙ୍କର ବ୍ୟକ୍ତିଗତ ଯତ୍ନରେ ସେ ଯଦି ଗୋଟିଏ ମ୍ୟୁଜିୟମ୍ ଖୋଲିପାରନ୍ତେ, ତା’ ହେଲେ ତାର ଏଇ ଚିଠିଟିକୁ ସଜାଡ଼ିରଖି ଆଗାମୀ ଯୁଗର ବଂଶଧରଙ୍କୁ ଦେଖାଇ ଦିଅନ୍ତେ ଏକ ନାରୀର ସ୍ୱାଧୀନ ଆତ୍ମ-ନିବେଦନର ଚିତ୍ର । ମନେ ମନେ ହସି ଉଠନ୍ତି ସେ ।

 

ଦ୍ୱିତୀୟ ଥର ଚିଠି ଲେଖି କେତକୀ ଆଉ ଚିଠି ଲେଖିନି ।

 

ଜଣେ ପ୍ରତିଷ୍ଠିତ ସାମ୍ବାଦିକ ହିସାବରେ ସେ ପଚିତ ହେଲେଣି । ସହରର ବହୁ ସଭା ସମିତିକୁ ସେ ଯାଆନ୍ତି । ରିପୋର୍ଟ ଲେଖନ୍ତି । ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ ମହିଳା ଅନୁଷ୍ଠାନ, ଶିଶୁ ସଂସଦ ପ୍ରଭୃତିରେ ସେ ଯୋଗ ଦିଅନ୍ତି । ଟିକିନିଖି ଖବର ସଂବାଦପତ୍ରରେ ପରିବେଷଣ କରନ୍ତି ।

 

ବହୁଲୋକଙ୍କ ସହ ଏବେ ମିଶିଲେଣି । ମାରୁୱାଡ଼ିପଟିର ଗଣେଶଲାଲ୍ କେଉଁ ଧର୍ମଶାଳାପାଇଁ କେତେ ଅର୍ଥ ଦାନ କରିଛନ୍ତି, ତାଙ୍କୁ କହନ୍ତି—ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଦେବାକୁ । କଳାବିକାଶ କେନ୍ଦ୍ରର କର୍ମକର୍ତ୍ତା ତାଙ୍କୁ କହନ୍ତି, ‘ଏଇବର୍ଷ ଭିତରେ ଆମର ସ୍ଥାୟୀ ଗୃହ ନିର୍ମାଣ ହୋଇଯିବ, ଖବରଟି ଆପଣଙ୍କ କାଗଜରେ ଦେଉନ୍ତୁ ।’ ସରକାରଙ୍କ କେଉଁ ବିଭାଗର କର୍ମଚାରୀ ବହୁ ଆବେଦନ ନିବେଦନ କରି ସୁଦ୍ଧା ଦରମାପତ୍ର ବୃଦ୍ଧି କରିପାରି ନାହାନ୍ତି । ସେମାନେ ଆସି ଅନୁରୋଧ କରି ଅଭାବ ଅଭିଯୋଗ ସ୍ତମ୍ଭରେ ତାଙ୍କୁ ଛାପିବାକୁ କହନ୍ତି । ବିରୁଦ୍ଧ ଦଳର ନେତା କେଉଁଦିନ ଓ କେଉଁଠି ସାମ୍ବାଦିକ ସମ୍ମିଳନୀ ଡାକୁଛନ୍ତି, ସେ କଥା ସେ ମଧ୍ୟ ଜାଣନ୍ତି । ବାହୁ ଲୋକ,ବହୁ ଚରିତ୍ର ଓ ବିଭିନ୍ନ ପରିବେଶ ଭିତରେ ବୁଡ଼ିରହି ସେ ଆପଣାର ଦିନ ନେଉଛନ୍ତି ।

 

–ତିନି–

 

ହେମକାନ୍ତଙ୍କର ବାପା ବୋଉ ତାଙ୍କ ପାଖକୁ ଚିଠି ଲେଖନ୍ତି । ସବୁ ଚିଠିରେ ସେ ଲେଖନ୍ତି—କେତେଦିନ ଆଉ ବାପା ଏଇମିତି ବାୟା ପାଗଳଙ୍କ ପରି ବୁଲିବୁ ? ତୋରି ସାଙ୍ଗରେ ଏଇ ଗାଁରେ ଯେଉଁମାନେ ପଢ଼ୁଥିଲେ ସେମାନେ ସମସ୍ତେ ବାହା ହୋଇ ସାରିଲେଣି । କେବଳ ତୁଇ ଏକା ଅଛୁ । ଆମେ ତ ଆସି ବୁଢ଼ୁାବୁଢ଼ୀ ହେଲୁଁ । କେତେଦିନ ଆଉ ବଞ୍ଚିବୁଁ ? ତୁ ଘରସଂସାର କରି ମଣିଷ ହେଲେ ଆମେ ଆଖି ବୁଜିବୁଁ ।

 

ସେ ଚିଠି ପଢ଼ନ୍ତି, ବାପା ବୋଉଙ୍କ ଚିଠି ତାଙ୍କ ହୃଦୟକୁ ଗଭୀରଭାବେ ପ୍ରଭାବିତ କରେ-। ଭାବନ୍ତି— ସତରେ ଏକ ବାପା ବୋଉଙ୍କ ପାଇଁ ସିନା ସବୁ କିଛି ମାୟାମମତାକୁ ଦଳିମକଚି ଏକ ସ୍ୱାଧୀନ ବେପାରୁଆ ସାମ୍ବାଦିକ ଜୀବନ ସେ ଗ୍ରହଣ କରି ନେଇଛନ୍ତି । ନଚେତ୍ କରିପାରନ୍ତେ କି ? ତାଙ୍କରି ସାଙ୍ଗରେ ତାଙ୍କ ଗାଆଁର ରତିକାନ୍ତ ପଢ଼ୁଥିଲା । ଏବେ କୋରାପୁଟରେ କେଉଁଠି ଡେପୁଟି ମାଜିଷ୍ଟ୍ରେଟ୍ ହୋଇଛି । ଘରକୁ ରୀତିମତ ଆସୁଛି । ଘରର ସବୁ ଖବର ବୁଝୁଛି । ଆଉ ତାଙ୍କରି ସାଙ୍ଗ ପୁଣି ଅବିନାଶ ଚୌଧୁରୀ । ସରକାରୀ ଚାକିରୀରୁ ଇସ୍ତଫା ଦେଇ ଗାଁ ହାଇସ୍କୁଲରେ ଶିକ୍ଷକ ହୋଇଛି । ସେଦିନ ସେ ଏଇ ସହରକୁ ଆସିଥିଲେ ଯେ ତା ସହ ତାଙ୍କର ଭେଟ ହେଲା-। ଆଜବେଷ୍ଟସ୍ ପାଇଁ ସେ ଏଠାକୁ ଆସିଥିଲା । ନିଜ ଘର ପାଇଁ ସେମାନେ ସତେ କେଡ଼େ ବ୍ୟସ୍ତ-! ଆଉ ସେ……

 

ସେ ଆଉ କିଛି ଭାବି ପାରନ୍ତି ନାହିଁ । ଭାବନ୍ତି ଫେରିଯିବେ କି ଆଉ ଗାଆଁକୁ ? ଗାଁରେ ଯାଇ କ’ଣ ସେ କରିବେ ? ବାହା ହେବେ, ସ୍ତ୍ରୀ ଆସିବ, ପିଲାଛୁଆ ହେବେ, ଅଳି ଅର୍ଦ୍ଦଳି କରିବେ । ଘରର ଯାବତୀୟ ଦାୟିତ୍ୱ ତାଙ୍କୁଇ ମୁଣ୍ଡାଇବାକୁ ପଡ଼ିବ । ଚାଷବାସର ସବୁ ହାନିଲାଭ ବୁଝିବାକୁ ପଡ଼ିବ । ଗାଁରେ ରହିଲେ ହୁଏତ ଏକ ସୁସ୍ଥ ଜୀବନ ସେ ଅତିବାହିତ କରିବେ । କିନ୍ତୁ ସହରଠାରୁ ବହୁଦୂରରେ ତାଙ୍କର ଏଇ ବୁଦ୍ଧିଜୀବୀ ମନକୁ ଖୋରାକ ମିଳିବ ତ ? ମୁଣ୍ଡ ତାଙ୍କର ଗୋଳମାଳିଆ ଧରେ । ବାପା ବୋଉଙ୍କ ଚିଠିର ଉତ୍ତର ଆଉ ସେ ଦେଇପାରନ୍ତି ନାହିଁ ।

 

ସେ ବାହା ହେବେ ? କାହାକୁ ? କିଏ ଆସିବ ତାଙ୍କର ବଧୂରୂପେ, ସ୍ତ୍ରୀରୂପେ ? କେତକୀ, ନା ତା’ ଠାରୁ ଆହୁରି ଶିକ୍ଷିତା ଆହୁରି ସୁନ୍ଦରୀ ? କାହା ସହ ବିବାହ କଲେ ଜୀବନ ତାଙ୍କର ହସି ଉଠିବ, ସଂସାରର ଚଲାପଥରେ କୁସୁମ ଖାଲି ବୃଷ୍ଟି ହେବ ?

 

ପୁଣି ସେ ଭାବନ୍ତି ମଫସଲର ଅଷ୍ଟମ କିମ୍ବା ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା କେଉଁ ଏକ ବାଳିକାକୁ ସେ ବିବାହ କରିବେ କି ? ଯାହାର ମନଭିତରେ ପୁରି ରହିଥିବ ଗ୍ରାମ୍ୟଜୀବନର ସରଳତା, ସ୍ନେହ, ଆଉ ଯାହାର ଅନ୍ତର ହୋଇଉଠିଥିବ ଆଧୁନିକ ଲଘୁସଭ୍ୟତାରେ ଆଲୋକିତ ।

 

ମନ ତାଙ୍କର ଆନ୍ଦୋଳିତ ହୁଏ । କୌଣସି ସମାଧାନରେ ସେ ପହଞ୍ଚିପାରନ୍ତି ନାହିଁ । ସମ୍ପାଦକୀୟ ଦପ୍ତରର ଟେବୁଲ୍‌ ଉପରେ ଝୁଙ୍କିପଡ଼ି ଉଲ୍ଲେଖଯୋଗ୍ୟ ଆନ୍ତର୍ଜାତିକ ସମ୍ବାଦ ଅନୁବାଦ କରନ୍ତି ସେ । ଆନ୍ଦୋଳିତ ମନ ତାଙ୍କର ଟେଲିପ୍ରିଣ୍ଟରର ଗୁରୁ ଗର୍ଜନ ଭିତରେ ସତେ ଅବା ହଜିଯାଏ-

 

–ଚାରି–

 

ହେମକାନ୍ତ ସହରର ଯେଉଁ ସାହିରେ ଘରଟିଏ ଭଡ଼ା ନେଇ ରହୁଥିଲେ, ସେଇ ସାହିରେ ଅଧ୍ୟାପିକା ଗାୟିତ୍ରୀ ଜେନାଙ୍କ ଘର । ଗାୟତ୍ରୀ ଜେନା ମହିଳା କଲେଜର ଅଧ୍ୟାପିକା ।

 

ପୁରୀରୁ ଏଠାକୁ ବଦଳି ହୋଇ ଆସିବାର ତାଙ୍କର ଦୁଇ ମାସ ହୋଇଗଲାଣି । ସେ ଥିଲେ ହେମକାନ୍ତଙ୍କର ସହପାଠିନୀ । ବି.ଏ ଶ୍ରୀଣୀଠାରୁ ଏମ.ଏ. ଶ୍ରେଣୀ ପର୍ଯ୍ୟନ୍ତ ସେମାନେ ଏକା ସାଙ୍ଗରେ ପଢ଼ୁଥିଲେ । ଦୁହିଁଙ୍କ ଭିତରେ ପଢ଼ୁଥିଲାବେଳେ ସାମାନ୍ୟ ଆନ୍ତରିକତା ଦେଖା ଦେଇଥିଲା-। ତା’ ପରେ ଦୁହିଁଙ୍କୁ ଦୁହେଁ ଦ୍ୱିତୀୟ ଶ୍ରେଣୀ ପାଇସାରିଲା ପରେ ଗାୟିତ୍ରୀ ହେଲେ ଅଧ୍ୟାପିକା–ସରକାରୀ କଲେଜରେ । ହେମକାନ୍ତ କିନ୍ତୁ ସରକାରି ଚାକିରି କଲେନି । ଚେଷ୍ଟା କରିଥିଲେ ଅନ୍ତତଃ ସବ୍ ଡେପୁଟିଟିଏ ହୋଇ ପାରିଥାନ୍ତେ । କିନ୍ତୁ ସେଥିପାଇଁ ସେ ଆଦୌ ଦୃଷ୍ଟି ଦେଲେନି ।

 

ଚାରି ବର୍ଷ ପରେ ଦେଖା ।

 

ଦିନେ ଗାୟତ୍ରୀ ସକାଳୁ ସକାଳୁ ରିକ୍‌ସାରେ କଲେଜ ଆସୁଛନ୍ତି । ହେମକାନ୍ତ ଚାଲି ଚାଲି ଅଫିସ୍‌କୁ ଆସୁଛନ୍ତି । ଗାୟତ୍ରୀ ଦେଖିଲେ ତାଙ୍କୁ । ରିକ୍‌ସାକୁ ଠିଆ କରାଇ କହି ଉଠିଲେ—ହଲୋ ହେମକାନ୍ତ ବାବୁ ! ନମସ୍କାର, ନମସ୍କାର……

 

ଆଖି ଟେକି ସେ ଚାହିଁଲେ । ପ୍ରତିନମସ୍କାର ଜଣାଇଲେ । ଦେଖିଲେ, ସହପାଠିନୀ ଗାୟତ୍ରୀ । କହି ଉଠିଲେ—ଆରେ, ଆରେ ଆପଣ ପୁରୀରେ ଥିଲେ ଯେ ।

 

ଗାୟତ୍ରୀ କହିଲେ—ନାଇଁ ଏବେ ମୋର ମହିଳା କଲେଜକୁ ବଦଳି ହୋଇଛି । ଦୁଇମାସ ହେବ ଆସିଲିଣି । ଆଗରୁ ସେପଟେ ଭାଉଜଙ୍କ ବସାରେ ରହୁଥିଲି । ଏଇ ଛ’ ସାତ ଦିନ ହେବ ଏଇ ସାହିରେ ଘରଟିଏ ଭଡ଼ା ନେଇଛି । ଚାକରାଣୀଟିଏ ରଖିଛି । ସବୁ ଚଳିଯାଉଛି । ଆଉ ଆପଣ ଏଠି କ’ଣ କରୁଛନ୍ତି ହେମକାନ୍ତ ବାବୁ ?

 

ସେ କହିଲେ—ଗୋଟିଏ ସଂବାଦପତ୍ରରେ ମୁଁ ସବ୍ଏଡ଼ିଟର୍‌ ଅଛି । ସାମ୍ବାଦିକତା କରିବାଛଡ଼ା ମତେ ଆଉ କିଛି ପୋଷେଇବନି । ଏଇ ଜୀବନ ଯାହାହେଉ ଏକରକମ ଲାଗୁଛି ।

 

ଗାୟତ୍ରୀ କହିଲେ—ତା’ ହେଲେ ଆସନ୍ତୁ ରିକ୍‌ସାକୁ । ସେଇବାଟେ ଆପଣଙ୍କୁ ଛାଡ଼ି ମୁଁ ତ କଲେଜ ଯିବି ।

 

ଦୁହେଁ ରିକ୍‌ସାରେ ବସିଲେ । ଦେହକୁ ଦେହ ଲାଗିଲା । ରିକ୍‌ସା ଚାଲିଲା । ହେମକାନ୍ତଙ୍କର ଅଫିସ୍ ପାଖ ହେଲା । ସେ ଓହ୍ଲାଇଲେ । ଓହ୍ଲାଇଲାବେଳେ କହିଲେ—ଆପଣ ତ ଏଠି ଅଛନ୍ତି; ପ୍ରାୟ ଦେଖାସାକ୍ଷାତ୍ ହେବ ।

 

ଗାୟତ୍ରୀ କହିଲେ—ନିଶ୍ଚୟ ! ଆପଣ ଆଜି ସନ୍ଧ୍ୟାବେଳେ ଆସନ୍ତୁ ମୋ ବସା ଆଡ଼େ ।

 

ସେ କହିଲେ—ଆଚ୍ଛା, ଦେଖିବା ।

 

ଗାୟତ୍ରୀ କଲେଜକୁ ଗଲେ । ସେ ଏଡ଼ିଟୋରିଆଲ ଦପ୍ତର ଭିତରକୁ ଆସିଲେ । ବସିଲେ । ଭାବିଲେ—ଏ ଯାଏଁ ବି ଗାୟତ୍ରୀ ଜେନା ବାହା ହୋଇନି । ପାଞ୍ଚବର୍ଷ ତଳେ ସେ ତାଙ୍କ ସାଙ୍ଗରେ ପଢ଼ୁଥିଲେ । ସେତେବେଳେ ସେ ଅବିବାହିତା ଥିଲେ । ଏ ପର୍ଯ୍ୟନ୍ତ ବି ସେଇମିତି ରହିଛନ୍ତି । ଆଉ ବାପା ବୋଉ ତାଙ୍କ ପାଖକୁ ଚିଠିଲେଖି ତାଙ୍କୁ ବ୍ୟସ୍ତ ବିକଳ କରିପକାଉଛନ୍ତି—ତାଙ୍କର କୁଆଡ଼େ ବାହାଘର ବୟସ ଟପିଗଲାଣି । ତାଙ୍କରି ବୟସରେ ଦୁନିଆରେ ଆଉ ଯେପରି ଅଭିଆଡ଼ା ହୋଇ କେହି ରହିନାହାନ୍ତି ।

 

ମନେ ମନେ ବାପା ବୋଉଙ୍କୁ ବୁଝାଇଲା ପରି ସେ ଭାବିଲେ ହେ ମୋର ବାପା ଆଉ ବୋଉ, ତମେ ଭାବୁଛ, ଏ ଦୁନିଆରେ, ତମରି ପୁଅ ଏକଲା ଅଭିଆଡ଼ା ରହିଛି । ତମେ ଆଖି ଖୋଲି ଦେଖ, କେବଳ ମୋ ଭଳି ପୁରୁଷ ନୁହେଁ, ଯେଉଁମାନେ ବିବାହ ନ କଲେ ସେମାନଙ୍କ ନାଆଁରେ କଳଙ୍କର ଯୋଡ଼ିନାଗରା ଦାଣ୍ଡରେ ଘାଟରେ ଡିବି ଡିବି ହୋଇ ବାଜି ଉଠେ, ସେଇମାନଙ୍କ ଭିତରୁ ମୋରି ବୟସର ମୋରି ସହପାଠିନୀ ଗାୟତ୍ରୀ ଏପର୍ଯ୍ୟନ୍ତ ବି ବାହା ହୋଇନି । ତା’ର କ’ଣ ବୟସ ହୋଇନାହିଁ ?

 

ବାପା ଆଉ ବୋଉଙ୍କର ଚିଠି ତାଙ୍କୁ ଯେପରିଭାବେ ପ୍ରବାବିତ କରିଥିଲା, ଗାୟତ୍ରୀଙ୍କର ଦେଖାରେ ସେ ଭାବ, ସେ ପ୍ରଭାବ ଆଉ କିଛି ରହିଲାନି । ବିବାହ କରିବାପାଇଁ ତାଙ୍କ ସୃଷ୍ଟିଛଡ଼ା ମନ ଭିତରେ ବଡ଼ ଲଘୁଭାବରେ ଯେଉଁ ଭାବନାର ଉଦୟ ହୋଇଥିଲା, ତାହା ସେଇଠାରେ ଅସ୍ତମିତ ହେଲା ।

 

ସେଦିନ ସଞ୍ଜ ହୋଇଆସୁଥାଏ । ସେ ଗାୟତ୍ରୀଙ୍କ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଟ୍ରାଉଜର୍ ଉପରେ ସରୁ ଅଦୀକନାର ପଂଜାବୀ ପିନ୍ଧିଛନ୍ତି । କାନପୁରି ଚପଲ୍ ହଳକ ଗୋଡ଼ରେ ଦେଇ ସେ ଚାଲିଛନ୍ତି ଗାୟତ୍ରୀଙ୍କ ଘରଆଡ଼େ ।

 

ଗାୟତ୍ରୀ ଅପେକ୍ଷା କରିଛନ୍ତି । କ୍ୟାଟିଲ୍‌ରୁ ଚା’ ଥଣ୍ଡା ପଡ଼ି ଆସିଲାଣି । ଚାକରାଣୀକୁ ପୁଣି ସେ ଗରମ କରିବାକୁ କହୁଛନ୍ତି । ଦାଣ୍ଡଘରେ ନୀଳ ବିଦ୍ୟୁତ୍ ଆଲୋକ ଜଳୁଛି । ନିଜେ ନିଜର ରୁଚି ଅନୁଯାୟୀ ଦାମୀ ଶାଢ଼ି ଆଉ ବ୍ଲାଉଜ୍ ପିନ୍ଧିଛନ୍ତି । ଅବିବାହିତ ମୁଖଶ୍ରୀକୁ ଆହୁରି ସ୍ନିଗ୍‌ଧ ଆହୁରି ମସୃଣ କରିବା ପାଇଁ ସ୍ନୋ ଆଉ ପାଉଡ଼ର୍‌ର ମିଳିତ ଆଶ୍ରୟ ସେ ନେଇଛନ୍ତି । ଗାଲ ଭିତରର ଗହୀର ଦୁଇଟାକୁ ପାଉଡ଼ରର ବହଳ ଛାପରେ ସେ ଯେତେ ଲୁଚାଇବାକୁ ଉଦ୍ୟମ କରିଛନ୍ତି, ଛାଆଁକୁ ଛାଆଁ ସେ ବାରି ହୋଇଯାଉଛି ମୁକୁଳା ଗଭାରେ ରକ୍ତ ଗୋଲାପଟିଏ ଖୋସିଛନ୍ତି ।

 

ଗାୟତ୍ରୀ ଝରକା ଦେଇ ବାହାରକୁ ଚାହିଁଛନ୍ତି । ଭାବିଲେ—ହେମକାନ୍ତ ବାବୁ ଆସିବେନି କି ଆଜି ? ପାଞ୍ଚ ବର୍ଷ ତଳର କଲେଜ ସାଙ୍ଗ, ସହପାଠୀ । ଏଇ ପାଞ୍ଚବର୍ଷ ଭିତରେ ଦୁନିଆଁରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି । ହେମକାନ୍ତର ଜୀବନରେ ସେମିତି କିଛି ତ ପରିବର୍ତ୍ତନ ହୋଇନି । ସରକାରୀ ଚାକିରୀର ସେ ବଶବର୍ତ୍ତୀ ହୋଇନି । ଏଇମିତି ସେ ଭାବୁଛନ୍ତି, ପରଦା ଠେଲି ହେମକାନ୍ତ ତାଙ୍କ ଘରକୁ ପଶିଆସିଲେ । ଗାୟତ୍ରୀ ଚେୟାରରୁ ଉଠି ତାଙ୍କ ସମ୍ୱର୍ଦ୍ଧନା ଜଣାଇଲେ । ଦୁହେଁ ବସିଲେ ।

 

ଚା’ ଆସିଲା । ଦିହେଁ ଦୁଇଟି କପ୍ ଧରିଲେ । ପ୍ରଥମେ ଗାୟତ୍ରୀ ଚା’ କପରେ ଚୁମ୍‍କା ଢାଳି କହିଲେ—ଯା’ ହେଉ ହେମକାନ୍ତ ବାବୁ, ପୁରୁଣା ଦିନର ପୁରୁଷ ବଂଧୁଟିଏ ମତେ ପୁଣି ମିଳିବ ବୋଲି ମୁଁ କେବେ ହେଲେ କଳ୍ପନା କରି ନଥିଲି । ମୁଁ ଆଜି ଭାରି ଖୁଲି, ଆପଣଙ୍କ ସହ ଆଳାପ ଆଲୋଚନା କରିବାର ଏଇ ଅବକାଶ ପାଇ ।

 

ନିଜର ବଉଦ ଗମ୍ଭୀର ମୁହଁରେ ହସର ଟିକିଏ ଫଲ୍‌ଗୁ ଆଣି ହେମକାନ୍ତ କହିଲେ—ମୁଁ ବି ଆଜି କମ୍ ଆନନ୍ଦିତ ନୁହେଁ ଗାୟତ୍ରୀ ଦେବୀ । ଆପଣଙ୍କୁ ଦେଖିଲାପରେ ଗତ ପାଞ୍ଚବର୍ଷ ତଳର ସ୍ମୃତି ବହୁଳ କାହାଣୀଗୁଡ଼ିକ ମୋର ସବୁ ମନେ ପଡ଼ିଯାଉଛି ।

 

ଗାୟତ୍ରୀ କହିଲେ—ଆଉ ସବୁ କିଏ କ’ଣ କଲେ ?

 

—ମୁଁ ଆଉ କାହାରି ଖବର ରଖିନି ଗାୟତ୍ରୀ ଦେବୀ । ‘ମୁଁ ମୋ କାମରେ ଏତେ ବ୍ୟସ୍ତ ଯେ, ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବାକୁ ମୁଁ ବେଳ ପାଏନି’—ହେମକାନ୍ତ କହିଲେ ।

 

ସେଦିନ ଦୁହେଁ ଏଇମିତି ଅସରନ୍ତି ଗପର ସୁଅ ମେଲିଲେ । ଗାୟତ୍ରୀ ପୁରୁଷ ବଂଧୁଟିଏ ଖୁବ୍ ସାନ୍ନିଧ୍ୟରେ ପାଇ ସତେ ଯେପରି ପ୍ରଗଲ୍‌ଭା ହୋଇ ଉଠିଥିଲେ । ନାନା ସ୍ମୃତି ଆଉ ଘଟଣାର କାହାଣୀ ସେ କହୁଥିଲେ । ହେମକାନ୍ତ ଶୁଣୁଛନ୍ତି । ଗପର ଖିଅ ଛିଡ଼ୁନି ।

 

ସେ ଦିନ ରାତି ଦଶ ବାଜିଲା । ହେମକାନ୍ତ ବସାକୁ ଯିବାକୁ ବାହାରି ପଡ଼ିଲେ । ଗାୟତ୍ରୀ ବିଦାୟ ଦେଲେ ।

 

–ପାଞ୍ଚ–

 

ଦିନେ ଗାୟତ୍ରୀ ଓ ହେମକାନ୍ତ ସହରର ରାସ୍ତାରେ ଯାଉଛନ୍ତି । ସଞ୍ଜ ଓହ୍ଲାଇ ଆସିଛି । ସହର ସେପଟେ ବିରାଟ ନଦୀ, ବିରାଟ ପଥରବନ୍ଧ ସନ୍ଧ୍ୟାବେଳେ ସେଇ ନଈକୂଳେ ସୁନ୍ଦର ଶୀତଳ ପବନ ଥିରି ଥିରି ବହେ । ସହରର କେତେ ଲୋକ ସନ୍ଧ୍ୟାବେଳେ ସେଠାରେ ବୁଲନ୍ତି । ମନକୁ ହାଲ୍‌କା କରନ୍ତି ।

 

ଦୁହେଁ ଚାଲିଛନ୍ତି; ନଈକୂଳେ ପହଞ୍ଚିଲେ । ମଥା ଉପରର ନୀଳ ଆକାଶରେ ଜହ୍ନ ହସୁଥିଲା ।

 

ଦୁଇଜଣଯାକ ଗୋଟିଏ ସିମେଣ୍ଟ ଚୌକି ଉପରେ ବସିଲେ । ନଈ ଭିତରକୁ ଚାହିଁଲେ । ଗାୟତ୍ରୀ ପ୍ରଥମେ ଆରମ୍ଭ କଲେ—ଆପଣଙ୍କର ବାହାଘର କେବେ ହେଉଛି ହେମକାନ୍ତ ବାବୁ ? ବୟସ ତ ଆସି ଅଖର ହୋଇଗଲା । ଏଇମିତି ଜୀବନ ଭରି କ’ଣ ରହିଯିବେ ଆଉ ?

 

ସେ ସାଙ୍ଗେ ସାଙ୍ଗେ କହିଲେ—ଏ ପ୍ରଶ୍ନ ଆପଣ ନିଜକୁ ତ ଆଉ ପଚାରୁ ନାହାନ୍ତି ଗାୟତ୍ରୀ ଦେବୀ ?

 

ଗାୟତ୍ରୀ କହିଲେ—ହେମକାନ୍ତ ବାବୁ ଆପଣ ମୋର ବନ୍ଧୁ । ସତ କଥା ତେବେ କହୁଛି ଶୁଣନ୍ତୁ । ବିବାହ କରିବା ପାଇଁ ଅନେକ ସମୟରେ ମୋର ଇଚ୍ଛା ଜାଗେ । ସ୍ୱାମୀଟିଏ କରିବାକୁ ମନ ମୋର ବେଳେ ବେଳେ ଧାଏଁ । ସ୍ୱାମୀଙ୍କର ସ୍ନେହ ପାଇଁ ବେଳେ ବେଳେ ପ୍ରାଣ ମୋର ଡହଳବିକଳ ହୁଏ । ହେଲେ, କିନ୍ତୁ ପର ମୁହୂର୍ତ୍ତରେ ସେ ଭାବନା ପୁଣି ମନ ଭିତରୁ ଉଭେଇଯାଏ । ପ୍ରଶ୍ନ ଉଠେ, କାହିଁକି ଆଉ ସେଇ ଅସନା ଅରମା ବାଟରେ ଗୋଡ଼ ଦେଇ ଘାଣ୍ଟିଚକଟି ହେବି ? ଏଇମିତି ତ ସମୟ କଟିଗଲେ ଯାଏ । ବୟସ ଗଡ଼ିଗଲେ ଯାଏ । ଏଇମିତି ରହି ଦିନ ନେଇ ହେବ ତ ?

 

ସେ ଶୁଣୁଥିଲେ—ଜଣେ ଶିକ୍ଷିତା ନାରୀ ହୃଦୟର ଗୋପନ କଥା ମନ ଦେଇ ଶୁଣିଥିଲେ । ନିଜ ଭାବନା ଆଉ ଗାୟତ୍ରୀଙ୍କ ଭାବନାକୁ ନିଜର ମନ ଭିତରେ ମେଳାଇ ତା’ର ତୁଳନା କରୁଥିଲେ । ଭାବୁଥିଲେ, ଗାୟତ୍ରୀ ଅନେକ ସମୟରେ ଅନୁଭବ କରକନ୍ତି ଗୋଟିଏ ପୁରୁଷର ସ୍ନେହମମତା ପାଇବାପାଇଁ । ପୁରୁଷର ସାନ୍ନିଧ୍ୟ ପାଇବା ପାଇଁ ପ୍ରାଣ ତାଙ୍କର ଡହଳବିକଳ ହୁଏ । ତଥାପି ସେ ବାହା ହେଉନାହାନ୍ତି । ଏକ ସ୍ୱାଧୀନ ଜୀବନ ନେଇ ଏ ପର୍ଯ୍ୟନ୍ତ ସେ ଚାଲିଛନ୍ତି ।

 

ସେ ଉତ୍ତର ଦେଲେ—ମୋ ବାହାଘର ବିଷୟରେ ମୁଁ କିଛି ଭାବିନି ଗାୟତ୍ରୀ ଦେବୀ । ସେ ଏକ ବିରାଟ ସମସ୍ୟାରୂପେ ମୋ ଆଖିରେ ଦେଖାଦେଇଛି । ମଣିଷକୁ ମଣିଷର ସଂସାରରେ ରହିବାକୁ ହେଲେ ଅବଶ୍ୟ ତାର ଲୋଡ଼ା ସ୍ତ୍ରୀ, ପିଲାଛୁଆ ଆଉ କୁଟୁମ୍ବ । ସଂସାରର ଘୋର ଜଞ୍ଜାଳ–ଯାତ୍ରାରେ ଏଇମାନେ ସ୍ନେହ ସୋହାଗଭରି ଦେବେ । ତାହା ସବୁ ମୁଁ ବୁଝୁଛି । ଏକ ନାରୀର ଅଭାବ ମୁଁ ଯେ ଅନୁଭବ କରୁନି ତା’ ନୁହେଁ । କିନ୍ତୁ କ’ଣ କରିବି, ତା’ର ସମାଧାନ ଏ ପର୍ଯ୍ୟନ୍ତ ମୁଁ କିଛି କରିନି । ବାପା ବୋଉ କିନ୍ତୁ ମତେ ବିବ୍ରତ କରାଇ ସାରିଲେଣି ।

 

ଗାୟତ୍ରୀ ଶୁଣିଲେ । ଢେଉ ଢେଉକା ଆକାଶରେ ଖଣ୍ଡ ଖଣ୍ଡ କଳା ବଉଦର ଭେଳା ଭାସି ଚାଲିଛି । ଚାନ୍ଦ ସତେ ଅବା ଆକାଶ ରାଇଜରେ ଲୁଚକାଳି ଖେଳି ଆରମ୍ଭ କରିଛି । ଥିରି ଥିରି ପବନ ପରଖି ଯାଉଛି । ଗାୟତ୍ରୀଙ୍କ ଶାଢ଼ି ଉଡ଼ୁଛି, ହେମକାନ୍ତଙ୍କ ଲମ୍ବା ପତଳା ଧୋବ ପଞ୍ଜାବୀ ବି ପବନରେ ଉଡ଼ୁଛି । ଶାଢ଼ିର କାନି ଆସି ହେମକାନ୍ତଙ୍କ ମୁହଁରେ ଆଉ ପଞ୍ଜାବୀର କାନି ଯାଇ ଗାୟତ୍ରୀଙ୍କ ଦେହରେ ବାଜୁଚି । ବାୟୁମଣ୍ଡଳ ନୀରବ ।

 

ଦୁହେଁ ନୀରବରେ ଆକାଶକୁ ଚାହିଁଥିଲେ । କଳା ବଉଦର ଭେଳା ସରଗରୁ ଅପସରି ଗଲା । ଜହ୍ନ ପୁଣି ତୋଫା, ପୁଣି ସ୍ନିଗ୍‌ଧ ଦେଖାଗଲା । ପବନ ବନ୍ଦ ହେଲା । ଶାଢ଼ି ଓ ପଞ୍ଜାବୀ ପବନର ଶୀତଳ ଅତ୍ୟାଚାରରେ ଆଉ ଉଡ଼ିଲେନି । ଦୁହେଁ ସେ ଦିନ ଫେରିଲେ ବସାକୁ ।

 

ତା’ ପରଦିନ ରାତି……

 

ପୂର୍ବଦିନ ରାତିପରି ସେ ଦିନ ବି ଆକାଶର କିଆରିରେ ଜୋଛନାର ଫସଲ । ତାରାର ଫଳ କନ୍ଦଳ । କାଲିପରି ବି ନଈ କୂଳେ କୂଳେ ସାଙ୍ଗସାଥି ଆଉ ସ୍ତ୍ରୀ ପୁରୁଷର ମେଳା ।

 

ସେ ଓ ଗାୟତ୍ରୀ ପୁଣି ଗଲେ । ସେଇ ସିମେଣ୍ଟ ଚୌକି ଉପରେ ପୁଣି ବି ବସିଲେ ।

 

ସେ ଆଗ ଆରମ୍ଭ କଲେ—କଥାଟିଏ କହିବି ରଖିବେ ଗାୟତ୍ରୀ ଦେବୀ ?

 

—କ’ଣ କହନ୍ତୁ ?

 

—ମୋ ଉପରେ ରାଗିବେନି କିନ୍ତୁ ।

 

—ନାଇଁ ।

 

ସେ କହିଲେ—ଷଷ୍ଠବାର୍ଷିକ ଶ୍ରେଣୀରେ ପଢ଼ୁଥିଲାବେଳେ ଆପଣ ଯେମିତି ଦିଶୁଥିଲେ, ସେ ରୂପ ଆଜି ଆପଣଙ୍କର ନାହିଁ । ଦିନକୁ ଦିନ ଆପଣ ବିବର୍ଣ୍ଣ ବିକୃତ ଦେଖାଉଛନ୍ତି । ପୁଣି ମୋର ମନେ ଅଛି ଗାୟତ୍ରୀ ଦେବୀ, ଆପଣଙ୍କୁ ଥାର୍ଡ଼ ଇଅର ଅନର୍ସ କ୍ଳାସରେ ପ୍ରଥମ ଥର କରି ମୁଁ ଯେଉଁଦିନ ଦେଖିଥିଲି ସେ ଦିନର ରୂପ ଏମ୍.ଏ ଶ୍ରେଣୀରେ ପଢ଼ିଲାବେଳର ରୂପ ଅପେକ୍ଷା ଆହୁରି ଆକର୍ଷଣୀୟ ଥିଲା । ଆଜି କିନ୍ତୁ ମୁଁ ଭଲ କରି ଦେଖୁଛି ଆପଣଙ୍କର ସେଇ ମୁଖର ସେଇ ଦୀପ୍ତି ନାହିଁ, ଉଜ୍ଜ୍ୱଳତା ନାହିଁ । ଗଣ୍ଡରେ ଭଉଁରୀ ଖେଳୁଛି । ଆଖିର ସେ କଜ୍ଜ୍ୱଳତା ନାହିଁ । ଆଖି ତଳେ କଳା କଳା ଦାଗ ବାହାରକୁ ପରିଷ୍କାରଭାବେ ଦିଶିଯାଉଛି । ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ରୁଗ୍‌ଣ ହୋଇଆସୁଛି ।

 

କ୍ଷମା କରିବେ ଗାୟତ୍ରୀ ଦେବୀ ! ଜଣେ ଅତି ଆପଣାର ବନ୍ଧୁ ହିସାବରେ ଏତକ କହିଲି-। ଆପଣ ଯଦି ବେଳେ ବେଳେ ଏକ ପୁରୁଷର ଅନୁଭବ କରନ୍ତି, ତା’ହେଲେ ଆପଣ ଶୀଘ୍ର ବିବାହ କରନ୍ତୁ । ଏଇ ବୟସରେ ଆପଣ ବିବାହ କଲେ ସୁଖୀ ହେବେ । ଆପଣଙ୍କୁ ବିବାହ କରିସାରିଲା ପରେ ଯିଏ ଆପଣଙ୍କର ସ୍ୱାମୀ ହେବେ ସିଏ ବି ସୁଖୀ ହେବେ ।

 

ଗାୟତ୍ରୀ ନୀରବ ହୋଇ ବସିଛନ୍ତି । ମୁଖରୁ ତାଙ୍କର ଭାଷା ବାହାରୁନି । ଆକାଶରେ ଭସା ମେଘର ଅଭିସାର । ତଳେ ନଦୀଗର୍ଭରେ ସୀମାହୀନ ବାଲୁକାରାଶି ।

 

ସେ ଭାବିଲେ, ସତେ ତ ଦିନ ଥାର୍ଡ଼ ଇଅର କ୍ଳାସ୍‍ରୁ ପଢ଼ାଇସାରି ଫେରିଲାବେଳେ ଛାତ୍ରୀଟିଏ ଶୁଣାଇ ଶୁଣାଇ କହିଲା—ଅଧ୍ୟାପିକା ମିସ୍ ଜେନା ବୁଢ଼ୀ ହୋଇଗଲେଣି । ପୁଣି ସେ ଭାବିଲେ, ବୟସ ତ ଆସି ତିରିଶି ହେଲା ତାଙ୍କୁ । ସାନ ଭଉଣୀ ସାବିତ୍ରୀ ତାଙ୍କର ସତର ବର୍ଷ ବୟସରେ ବାହା ହେଲା । ତାଙ୍କର ଯେତେବେଳେ ବିବାହ ପ୍ରସ୍ତାବ ପଡ଼ିଲା ସେ ଜିଦ୍‌ ଧରିଲେ ବେଶୀ ପଢ଼ିବାକୁ । ସେ ଏମ୍. ଏ. ପାଶ୍ କଲେ । ଅଧ୍ୟାପିକା ହେଲେ । ସେଇଦିନୁ ବାପାବୋଉ ତାଙ୍କ ବାହାଘର କଥା ମୁହଁରେ ଧରନ୍ତି ନାହିଁ । କହନ୍ତି—ଗାୟତ୍ରୀ ତ ଉଚ୍ଚ ଶିକ୍ଷିତା, ତାର ଇଚ୍ଛା ସେ ଯେଉଁଠି ବାହା ହେବ । ଇଚ୍ଛା ନ ହେଲେ ନ ହେବ ।

 

ମନେ ମନେ ଏଇମିତି ଭାବି ତାଙ୍କୁ କହିଲେ—ହେମକାନ୍ତ ବାବୁ, ଆପଣ କହୁଛନ୍ତି ମୁଁ ବିବାହ କରିବି ? ସତରେ କ’ଣ ଭଲ ହେବ ? କାହାକୁ ମୁଁ ବାହା ହେବି ? କାହାକୁ ନେଇ ମୋ ଜୀବନଯାତ୍ରା ଆରମ୍ଭ କରିବି ? ବିବାହ କରିବା ପାଇଁ କାହାରିକୁ ମୁଁ ବରପାତ୍ର ରୂପେ ଠିକ୍ କରିନି । ଆପଣଙ୍କ ପରି ବହୁ ବନ୍ଧୁଙ୍କ ସଙ୍ଗରେ ମିଶିଛି, ଆଳାପ କରିଛି । ଖୁବ୍ ନିରୋଳାରେ ସେମାନଙ୍କ ସହ ମିଶି କେତେ ଖରାବେଳେ ଗପି ଗପି ମୁଁ କଟାଇଛି । କେତେ ରାତି ଅନିଦ୍ରା ରହି ବିତାଇଛି । ହେଲେ ବିବାହ କରିବାର ସ୍ୱପ୍ନ ଦିନେ ହେଲେ ମୋର ଜାଗି ନଥିଲା । ଆପଣ ବରପାତ୍ର ଠିକ୍ କରନ୍ତୁ ହେମକାନ୍ତ ବାବୁ ! ମୁଁ ବିବାହ କରିବି ।

 

ଏତକ କହି ଗାୟତ୍ରୀ ଭାବପ୍ରବଣା ହୋଇ ତାଙ୍କର ଦୁଇହାତକୁ ନିବିଡ଼ଭାବେ ଜଡ଼ାଇ ଧରିଲେ । ହେମକାନ୍ତ ସେଇ ଜହ୍ନ ଆଲୁଅରେ ଦେଖିଲେ ଗାୟତ୍ରୀଙ୍କ ଆଖି ଛଳଛଳ । କଥା କହିବାକୁ ସତେ ଅବା ଭାଷା ପାଉ ନାହାନ୍ତି ।

 

ହେମକାନ୍ତ ଗାୟତ୍ରୀଙ୍କ ଅବିବାହିତ ଜୀବନର ଆର୍ତ୍ତହାହାକାରରେ ବ୍ୟଥିତ ହେଲେ । ଆଉ ଭାବିଲେ ଏତେଦିନ କେମିତି ଏ ସ୍ଥିର ହୋଇ ରହିଥିଲେ ? ବହୁଦିନ ପରେ ବିବାହ କରିବାର ବାସନା କାହିଁକି ଆଜି ଏତେ ପ୍ରବଳ ହୋଇଛି ଗାୟତ୍ରୀଙ୍କର ?

 

ଏଇମିତି ସେ ଭାବୁଛନ୍ତି—ଗାୟତ୍ରୀ ତାଙ୍କ ଛାତି ଉପରେ ମୁଣ୍ଡ ଥାପିଲେଣି । ତାଙ୍କ ଦେହରେ ଲଘୁଭାବରେ ଉନ୍ମାଦ ଲାଗି ଲାଗି ଆସୁଛି । ହେଲେ ସେ ସଚେତ ହେଲେ । ଗାୟତ୍ରୀଙ୍କୁ ନିଜ ଛାତି ଉପରୁ ଉଠାଇ କହିଲେ—ଆପଣଙ୍କ ପାଇଁ ବରପାତ୍ର ମୁଁ ଯୋଗାଡ଼ କରିବି ।

 

ବସୟ ଆପଣଙ୍କର ଆସି ତିରିଶି ହେଲାଣି । ଆଉ ବର୍ଷ କେଇଟା ପରେ ଆପଣ ହୁଏତ ପୌଢ଼ା ହୋଇଯାଇ ପାରନ୍ତି । ତେଣୁ ଏଇ ବୟସରୁ ବିବାହ କଲେ ସବୁ ଠିକ୍ ଠାକ୍ ହୋଇଯିବ । ମନ ଓ ବୟସ ଉତ୍ତାପ ନେଇ ଆପଣ ବହୁତ ବକିଛନ୍ତି । ସାଙ୍ଗସାଥିଙ୍କ ସହ ଉନ୍ନିଦ୍ର ରହିଛନ୍ତି । ଗପିବା ଓ ଅନିଦ୍ରା ରହିବାରେ ଆପଣଙ୍କର ରୂପର ଶ୍ରୀ ମଳିନ ପଡ଼ିଛି । ପଛ କଥା ଭାବି କିଛି ଲାଭ ନାହିଁ ଗାୟତ୍ରୀ ଦେବୀ । ମୁଁ ଆପଣଙ୍କ ପାଇଁ ବରପାତ୍ର ଯୋଗାଡ଼ କରିବି ।

 

ଗାୟତ୍ରୀ ଆହୁରି ଭାବପ୍ରବଣା ହୋଇଉଠିଲେ । କହିଲେ— କ୍ଷତି କ’ଣ ହେମକାନ୍ତ ବାବୁ…..ଆପଣ ସାମ୍ବାଦିକ ଆଉ ମୁଁ ଅଧ୍ୟପିକା….. ।

 

ଘଟଣାର ରହସ୍ୟ ଆଉ କିଛି ବାକି ରହିଲାନି । ସେ ହୋଃ ହୋଃ ହୋଇ ହସି ଉଠିଲେ-। ହସର ଲହଡ଼ିରେ ନଈକୂଳ ପ୍ରତିଧ୍ୱନିତ ହେଲା ।

 

ସେ ମନେ ମନେ ଭାବିଲେ ନାରୀଜାତି ସତେ କ’ଣ ଏତେ ଉଚ୍ଛୃଙ୍ଖଳ ? ସେ ଲଜ୍ଜାଶୀଳା-। ଦେଖୁ ଦେଖୁ ସେ କେମିତି ପ୍ରତ୍ୟକ୍ଷ ଭାବରେ ବିବାହ ପ୍ରସ୍ତାବ ବାଢ଼ିଲେ । ଜାଣି ଜାଣି କିପରି ସେ ଛାତି ଉପରେ ଲୋଟି ପଡ଼ିଲେ !

 

ତାଙ୍କର ଉଚ୍ଚ ହସର ଢେଉରେ ଗାୟତ୍ରୀ ଚମକି ପଡ଼ିଲେ । ସେ ଆହତ ହେଲେ । ଶିକ୍ଷାଭିମାନ ତାଙ୍କର ଗୁମୁରି ଉଠିଲା । ଗୋଟିଏ ଜହ୍ନ ତିଥିରେ ମନ ଯେତେବେଳେ ନିହାତି ହାଲକା ହୋଇଥିଲା, ଜଣେ ପୁରୁଷ ବନ୍ଧୁ ସହ ଆଳାପ ଆଲୋଚନାରେ ବସି ସେ ଏତେ ତଳକୁ କେତେବେଳେ କେମିତି ଖସିଗଲେ । ସେ ଭାବି ଠିକ୍ କରିପାରିଲେ ନି । ଜହ୍ନ, ମଳୟ ଆଉ ନଈବନ୍ଧର ପଥର ଚଉକି କେମିତି ତାଙ୍କର ମନର ପାହାଡ଼କୁ ଏତେ ଶାନ୍ତ ଶୀତଳ କୋମଳ କରିଦେଲା ? ସେ କେମିତି ହୋଇ ଉଠିଲେ ଏଡ଼େ ଭାବପ୍ରବଣ ଆଉ କଳ୍ପନାମୁଖର ?

 

ମନର ସଚେତନ ଅବସ୍ଥାରେ ସେ ଏଇମିତି ଭାବୁଛନ୍ତି, ହେମକାନ୍ତ ଉଠିଲେ । ଠିଆ ହେଲେ, କହିଲେ—ରାତି ବେଶି ହୋଇଗଲାଣି ଗାୟତ୍ରୀ ଦେବୀ ଯିବା ।

 

ରିକ୍‌ସା ଡାକିଲେ, ଦୁହେଁ ଲଗାଲଗି ହୋଇ ବସିଲେ । କେହି କାହାରିକୁ କଥା କହୁନାହାନ୍ତି । ବିୟୋଗାନ୍ତ ନାଟକ ଦେଖି ଦୁଇଟି ଦର୍ଶକ ଯେପରି କ୍ଳାନ୍ତ ମନ ନେଇ ଘରକୁ ଫେରନ୍ତି, ହେମକାନ୍ତ ଓ ଗାୟତ୍ରୀ ଘରକୁ ଫେରୁଛନ୍ତି । ରିକ୍‌ସା ଚାଲିଛି….

 

–ଛଅ–

 

ହେମକାନ୍ତ ସବୁଆଡ଼େ ସବୁ ସାଂସ୍କୃତିକ ଅନୁଷ୍ଠାନରେ ପରିଚିତ ହେଲେଣି । ସବୁଆଡ଼ୁ ତାଙ୍କୁ ପ୍ରଶଂସା ମିଳୁଛି । ସମ୍ମାନ ପାଉଛନ୍ତି ।

 

ଥରେ ସେ ଯାଇଥିଲେ ଅଭିନେତ୍ରୀ ଆରତି ରାଉତଙ୍କ ଘରକୁ । ତାଙ୍କ ପତ୍ରିକାର ଏକ ବିଶେଷ ସଂଖ୍ୟାରେ ଏ ଦେଶର ବିଶିଷ୍ଟ ଅଭିନେତ୍ରୀଙ୍କର ଜୀବନୀ ଓ ଫଟୋ ବାହାରିବାର ଯୋଜନା କରାଯାଇଥିଲା । ସେଇ ଦୃଷ୍ଟିରୁ ଅଭିନେତ୍ରୀଙ୍କୁ ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ମଧ୍ୟ ତାଙ୍କ ପତ୍ରିକା ତରଫରୁ ଜଣାଇ ଦିଆଯାଇଥିଲା ।

 

ହେମକାନ୍ତ ନିର୍ଦ୍ଦିଷ୍ଟ ସମୟରେ ଆରତି ରାଉତଙ୍କ ଘରକୁ ଗଲେ । ଆରତି ରାଉତ, ବିଖ୍ୟାତ ଅଭିନେତ୍ରୀ, ଲାବଣ୍ୟମୟୀ । ରଙ୍ଗମଞ୍ଚରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେଲେ ପ୍ରେକ୍ଷାଳୟ କୋଳାହଳରେ ପୂରିଉଠେ । ହଜାର ହଜାର ଦର୍ଶକ ତାଙ୍କର ଅଭିନୟ ଦେଖିବାକୁ ରୁଣ୍ଡ ହୁଅନ୍ତି । ତାଙ୍କର ଅଙ୍ଗର ଭଙ୍ଗିମାରେ, ନୃତ୍ୟର ଛନ୍ଦରେ ହଜାର ହଜାର ଦର୍ଶକ ମୁଗ୍‌ଧ ବିଭୋର ହୋଇଚାହାନ୍ତି । ଖଣ୍ଡିଏ ଖଣ୍ଡିଏ ନାଟକ ମାସ ମାସ ଧରି ବିପୁଳ ଜନଗହଳି ଭିତରେ ଚାଲେ ।

 

ଆରତି ହେମକାନ୍ତଙ୍କୁ ସମ୍ବର୍ଦ୍ଧନା ଜଣାଇଲେ । ସେ ତାଙ୍କ ଘର ଭିତରକୁ ଯାଇଁ ଦେଖିଲେ ତାହା ଅତ୍ୟାଧୁନିକ ଢଙ୍ଗରେ ସଜା ହୋଇଛି । ଘରର କାନ୍ଥରେ ଭାରତର କେତେ ଅନିନ୍ଦ୍ୟ ରୂପସୀ ଅଭିନେତ୍ରୀଙ୍କର ଲାସ୍ୟମୟୀ ଫଟୋ । ସେମାନଙ୍କ ଭିତରୁ କେତେକ ଅର୍ଦ୍ଧନଗ୍ନ ଆଉ କେତେକ ତନୁତନିମାର ବିଜ୍ଞାପନି ବାଢ଼ୁଛନ୍ତି ।

 

ସେ ବସିଲେ କୁସନ ଚେୟାରରେ । ଶଙ୍ଖମଲମଲ ପ୍ଳେଟ୍ ରେ ଆସିଲା କେକ୍, ଅଣ୍ଡା-ଆମ୍‌ଲେଟ୍ ଆଉ ଚାହା । ଆରତି ତାଙ୍କୁ କହିଲେ, ‘ହଁ ଆରମ୍ଭ କରନ୍ତୁ ।’

 

ସେ ଲାଜୁରା ହେଉଛନ୍ତି । ପ୍ରଥମ ଥରପାଇଁ ସେ ତାଙ୍କୁ ଦେଖୁଛନ୍ତି । ପ୍ରଥମ ଥର ଭେଟରେ ଜଣେ ନାରୀ ସମ୍ମୁଖରେ ସହଜ ଆଉ ସ୍ୱାଭାବିକ ରୀତିରେ ତାଙ୍କ ସମ୍ମୁଖରେ ବସିପାରୁ ନାହାନ୍ତି । ତଥାପି ସେଇ ଲାଜ ସଙ୍କୋଚ ଭିତରେ ଆଳାପ ଜମେଇବାକୁ ସେ ଉଦ୍ଦ୍ୟମ ଆରମ୍ଭ କରିଛନ୍ତି ।

 

ଅଭିନେତ୍ରୀ ଆଗ ଖାଇବା ଆରମ୍ଭ କଲେ । ସେ ଧୀରେ ଧୀରେ ଆମଲେଟ୍‌ରୁ ଟିକିଏ ଭାଙ୍ଗିଲେ । ତାଙ୍କର ଏ ଧରଣର ଲାଜ ଲାଜ ଭାବ ଦେଖି ଅଭିନେତ୍ରୀ କହିଲେ, ‘ଲାଜ କ’ଣ କରୁଛନ୍ତି ମ ! ଖାଇ ଦିଅନ୍ତୁ, ଦେଖୁନାହାନ୍ତି ମୋର ଆସି ସରିବା ଉପରେ ।’

 

ସେ ପୁଣି ଖାଇବାକୁ ବସିଲେ । ବାଧ୍ୟହୋଇ ଗୋଟିଏ ଶିଶୁପରି ଅଭିନେତ୍ରୀଙ୍କ ଆଗରେ ଖାଇଦେଲେ । ଚା’ ପାନ ସରିଲା ।

 

ହେମକାନ୍ତ ସାମ୍ବାଦିକ ଭଙ୍ଗୀରେ ପଚାରିଲେ, ‘ଏ ଦେଶର ରଙ୍ଗମଞ୍ଚ ସମ୍ପର୍କରେ ଆପଣଙ୍କର ଧାରଣା କ’ଣ ? ଛାୟା ଓ ମଞ୍ଚର ଉନ୍ନତି ଓ ବିକାଶ ସାଧନପାଇଁ ଆପଣ କ’ଣ ଚିନ୍ତା କରୁଛନ୍ତି ଆରତି ଦେବୀ ?’

 

ଅଭିନେତ୍ରୀ ହସି ହସି ଦେହ ଓ ମୁହଁରେ ଅଭିନୟର କଳା ଫୁଟାଇ କହିଲେ, ‘ଆମ ଦେଶର ଛାୟା ଓ ମଞ୍ଚର ଦ୍ରୁତ ବିକାଶର ପ୍ରଧାନ ଅନ୍ତରାୟ ହେଉଛି ଆମ ସମାଜ । କାରଣ ଆଜିପର୍ଯ୍ୟନ୍ତ ଏ ଦେଶର ସମାଜ ସେଇ ପୁରାତନ ରକ୍ଷଣଶୀଳ ମନୋବୃତ୍ତ ନେଇ ଏବେ ବି ତିଷ୍ଟି ରହିଛି । ମୋରି ପରି ଯେଉଁମାନେ ସମାଜ ଭୁଲି ମଞ୍ଚ ଉପରେ ଠିଆହୋଇ କଳା କୌଶଳର ପରିଚୟ ଦେଉଛନ୍ତି, ସେମାନଙ୍କୁ ନାନା ଅପମାନ, ଲାଞ୍ଛନା ଓ ଅପବାଦର ଦାରୁଣ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ୁଛି । ଆମ ସମାଜ ଯେଉଁଦିନ ସେଇ ପୁରୁଣା ପରମ୍ପରା ଛାଡ଼ି ନୂଆ ଦୁନିଆଁକୁ ଚାହିଁବ ଆଉ ସ୍ୱେଚ୍ଛା-ପ୍ରଣୋଦିତ ହୋଇ ଏ ଦେଶର ଝିଅ ବୋହୂଙ୍କୁ ବିନା କୁଣ୍ଠାରେ ସେମାନଙ୍କର କଳାକୌଶଳର ପରିଚୟ ଦେବାକୁ ଦୁନିଆଁର ବଡ଼ଦାଣ୍ଡରେ ଛାଡ଼ିଦେବ, ସେଇଦିନ ଆମ ଛାୟା ଓ ମଞ୍ଚର ଚରମ ବିକାଶ ହେବ । ଅନ୍ୟ ପ୍ରଦେଶ ସହିତ ତାଳ ଦେଇ ଆମେ ହୁଏତ ଆଗେଇ ପାରିବା-।’

 

ସେ ନୋଟ୍ କଲେ । କାଲି ହୁଏତ ଦୈନିକ ସମ୍ବାଦପତ୍ରର ବିଶେଷ ସଂଖ୍ୟାରେ ଅଭିନେତ୍ରୀ ଆରତି ରାଉତଙ୍କର ମତାମତ ବାହାରିବ ।

 

ସେ ପୁଣି ନିଜ କଣ୍ଠରେ ଆଗ୍ରହ ଓ କୌତୁକ ଦେଇ ପଚାରିଲେ, ‘କେତେ ବର୍ଷ ହେଲା ଆପଣ ଏପରି ଜଣେ କଳାକାରର ଜୀବନ ଗ୍ରହଣ କରିନେଇ ସାରିଲେଣି ଆରତି ଦେବୀ ?’

 

ପୁଣି ଅଭିନେତ୍ରୀ କଳା ଫୁଟାଇ କହିଲେ, ‘ମୁଁ ସେତେବେଳେ ହାଇସ୍କୁଲରେ ପଢ଼ୁଥାଏ । ନୃତ୍ୟ ଆଉ ଗୀତ ମନପ୍ରାଣ ଦେଇ ଶିଖୁଥାଏ । ଥରେ ଆମ ସ୍କୁଲରେ ନାଟକଟିଏ ଅଭିନୟ ହେଲା-। ମୁଁ ସେଥିରେ ମୁଖ୍ୟ ନାୟିକାର ଅଂଶ ଗ୍ରହଣ କଲି । ମୋ ଅଭିନୟ କୁଆଡ଼େ ଭାରି ଚିତ୍ତାକର୍ଷକ ହେଲା । ସେଇଠାରେ ସେ ଦିନ କୁଆଡ଼େ ଭାରତୀ ଥିଏଟର୍ସର ମ୍ୟାନେଜର ଉପସ୍ଥିତ ଥିଲେ-। ମୋ ଅଭିନୟରେ ସେ ଏତେ ମୁଗ୍‌ଧ ହୋଇଥିଲେ ଯେ, ସେ ଏ କଥା ମୋ ବାପାବୋଉଙ୍କୁ ଜଣାଇଲେ-। ମୋ ପ୍ରଶଂସାରେ ବାପାବୋଉ ମୋର ଗର୍ବରେ ଫାଟି ପଡ଼ିଲେ । ଏକାଦଶ ଶ୍ରେଣୀଠାରୁ ମୋର ପଢ଼ା ବନ୍ଦ ହେଲା । ସେଇ ବର୍ଷ ବାପା ମୋର ଦେହତ୍ୟାଗ କଲେ । ତାପରେ ଭାରତୀ ଥିଏଟର୍ସର ମ୍ୟାନେଜର ମୋ ବୋଉକୁ କହିବୋଲି ମତେ ତାଙ୍କ ପାର୍ଟିର ପର୍ଯ୍ୟୟଭୁକ୍ତ କଲେ । ସେଇଦିନଠାରୁ ପ୍ରତି ନାଟକରେ ମୁଁ ଅଭିନୟ କରିଆସୁଛି । ଆଜିକୁ ପ୍ରାୟ ବାର ବର୍ଷ ହେବ ମୁଁ ଏ କଳାକାରର ଜୀବନ ଗ୍ରହଣ କରିନେଇ ସାରିଲିଣି । ପ୍ରଥମେ ଅଭିନୟ ଓ ନୃତ୍ୟ ପ୍ରତି ମୋର ଆନ୍ତରିକତା ଥିଲା, ଶ୍ରଦ୍ଧା ଥିଲା । ତେଣୁ ମୋ ଇଚ୍ଛାନୁଯାୟୀ ମୁଁ ଅଭିନେତ୍ରୀଟିଏ ହେଲି । ଏ ଦେଶର ଅଗଣିତ ଦର୍ଶକ ମୋ ଅଭିନୟପାଇଁ ଯେଉଁ ପ୍ରଶଂସା ଢାଳନ୍ତି, ସେଥିପାଇଁ ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି-।’

 

ହେମକାନ୍ତ ନୋଟ୍ କଲେ ।

 

ତା’ପରେ ପୁଣି ପ୍ରଶ୍ନ କଲେ, ‘ବୟସ କେତେ ଆପଣଙ୍କର ?’

ସେ କହିଲେ, ‘ଛବିଶି ହେଲାଣି । ତଥାପି ଅଭିନୟ ଭିତରେ ମତେ ପନ୍ଦର ବର୍ଷ ବୟସ୍କା ଯୁବତୀର ଅଭିନୟ କରିବାକୁ ପଡ଼େ ।’

 

ସେ ଉଠିଲେ । ଯିବାପାଇଁ ପ୍ରସ୍ତୁତ ହେଲେ । ଯିବାବେଳେ ଅଭିନେତ୍ରୀ କହିଲେ ‘ଆପଣ ଆସୁଥିବେ କେବେ କେବେ—ଭୁଲିବେନି । ନମସ୍କାର ।’

 

ପ୍ରତି ନମସ୍କାର ଜଣାଇ ସେ ଫେରିଲେ । ବାଟରେ ଚାଲି ଚାଲି ଆସୁଥିବାବେଳେ ଭାବୁଥିଲେ ସେ ଏଇ ଆରତି ରାଉତଙ୍କ କଥା । ସେ କହିଲେ—ଏ ଦେଶର ଝିଅବୋହୁ ଯେଉଁଦିନ ସବୁ ଲାଜ ସଂକୋଚକୁ ପଛରେ ପକାଇ ରଙ୍ଗମଞ୍ଚରେ ଆସି ନାଚିବେ, ସେଇଦିନ ଆମ ଛାୟା ଓ ମଞ୍ଚର ବିକାଶ ହେବ । ଚାଲୁ ଚାଲୁ ହସି ଉଠିଲେ ସେ । ପୁଣି ଭାବିଲେ ଏ ଦେଶରେ ଆଉ ସୁସ୍ଥ ସାମାଜିକ ପରିବେଶ ରହିବ ନି । ପ୍ରତ୍ୟେକ ଝିଅବୋହୂ ହୋଇ ଉଠିବେ ଜଣେ ଜଣେ ଶିଳ୍ପୀ ଆଉ କଳାକାର । ତା’ପରେ ଘରେ ଘରେ ଚାଲିବ ନୃତ୍ୟ, ଗୀତ ଆଉ ଅଭିନୟ । ପୁଣି ଟିକିଏ ଜୋରରେ ହସି ଉଠିଲେ ସେ ।

 

ତା’ର ଦୁଇଟି ଦିନ ପରେ……

 

ହେମକାନ୍ତ ତାଙ୍କ ଘରକୁ ପୁଣି ଯାଇଛନ୍ତି । ଅଭିନେତ୍ରୀର କଳା ନେଇ ଆହୁରି ସୁନ୍ଦର କରି ସାଜିଛନ୍ତି ସେ ନିଜକୁ ଦୁହେଁ ବସିଲେ । ପୁଣି ଆଳାପ ଆରମ୍ଭ କରିଦେଲେ ।

 

ହେମକାନ୍ତ କହିଲେ, ‘ବିବାହ କରିବେ ନା କରିବେ ନାଇଁ ଆରତି ଦେବୀ ? କ୍ଷମା କରିବେ ଏ ପ୍ରଶ୍ନ ଯଦି ନିହାତି ଆସ୍ୱାଭାବିକ ହୋଇଥାଏ ।’

 

ସେ କହିଲେ, ‘ବିବାହର କିଛି ଦରକାର ନାହିଁ ହେମକାନ୍ତ ବାବୁ । ରଙ୍ଗମଞ୍ଚରେ ପ୍ରତ୍ୟେକ ନାଟକରେ ମୁଁ ନାୟିକା ଭୂମିକାରେ ଅଂଶ ଗ୍ରହଣ କରେ । ଆମ ଥିଏଟରର ପ୍ରଖ୍ୟାତ ଅଭିନେତାମାନେ ବାଣ୍ଟିକରି ନାୟକ ହୁଅନ୍ତି । ମୋ ଅଭିନୟକୁ ଜୀବନ୍ତ କରିବା ପାଇଁ ମୁଁ ଆପଣାର ସବୁ ଶକ୍ତି ଢାଳିଦିଏ । ବାଣ୍ଟିକୁଣ୍ଟ ହୋଇ ଯେଉଁମାନେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେଇ ସମସ୍ତଙ୍କୁ ମୁଁ ଆପଣାର କରେ । ଅଭିନୟ ଭିତରେ ମୁଁ ସବୁ କିଛି ଭୁଲିଯାଏ । ଅଭିନୟ କରି ଏଇମିତି ବିଭିନ୍ନ ଅଭିନେତାଙ୍କର ସାନ୍ନିଧ୍ୟ ମୁଁ ପାଏଁ । ସୁସ୍ଥରେ ରହୁଛି । ଅଭାବ କିଛି ରହୁନି । ବିବାହ କରିବାର ତେଣୁ କିଛି ଦରକାର ପଡ଼ୁନି ।’

 

ସେ ଗମ୍ଭୀର ହୋଇ ଶୁଣୁଥିଲେ । କହିଲେ, ‘ଏଇ ଅଭିନୟର ସ୍ନେହ ଆଉ ପ୍ରେମକୁ ନେଇ ଜୀବନଭରି ଆପଣ କ’ଣ ଚଳିପାରିବେ ଆରତି ଦେବୀ ?’

 

ଅଭିନେତ୍ରୀ ଆଉ କିଛି ଉତ୍ତର ଦେଇପାରିଲେନି । ହସ ହସ ମୁହଁ ଉପରେ ତାଙ୍କର ବେଦନାର ଛାୟା ସତେ ଯେପରି ଢାଙ୍କି ଗଲା ।

 

ଦୁହେଁ କିଛିସମୟ ନୀରବ ରହିଲେ । ତା’ପରେ ଆରତି କହିଲେ, ‘ଆପଣ କ’ଣ ବିବାହିତ ହେମକାନ୍ତ ବାବୁ ?’

 

ସେ କହିଲେ, ‘‘ନାଇଁ, ବିବାହ କରିନି । କରିବି କି ନାହିଁ ଏପର୍ଯ୍ୟନ୍ତ ସମାଧାନ କରିନି । ଆପଣଙ୍କପରି ବୁଲିଚରି ଆପଣାକୁ ସନ୍ତୁଷ୍ଟ କରିବାର ମୁଁ ପକ୍ଷପାତୀ ନୁହେଁ । ଲୋକେ କହନ୍ତି, ‘ବୁଲିଚରି ଖାଇଲେ ଗାଈ ଓଲିଆ ହୁଏ ।’ ତେଣୁ ଯିଏ ପାରେ ସିଏତାକୁ ମାରେ, ପିଟେ । ସେଥିପାଇଁ ମାଲିକ ତାକୁ ଖଟାଏ, ଘରେ ବାନ୍ଧି ରଖେ । ଯେତେବେଳେ ତାକୁ ବାହାରକୁ ଛାଡ଼େ ବେକରେ ତାର ଘଣ୍ଟି ବାନ୍ଧେ । ଯାହା ଫଳରେ ସିଏ ବାଡ଼ ଡେଇଁପାରେନା, ପଘାର କୁଦି ପାରେନା-। ସେଇ ଦୃଷ୍ଟିରୁ ଆପଣ ଅଭିନୟର ପଡ଼ିଆ ଭିତରେ ବୁଲି ଚରି ଖାଇବା ଭଲ ନୁହେଁ । ଏମିତି ଚରିଲେ ଲୋକେ ଅସନ୍ତୁଷ୍ଟ ହେବେ । ପାଖ ପୂରେଇ ଦେବେ ନି । ଆଜି ସିନା କେହି କିଛି କହୁ ନାହାନ୍ତି, କାଲି ଯେତେବେଳେ ଆପଣା ବୁଢ଼ୀ ଗାଈ ସାଜି କଳାକାରଙ୍କ ପଡ଼ିଆ ଭୂଇଁରେ ଚରିବେ, ସେମାନେ ପିଟିବେ, ମାରି ଗୋଡ଼ାଇବେ । ସେତେବେଳେ ସାହାଭରସା ହୋଇ ଆପଣଙ୍କର କେହି ନଥିବେ । ଶେଷ ଜୀବନ ଆପଣଙ୍କର ଦୁଃଖ ଓ ହାହାକାରରେ କଟିବ । ତେଣୁ ଆପଣଙ୍କ ପକ୍ଷେ ବିବାହ କରିବା ଉଚିତ ନୁହେଁ କି ଆରତି ଦେବୀ ? ଏ ଧାରଣାର ମନ୍ତବ୍ୟ ଯଦି ଆପଣଙ୍କୁ ଆଘାତ ଦେଇଥଆଏ, ମତେ କ୍ଷମା କରିବେ ।’’

 

ଅଭିନେତ୍ରୀଙ୍କ ମନରେ ପ୍ରଚଣ୍ଡ ଆଘାତ ଲାଗିଲା । ଦୀର୍ଘ ବାର ବର୍ଷ କଳାକାର-ଜୀବନ ପରେ ଆଜି ଯେମିତି ତାଙ୍କୁ ଭୟଙ୍କର ବାଧିଛି । ସେ ଭାବିଲେ, ‘ହେମକାନ୍ତବାବୁ ମିଛ କହୁ ନାହାନ୍ତି-। ଉତ୍ତର ଜୀବନପାଇଁ ସେ କିଛି କରିନାହାନ୍ତି । ଗଭୀର ଦୁଃଖରେ ସେ ବସି ରହିଲେ—ସତେ ଯେପରି ସେ ମୂକ, ପାଷାଣ ।

 

ହେମକାନ୍ତ ଉଠିଲେ ବିଦାୟ ନେଲେ । ଅଭିନେତ୍ରୀ ତାଙ୍କୁ ବିଦାୟ ଦେଲେ ।

 

ସେ ଆସୁଥିଲାବେଳେ ଭାବୁଥିଲେ, ଅଭିନେତ୍ରୀ ହେଲେ ବାହା କରିବାର ଆଉ ଦରକାର ପଡ଼ିବ ନି । ମନେ ମନେ ହସି ଉଠିଲେ ସେ । ଏଇମିତି ଚରିବୁଲି ସେମାନେ ଚଳିଯିବେ ।

 

ସେ ଦିନ ସନ୍ଧ୍ୟା ଆସିଯାଇଥିଲା । ରାଜପଥର ଲାଇଟ୍‍ଗୁଡ଼ିକ ମ୍ଳାନ ଆଉ ନିଷ୍ପ୍ରଭ ହୋଇ ଜଳି ଉଠିଥିଲେ ।

 

–ସାତ–

 

ହେମକାନ୍ତଙ୍କର ଚିନ୍ତାମୂଳକ ପ୍ରବନ୍ଧ ଏ ଦେଶରେ ଆଦର ପାଉଛି । ଅନେକ ସମୟରେ ଅଲ୍ ଇଣ୍ଡିଆ ରେଡ଼ିଓରୁ ସେ ବି ଡାକରା ପାଉଛନ୍ତି । ସେଥିପାଇଁ ସେ କିଛି କିଛି ପାରିଶ୍ରମିକ ମଧ୍ୟ ପାଉଛନ୍ତି ।

 

ବେତାରକେନ୍ଦ୍ର ସହିତ ହେମକାନ୍ତ ବେଶ୍ ପରିଚିତ ହୋଇଗଲେଣି । ବହୁ ସଙ୍ଗୀତଜ୍ଞ ଆଉ ଯନ୍ତ୍ରଶିଳ୍ପୀଙ୍କ ସହ ସେ ବେଶ୍ ମିଶି ପାରିଲେଣି ।

 

ଅଲ୍ ଇଣ୍ଡିଆ ରେଡ଼ିଓର ପ୍ରଥମ ଶ୍ରେଣୀ ଗାୟିକା ମାଳତୀ ନାଏକ ସହ ହେମକାନ୍ତଙ୍କର ପରିଚୟ ହେଲାଣି ।

 

ମାଳତୀର ବୟସ କୋଡ଼ିଏ ଖଣ୍ଡେ । ଭସାଣିଆଁ ଆଖି ଦୁଇଟିରେ ସୁନା ଫ୍ରେମ୍‌ର ଚଷମା । ଉଜ୍ଜ୍ୱଳ କଳା କେଶର ଝରଣାରେ ତା’ର ସତେ ଅବା ଢେଉ ଭାଙ୍ଗେ । ଗୌର କାନ୍ତି । ସାଧା ଚିକ୍କଣ ଦାନ୍ତ ।

 

ସେ ଦେଖନ୍ତି ମାଳତୀ ଗୀତ ଗାଆନ୍ତି । ପୁରୁଷ ଶିଳ୍ପୀଗଣ ତବଲା, ସୀତାର ଆଉ ବେହେଲା ବଜାନ୍ତି । ତାଙ୍କରି ମଝିରେ ବସି ସେ ତାଙ୍କ କଣ୍ଠର ମଧୁର ମୂର୍ଚ୍ଛନା ତୋଳନ୍ତି । କଣ୍ଠରେ ସେ ଝଂକାର ତୋଳିଲେ ପୁରୁଷ ଶିଳ୍ପୀଗଣ ବାଦ୍ୟଯନ୍ତ୍ରର ମନ ଦିଅନ୍ତି । ଗୀତ ଗାଇଲାବେଳେ ମାଳତୀଙ୍କର ସରୁ ହସ ଫୁଟେ । ଡାହଣା ଶିଳ୍ପୀଗଣ ସତେ ଅବା ସେଇ ହସକୁ ପିଇ ଯାଆନ୍ତି ।

 

ଦିନେ । ସେହି ରେଡ଼ିଓ ଷ୍ଟେସନ୍‌ରେ ତାଙ୍କ ସହ ହେମକାନ୍ତଙ୍କର କଥାବାର୍ତ୍ତା….. । ଏକ ବିଶେଷ ଉତ୍ସବପାଇଁ ରେଡ଼ିଓ କେନ୍ଦ୍ର ଗାଁଗହଳି କାର୍ଯ୍ୟକ୍ରମରେ ପାଲା ଓ ଦାସକାଠିଆ ପରିବେଷଣ କରୁଛନ୍ତି ।

 

ଦୁହେଁ ବସିଲେ । ହେମକାନ୍ତ କହିଲେ, ‘ଆପଣଙ୍କ ଗୀତ ଏ ଦେଶରେ ଚମକ ସୃଷ୍ଟି କରିଛି ମାଳତୀ ଦେବୀ ! ଯେତେବେଳେ ଆମେ ରେଡ଼ିଓ ଖୋଲି ବସୁ ଆପଣଙ୍କର ଆଧୁନିକ ସଙ୍ଗୀତ ନିହାତି ଉପଭୋଗ୍ୟ ହୋଇଉଠେ । ଆଉ ମୁଁ ଭାବୁଛି ଏଇ କେଇଟା ବର୍ଷ ଭିତରେ ଆମ ଚଳଚିତ୍ରର ବିକାଶ ଲାଭ ହେଲେ ଆପଣ ବୋଧହୁଏ ଶ୍ରେଷ୍ଠ ପୃଷ୍ଠଭୂମି ଗାୟିକା ହେବେ ।’

 

ମାଳତୀ ନିଜର ଉଚ୍ଛ୍ୱସିତ ପ୍ରଶଂସାରେ ଗୌରାବାନ୍ୱିତ ହୋଇଉଠିଲେ । ସେ ପୁଣି ପ୍ରଶ୍ନ ପଚାରିଲେ—ଆପଣଙ୍କର ଶିକ୍ଷାଗୁରୁ କିଏ ? କାହାଠାରୁ ଆପଣ ଏ ଚମତ୍କାର ସ୍ୱରଯୋଜନା ଶିକ୍ଷା କଲେ ।

 

ମାଳତୀ କହିଲେ, ‘ଏକଦା ସେ ଥିଲେ ମୋର ଶିକ୍ଷାଦାତା । ତାଙ୍କର ବ୍ୟକ୍ତିଗତ ଯତ୍ନରେ ତାଙ୍କରିଠାରୁ ମୁଁ ଉଚ୍ଚକୋଟିର ସଙ୍ଗୀତ ଶିକ୍ଷା କଲି । ତା’ ପରେ ହେଲେ ସେ ମୋର ସ୍ୱାମୀ । ଗତବର୍ଷ ତାଙ୍କ ସହିତ ମୋର ବିବାହ ହୋଇଯାଇଛି । ଆପଣ ନିଶ୍ଚୟ ଜାଣିଥିବେ ଏ ଦେଶର ବିଖ୍ୟାତ ସଙ୍ଗୀତଜ୍ଞ ଅମିତାଭ ସ୍ୱାଇଁଙ୍କୁ—ସେଇ ମୋର ସ୍ୱାମୀ ।

 

ସେ ଶୁଣିଥିଲେ । ଭାବିଲେ, ଓଃ ତା’ ହେଲେ ମାଳତୀ ବିବାହ କରିସାରିଲାଣି । ବର୍ତ୍ତମାନ ସେ ଯେପରିଭାବେ ପୁରୁଷ ଶିଳ୍ପୀଙ୍କ ଗହଣରେ ମିଳାମିଶା କରିପାରୁଛନ୍ତି, ଯେପରିଭାବେ ହସି ହସି ଗଡ଼ି ଯାଉଛନ୍ତି ସେଇଥିରୁ ସେ ମନେ କରିଥିଲେ ମାଳତୀ ବୋଧହୁଏ ବିବାହ କରି ନ ଥିବେ ବୋଲି । ପୁଣି ସେ ଭାବିଲେ, ବିବାହ କରି ମଧ୍ୟ ଏ ଦେଶର ନାରୀ, ସ୍ୱାମୀଙ୍କୁ ନିଜ ଦୃଷ୍ଟି ଅନ୍ତରାଳରେ ଛାଡ଼ିଦେଇ ଅନ୍ୟ ବେତାର ଶିଳ୍ପୀଙ୍କ ଗହଣରେ ବି ହସି ହସି ଆମୋଦପ୍ରମୋଦ କରିବାରେ ଟିକିଏ ହେଲେ ବ୍ୟତିକ୍ରମ କରୁନି । ଅଦ୍ଭୁତ ଏ ପୃଥିବୀ । ଅଦ୍ଭୁତ ଏ ମଣିଷର ସଂସାର । ଏଇମିତି ସେ ଭାବୁଛନ୍ତି ମାଳତୀ ଆପେ ଆପେ କହିଲେ, ‘ଆମର କଣ୍ଟ୍ରାକ୍‌ଟ ମ୍ୟାରେଜ୍ ହୋଇଛି ଆଗାମୀ ଚାରି ବର୍ଷ ପାଇଁ । ଚାରି ବର୍ଷରୁ ତିନି ବର୍ଷ ଇତି ମଧ୍ୟରେ ଯାଇ ସାରିଲାଣି । ଆଉ ଗୋଟିଏ ବର୍ଷ ଅଛି । ଏଇ ବର୍ଷଟି ପୂରିଗଲେ ଆମର ସର୍ତ୍ତ ସରିଯିବ ।’

 

ହେମକାନ୍ତ ଆହୁରି ଆଶ୍ଚର୍ଯ୍ୟ ହେଲେ । କଣ୍ଟ୍ରାକ୍‌ଟ ମ୍ୟାରେଜ୍ କଥା ସେ ଶୁଣିଥିଲେ । ଜାଣିଥିଲେ ସାଗର ସେ ପାରିର ମାଟିରେ ଏ ଧରଣର କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । କିନ୍ତୁ ତାରି ଏଇ ଦେଶର ମାଟିରେ ଏ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଗଲାଣି । ପୁଣି ତାଙ୍କର ମନେପଡ଼ିଲା ସତେ ତ ! ବର୍ଷକ ତଳେ ତାଙ୍କର ଦୈନିକ ସମ୍ବାଦ ପତ୍ରରେ ଏ ଦେଶରେ ଏ ଧରଣର ବିବାହ ସର୍ବ ପ୍ରଥମ ବୋଲି ପ୍ରକାଶିତ ହୋଇଥିଲା ।

 

ଏଇମିତି ଭାବି ଭାବି ହେମକାନ୍ତ ପ୍ରଶ୍ନ କଲେ, ‘ଗୋଟିଏ ବର୍ଷପରେ ତ ଆପଣଙ୍କର ବୈବାହିକ ଜୀବନର କାଳ ପୂରିଯିବ । ତା’ ପରେ ଆପଣ କ’ଣ କରିବେ ?’

 

ତାଙ୍କର ଇଚ୍ଛା ହେଉଥିଲା ସେ କହିଦେବେ ଆଉ ଗୋଟିଏ ଧରିନେବେ ବୋଲି । କିନ୍ତୁ ଭଦ୍ରତା ଓ ଶାଳୀନତା ଦୃଷ୍ଟିରୁ ସେ ତାହା କହିବାକୁ ଯାଇ କହିପାରିଲେନି ।

 

ପ୍ରଶ୍ନଟାକୁ ବିଶେଷ ଗୁରୁତ୍ୱ ନ ଦେଇ ଧାଡ଼ି ସଫା ଦାନ୍ତରେ ହସ ତାଙ୍କର ଉକୁଟି ଉଠିଲା-। ସେ କହିଲେ, ‘ଯଦି ଇଚ୍ଛା ହୁଏ ହୁଏତ ମ୍ୟାରେଜ୍ ପିରିଅଡ଼କୁ ଏକଷ୍ଟେଣ୍ଡ କରିଦେବୁଁ-।’

 

ହେମକାନ୍ତ ଆହୁରି ଆଶ୍ଚର୍ଯ୍ୟ ହେଲେ । କି ବାତାବରଣ ସୃଷ୍ଟି ହୋଇଛି ଏ ଦେଶରେ ! ବିବାହର ଦ୍ୱାହି ଦେଇ, ସ୍ୱାମୀ ହିସାବରେ ଜଣକୁ ଗ୍ରହଣ କରି ପୁଣି ତାଙ୍କୁ ଗୋଟିଏ ବର୍ଷ ପରେ ଛାଡ଼ କରିବେ । ତାଙ୍କର ଆଖି ଆଗରେ ସେ ଆଉ ଜଣକୁ ବି ସ୍ୱାମୀରୂପେ ଗ୍ରହଣ କରିବେ । ତା’ ପରେ ଏଇମିତି ଚାଲିବ ଗୋଟିକ ପରେ ଗୋଟିଏ ଛାଡ଼… ଗୋଟିଏ ଗ୍ରହଣ… ଖୁବ୍ ଜୋର୍‌ରେ ହସି ଉଠିଲେ ସେ କଥାବାର୍ତ୍ତା ସରିଲା ।

 

ସେ ଫେରିଲେ ନିଜ ବସାକୁ । ବସାକୁ ଫେରୁଥିଲାବେଳେ ଭାବୁଥିଲେ ବେତାରଶିଳ୍ପୀ ମାଳତୀ ନାଏକଙ୍କ ଅଦ୍ଭୁତ ଜୀବନ କାହାଣୀ କଥା ।

 

–ଆଠ–

 

ଦୁଇଟି ବର୍ଷ ଇତି ମଧ୍ୟରେ ଯାଇସାରିଲାଣି……

 

ହେମକାନ୍ତ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ହିସାବରେ ପରିଗଣିତ ହେଲେଣି । ଦିନେ । ସହରର ଛାତିରେ ସଞ୍ଜ ନଇଁ ଆସିଛି । ରାସ୍ତାଘାଟ ଆଉ ସହରର ଦୁଇ ପାର୍ଶ୍ୱର ଦୋକାନରେ ଲାଇଟ୍ ଜଳି ଉଠିଲାଣି । ସେ ଫେରୁଛନ୍ତି ଏର ସଭାରୁ । ଏ ଦେଶର ଜଣେ ବିଶିଷ୍ଟ ଜନନାୟକଙ୍କର ମୃତ୍ୟୁବାର୍ଷିକୀ ସଭାରୁ ଫେରୁଛନ୍ତି ସେ, ହାତରେ ତାଙ୍କର ସମ୍ବାଦିକତାର ରିପୋର୍ଟ ଫାଇଲ୍‌ ।

 

ଚାଲି ଚାଲି ଆସୁଛନ୍ତି ସେ ।

 

କେତକୀ ରାୟସହରରେ ଚାଲି ଚାଲି ଯାଉଛନ୍ତି । ରାସ୍ତାକଡ଼ର ପ୍ରତ୍ୟେକ ଦୋକାନକୁ ସେ ନିରୀକ୍ଷଣ କରି ଚାଲିଛନ୍ତି ।

 

କେତକୀ ରାୟ—ଦୁଇ ବର୍ଷତଳର ଛପିଛପିକା ସ୍ମୃତି ହେମକାନ୍ତଙ୍କର ମନ ତଳେ ପୁଣି ଚେଇଁ ଉଠିଲା । ସେ ଭାବିଲେ, ଚାଲିଯିବେ ତାଙ୍କ ବାଟରେ—କାହିଁକି ତାକୁ ଦେଖା କରିବେ ? କିନ୍ତୁ ଅତୀତର ସେଇ ଶାନ୍ତ ଶିକ୍ଷାନୁଷ୍ଠାନ—ତା’ର ଶହ ଶହ ଅପରିପକ୍ୱ କିଶୋର ଛାତ୍ର—ସର୍ବୋପରି କେତକୀ ରାୟ—ମନ ଭିତରେ ତାଙ୍କର ଅତୀତର ମଧୁ ସ୍ମୃତି ଜଳ ଜଳ ହୋଇ ଦେଖାଦେଲା ।

 

ହେମକାନ୍ତଙ୍କର ପଦକ୍ଷେପ ଧୀର ହେଲା । ତାଙ୍କୁ ସେ ଦେଖିଲେ । କେତକୀ ଠିଆ ହେଲେ । ତାଙ୍କୁ ନମସ୍କାର ଜଣାଇଲେ । ରାସ୍ତା ମଝିରୁ ଯାଇ ଆସ୍ତେ ଆସ୍ତେ ରାସ୍ତାକଡ଼ରେ ଠିଆହେଲେ ।

 

ହେମକାନ୍ତ ସ୍ୱାଭାବିକ ଭାବରେ ଟିକିଏ ହସି କହିଲେ, ‘କେମିତି ଅଛନ୍ତି କେତକୀ ଦେବୀ-? ସ୍କୁଲ କେମିତି ଚାଲୁଛି ?’

 

କେତକୀ କହିଲେ, ‘ହଁ, ଭଲ ଚାଲୁଛି । ଏଥର ସରକାର ନିଜ ହାତକୁ ସ୍କୁଲଟିକୁ ନେଲେ-। ମୁଁ ଏଥର ବି.ଇଡ଼ି. ଟ୍ରେନିଂକୁ ଆସିଲି, ଟ୍ରେନିଂ ସରିଗଲେ ବାଳିକା ହାଇସ୍କୁଲଟିଏ ଦେଖି କେଉଁଠି ରହିବି ।’

 

ଏଇମିତି କଥାବାର୍ତ୍ତା କରି ସେମାନେ ଚାଲିଛନ୍ତି । ସହରର ପାର୍କ ପାଖରେ ସେମାନେ ପହଞ୍ଚିଲେ । ବସିଲେ ।

 

କେତକୀ ତା’ପରେ ଆରମ୍ଭ କଲେ, ‘ଆପଣ ଏମିତି ନିଷ୍ଠୁର ହେମକାନ୍ତ ବାବୁ ! ମୁଁ ଏ କଥା କେବେ ଜାଣି ନ ଥିଲି । ଅନେକ ସମୟରେ ଆପଣଙ୍କ ହାବଭାବକୁ ଦେଖି, ମୋ ମନରେ କି ଧାରଣା ଜାଗେ ଜାଣନ୍ତି ଆପଣ ? ମୁଁ ଭାବେ ଆପଣ ଜଣେ ସ୍ନେହ ମମତା ଆଉ ମାୟାବନ୍ଧନହୀନ ମଣିଷ । ମନସ୍ତତ୍ତ୍ୱ କହେ, ଜଣେ ଜଣକୁ ସ୍ନେହ କଲେ, ଆଦର କଲେ, ଆର ଜଣକ ହୃଦୟ ସେଇ ଭାବରେ ପୂର୍ଣ୍ଣ ହୁଏ । ମୁଁ ତେଣୁ ଜାଣୁଛି ହେମକାନ୍ତ ବାବୁ, ସାଧାରଣ ମଣିଷର ହାବଭାବ ସହିତ ଆପଣଙ୍କର କୌଣସି ସାମଞ୍ଜସ୍ୟ ନାହିଁ । ସୁତରାଂ ଆପଣ ନିଷ୍ଠୁର ବଦଳରେ ଅନ୍ୟ କିଛି ବି କୁହାଯାଇ ପାରନ୍ତି ।’

 

ହେମକାନ୍ତ ସବୁ ଶୁଣିଲେ । ହସି ହସି କହିଲେ, ‘କାହିଁକି ଯେ ଆପଣଙ୍କର ଏତେ ଅଭିମାନ ଆଉ ମୋ ବିରୁଦ୍ଧରେ ଏତେ ଅଭିଯୋଗ ମୁଁ କିଛି ବୁଝିପାରୁନି । ମତେ ପରିଷ୍କାରଭାବେ ଏକ ନିର୍ଦ୍ଦିଷ୍ଟ ଘଟଣା ଉପରେ ମୋ କାର୍ଯ୍ୟକଳାପର ଏକ ନମୁନା ଦେଲେ, ମୁଁ ହୁଏତ ନିଷ୍ଠୁର ବା ଅନ୍ୟ ନାମରେ ଯାହା କୁହାଯାଇ ପାରିବି । ମୋ ଉପରେ, ମୋ ନିଃସହାୟ ପୁରୁଷ ଉପରେ ଆଉ ରାଗନ୍ତୁ ନି କେତକୀ ଦେବୀ, ଯାହା କହିବାର ଅଛି କହନ୍ତୁ ।’

 

କେତକୀଙ୍କର କଣ୍ଠ ଟିକିଏ ଆର୍ଦ୍ର ହୋଇଆସିଲା । କଣ୍ଠରେ ଆର୍ଦ୍ରତା ଦେଇ ସେ କହିଲେ, ‘ଆପଣଙ୍କର ମନେପଡ଼େନି ଗୋଟିଏ ବର୍ଷର ସ୍ମୃତି ? ଏତେ ଭୁଲା ମନ ଆପଣଙ୍କର ? ମୋ ଚିଠିର ଉତ୍ତର ଆପଣ ଦେଇଥିଲେ ? ଖଣ୍ଡେ ନୁହେଁ, ମୋର ମନେଅଛି, ଆପଣଙ୍କ ପାଖକୁ ଦୁଇଖଣ୍ଡ ଚିଠି ଲେଖିଛି—କିନ୍ତୁ ହାୟ, ଆପଣ କେଡ଼େ ନିଠୁର—ନିର୍ମମ !’

 

ହେମକାନ୍ତ ଭାବିଲେ, ସେ ଇଚ୍ଛା କରିଥିଲେ ତାଙ୍କ ପାଖକୁ ସେ ଚିଠି ଲେଖି ପାରିଥାନ୍ତେ-। ଅବିବାହିତ ଜୀବନର ସଂଚିତ ସ୍ୱପ୍ନ ଓ ଆବେଗକୁ ସେଥିରେ ସେ ରୂପ ଦେଇଥାନ୍ତେ-। କେତକୀର ଭାଷାଠାରୁ, ଶୈଳୀଠାରୁ ଆହୁରି ପ୍ରଭାବଶାଳୀ ଭଙ୍ଗୀରେ ସେ ବି ଲେଖିପାରିଥାନ୍ତେ-। କିନ୍ତୁ ସେ କରି ପାରିନାହାନ୍ତି ।

 

ଟିକିଏ ରହି ସେ କହିଲେ, ‘ଶୁଣନ୍ତୁ, ଏଠିକି ଚାଲିଆସିବା ପରେ ମୋର କାମ ବହୁତ ବଢ଼ିଯାଇଛି । ଆପଣ ବିଶ୍ୱାସ କରିବେନି, ସକାଳ ସାତରୁ ମୁଁ ଆସିଛି ଆଉ ବସାକୁ ଫେରିନି, ହେଇ ଆସି ସାତ ବାଜିଲା । ଏତେ କାମ ଆଉ ଏତେ ଦାୟିତ୍ୱ ଦୃଷ୍ଟିରୁ ମୁଁ ଟିକେ ହେଲେ ଫୁରସତ୍ ପାଇ ନଥିଲି । ତା’ଛଡ଼ା ମୁଁ ବଡ଼ ଭୁଲା ଲୋକ । ଆପଣଙ୍କ ଚିଠିର ଉତ୍ତର ଦେଇପାରିନି । ନଚେତ୍ ଆପଣ ମୋର ପରିଷ୍କାର ମନେ ଅଛନ୍ତି ।’

 

କେତକୀ ଶୁଣିଲେ । ତାଙ୍କର ଶୁଷ୍କ ଆଉ ଟାଙ୍ଗର ମନର ଭୂଇଁରେ ସତେ ଯେମିତି ଅଦ୍ୟ ଆଷାଢ଼ର ବାରିପାତ ହେଲା ।

 

ସେ କହିଲେ, ‘ହେଉ, ଆପଣ ତ ଏଠି ଅଛନ୍ତି, ପ୍ରାୟ ଅନେକ ସମୟରେ ଦେଖା ହେବ-। ମୁଁ ଆସୁଛି ।’

 

ସେ ଯିବାକୁ ଉଦ୍ୟତ ହେଉଛନ୍ତି କେତକୀ ପରାରିଲେ,ବସା କେଉଁଠି ଆପଣଙ୍କର ?’

 

ସେ କହିଲେ, ‘ବସାଟିଏ ସିନା ନେଇଛି, ଆପଣ ସେଠି କେତେବେଳେ ହେଲେ ପାଇବେନି । ରବିବାର ବ୍ୟତୀତ ଆପଣ ଯେଉଁଦିନ ଯିବେ, କେବେ ମତେ ପାଇବେନି । ନିଶ୍ଚୟ ଫେରିବେ ।’

 

କେତକୀ କହିଲେ, ‘ହେଉ କାଲି ତ ରବିବାର । ସକାଳୁ ଆପଣଙ୍କ ବସାକୁ ମୁଁ ଯିବି ।’

 

ସେ ବଡ଼ ଅଡ଼ୁଆରେ ପଡ଼ିଲେ । ତା’ପରେ ଟିକିଏ ଭାବି କହିଲେ, ‘କାଲି ସକାଳେ ମୁଁ ରହିବିନି । ସକାଳ ଆଠଟାରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରିଛନ୍ତି । ତେଣୁ ସେଠାକୁ ମତେ ଯିବାକୁଇ ହେବ ।’

 

କେତକୀ କହିଲେ, ‘ତା’ ହେଲେ ମୁଁ ସଂଧ୍ୟାବେଳେ ଯିବି । ଆପଣ ନିଶ୍ଚୟ ଥିବେ । ଆପଣଙ୍କ ବସା ପାରିକୁଦ ରାଜାଙ୍କ କୋଠି ପାଖରେ ତ ?’

 

ସେ ବାଧ୍ୟ ହୋଇ ହଁ ଭରିଲେ ।

 

ପୁଣି ଉଭୟଯାକ ମାମୁଲି ଭଙ୍ଗୀରେ ନମସ୍କାର ହୋଇ ସେ ଦିନ ବିଦାୟ ନେଲେ….. ସେ ଆସୁଥାନ୍ତି । ଆସିଲାବେଳେ ଭାବୁଛନ୍ତି, ୟା’ରି ଭିତରେ ଦୁଇଟି ବର୍ଷ ଗଡ଼ିଗଲାଣି । ଏଇ ଦୁଇବର୍ଷ ଭିତରେ ଦୁନିଆଁରେ କେତେ ଓଲଟପଲଟ ନ ହୋଇଛି ? ଆକାଶରେ ରକେଟ୍ ଉଡ଼ିଲାଣି-। ତୃତୀୟ ମହାଯୁଦ୍ଧର ବିଭୀଷିକା ତୃତୀୟଥର ପାଇଁ ମଉଳି ଆସିଲାଣି । ଏତେ ଏଲଟପାଲଟ ଆଉ ଏତେ ପରିବର୍ତ୍ତନ ସତ୍ତ୍ୱେ ଓ କେତକୀର ମନରେ କିଛିହେଲେ ପରିବର୍ତ୍ତନ ହୋଇନି । ସେ ବାହା ହୋଇନି ।

 

ପୁଣି ସେ ଭାବିଲେ, ଏଇ ଦୁଇବର୍ଷ ଭିତରେ ବରପାତ୍ର କ’ଣ ତାକୁ କେଉଁଠୁ ମିଳିଲାନି ? ସେ ଚେଷ୍ଟା କରିଥିଲେ ତାକୁ ବରପାତ୍ର ନିଶ୍ଚୟ ମିଳିଥାନ୍ତେ । ବିବାହ କରିସାରିଥିଲେ ମା’ ହେବାର ସୌଭାଗ୍ୟ ଏତେବେଳକୁ ବି ତା’ର ଜୁଟି ସାରନ୍ତାଣି । କାହିଁକି ସେ ବାହା ହେଉନି ? କି ଉଦ୍ଦେଶ୍ୟ ତା’ର ଅଛି ?

 

ତାଙ୍କର ମନେପଡ଼ିଲା କେତକୀ କେଡ଼େ ନିର୍ଲ୍ଲଜ । ସେ ଚିଠି ଦେଇନାହାନ୍ତି ବୋଲି ରୋକ୍ ଠୋକ୍ ସେ କହିଦେଲା ନିଷ୍ଠୁର ବୋଲି । ସବୁ ପ୍ରେମିକା ତା’ ହେଲେ, ପ୍ରେମିକର ଟିକିଏ ଅବହେଳା ଦେଖୁଥିଲେ ଏଇମିତି ସେମାନଙ୍କୁ କହୁଥିବେ ବୋଧେ ନିଷ୍ଠୁର ବୋଲି ! ସେ ଭାବିଲେ ସେ ତ ଗୋରୁ ମାରି ନାହାନ୍ତି —ମଣିଷକୁ ହାଣି ଦେଇ ନାହାନ୍ତି—ଅନ୍ୟ ଜଣେ ଦୁଃଖରେ କାନ୍ଦୁଥିଲେ, ତାକୁ ତ ସେ ଥଟ୍ଟା ଆଉ ପରିହାସ କରି ନାହାନ୍ତି । ତେଣୁ କିପରି ସେ ନିଷ୍ଠୁର ହେଲେ-?

 

ସେ ତ ତା’ର ପ୍ରେମିକ ନୁହନ୍ତି । ଦିନେ ହେଲେ ପ୍ରେମ, ପ୍ରଣୟ ଆଉ ଭଲ ପାଇବାର ଜାଲ ଭିତରେ ସେ ତାକୁ ଧରି ନାହାନ୍ତି । ତେଣୁ କାହିଁକି ସେ ତାଙ୍କୁ ଏଇମିତି ପଦେ କହିଲା ?

 

ସେ ସତେ କେଡ଼େ ଭୟଙ୍କର ନିର୍ଲ୍ଲଜ । ବସା ଖୋଜି ଖୋଜି ତାଙ୍କ ସହିତ ଆଳାପ–ଆଲୋଚନାର ସୁଅ ବୁହାଇଦେବାକୁ ପୁଣି ତାର ଇଚ୍ଛା । ଯେଉଁ ଶିକାର ଭିତରୁ ଦିନେ କୌଶଳକ୍ରମେ ଖସିଆସି ଏଇଠାରେ ଜୀବକାନିର୍ବାହର ବାଟ ଧରିଲେ, ସେଇ ସ୍ଥାନକୁ ଖୋଜି ଖୋଜି, ସେ ପୁଣି ଆସୁଛି । କାହିଁକି ଯିବ ସେ ତାଙ୍କ ବସାକୁ ?

 

ଏତିକି ଭାବି ପୁଣି ମନେ ମନେ ହସିଉଠିଲେ ସେ । ବସା ତାଙ୍କର ନିକଟ ହୋଇଆସିଲା ।

 

ତା’ ପରଦିନ ସନ୍ଧ୍ୟା…….

 

ସେ ତାଙ୍କ ନିଜ ରୁମ୍‌ର ଟେବୁଲ୍ ଉପରେ ଝୁଙ୍କିପଡ଼ି ମୁଖ୍ୟମନ୍ତ୍ରୀଙ୍କ ଭାଷଣର କପିକୁ ପେୟାର କରିବାରେ ଲାଗିଛନ୍ତି । କାଲି ପତ୍ରିକାକୁ ଛାପିବାକୁ ଦେବେ ।

 

ମନେପଡ଼ିଲା ତାଙ୍କର—କେତକୀ ଆସିବାପାଇଁ କହିଛି—ହୁଏତ ଆସିପାରେ, ଭାବିଲେ ସେଇଟା ନ ଆସନ୍ତା କି ? ରବିବାର ସନ୍ଧ୍ୟାବେଳେ ଲେଖାଲେଖିରେ କଟନ୍ତା ।

 

ଭାଷଣଟିକୁ ସେ ଉତାରିବାରେ ଲାଗିଛନ୍ତି ।

 

ଆକାଶରେ ଶ୍ରାବଣ ମେଘର ଗର୍ଜ୍ଜନ । ରହି ରହି ବିଜୁଳି ମାରୁଛି । ପବନ ବି କ୍ଷିପ୍ରଗତିରେ ବହୁଛି ।

 

ହେମକାନ୍ତ ଲେଖି ଚାଲିଛନ୍ତି ।

 

ଭାଷଣଟିକୁ ସମ୍ପୂର୍ଣ୍ଣରୂପେ ଉତାରି ସେ ବାହାରକୁ ଆସି ଚାହିଁଲେ, ଦେଖିଲେ ଟୁପୁ ଟୁପୁ ହୋଇ ବର୍ଷା ପଡ଼ିଲାଣି । ଆକାଶରେ କଳାଭଅଁରିଆ ମେଘ ପହଁରି ପହଁରି ବୁଲୁଛି । ସେ ଭାବିଲେ, ଖୁବ୍ ଜୋରରେ ବର୍ଷାଟା ଢାଳନ୍ତା କି । ହୁଏତ ଶ୍ରାବଣର ଏଇ ବୃଷ୍ଟିମୁଖର ସନ୍ଧ୍ୟାରେ କେତକୀ ଆଉ ଆସିପାରନ୍ତା ନାହିଁ ।

 

ଏଇମିତି ବସି ସେ ଭାବୁଛନ୍ତି ।

 

ପ୍ରବନ୍ଧଟିଏ ଲେଖିବାପାଇଁ ସେ ପ୍ରସ୍ତୁତ ହେଲେ । ଲେଖା ଆରମ୍ଭ କଲେ । ବାହାରେ ପ୍ରବଳ ବେଗରେ ବୃଷ୍ଟିପାତ ହେଲା । ପବନ ପିଟିଲା, ନିଜ ବସାଘରର ଝରକାଗୁଡ଼ିକ ପବନର ତୋଡ଼ରେ ବାଡ଼େଇହୋଇ ଯାଉଥାନ୍ତି । ଘରର ଛାତ ଆସବେଷ୍ଟ ହୋଇଥିବାରୁ ବୃଷ୍ଟିପାତର ଗୁରୁ ଗୁରୁ ଧ୍ୱନିରେ ସେ ଲେଖା ଲେଖି ଛାଡ଼ିଦେଇ ଗୁମ୍‌ ହୋଇ ସେଠାରେ ବସି ପଡ଼ିଲେ ।

 

ଭାବିଲେ ଯାହାହେଉ କେତକୀ ଆଉ ଆସି ପାରିବନି । ଏଇମିତି ବସିଛନ୍ତି ଭାବୁଛନ୍ତି । ତାଙ୍କ ଦୁଆର କବାଟରେ କେହି ଜଣେ ବାଡ଼ାଉଥିବାର ଆୱାଜ ହେଲା । ସେ ଶୁଣିଲେ । ପୁଣି ଶୁଣିଲେ । ତୃତୀୟ ଥରକୁ ଉଠିଲେ । ଭାବିଲେ, ଶ୍ରାବଣର ଏଇ ବୃଷ୍ଟିମୁଖର ସଂଧ୍ୟାରେ ମୁହଁକୁ ମୁହଁ ଯେଉଁଠି ଦିଶୁନି, ସେଇ ଅବସ୍ଥାରେ କିଏ ଆସି ତାଙ୍କୁ ଡାକୁଛି ? ଭାବିଲେ, କେତକୀ ଆସିଲା କି ଆଉ ! ନାଇଁ—ଟ୍ରେନିଂ କଲେଜର ମହିଳା ଛାତ୍ରବାସକୁ ଛାଡ଼ି ଏତେ ମେଘରେ ସେ ଆସିବାକୁ କେବେ ସାହସ କରିବନି ।

 

ସେ କବାଟ ଖୋଲିଲେ ।

 

ଅଧାତିନ୍ତା ଅବସ୍ଥାରେ ତାଙ୍କ ଘର ଭିତରକୁ ପଶି ଆସିଲେ କେତକୀ । ରିକ୍‌ସାବାଲା ବିଚରା ସେଇ ବର୍ଷାରେ ଚାଲିଗଲା । କବାଟ ଦେଇ ଘର ଭିତରକୁ ପଶି ଆସିଲେ ହେମକାନ୍ତ ।

 

ସେ କହିଲେ, ‘ଏତେ ମେଘରେ ଆଉ ଅନ୍ଧାରରେ ଆଜି କ’ଣ ନ ଆସିଥିଲେ ଚଳି ନଥାନ୍ତା କେତକୀ ଦେବୀ ? ବର୍ଷାଟାରେ ତିନ୍ତିବୁଡ଼ି କାହିଁକି ଯେ ଆସିଲେ, କିଛି ଜାଣିପାରୁନି । କାଲି ଆସିଥିଲେ କ’ଣ ଚଳି ନ ଥାନ୍ତା ?’

 

କେତକୀ କିଛି କହିଲେନି । ଅଧାଭିଜା ଲୁଗାଟାକୁ ଚିପୁଡ଼ି ସାରି ଗୋଟିଏ ଷ୍ଟୁଲ ଉପରେ ବସିପଡ଼ିଲେ ।

 

ସେ କହିଲେ, ‘ଭିଜା ଲୁଗାଟା କାହିଁକି ପିନ୍ଧିଛନ୍ତି ? ଏଇ ମୋ ଧୋତିରୁ ଖଣ୍ଡେ ନେଇ ପିନ୍ଧି ପକାନ୍ତୁ ।’

 

କେତକୀ କହିଲେ, ‘ନାଇଁ ମୁଁ ତ ଏଇନେ ଚାଲିଯିବି । ଆପଣଙ୍କ ପିନ୍ଧା ଧୋତି ମୁଁ କାହିଁକି ପିନ୍ଧିବି ?’

 

ଦୁହେଁ ବସିଲେ । ସେ ନିଜେ ଷ୍ଟୋଭ୍‌ରେ ଚା ପ୍ରସ୍ତୁତ କଲେ । ପ୍ରସ୍ତୁତ କରୁଛନ୍ତି କହିଲେ, ‘ମୁଁ ହୋଟେଲରେ ଖାଏଁ କେତକୀ ଦେବୀ ! ଯେତେବେଳେ ନିଜେ ପାରେଁ ସେତେବେଳେ ଏଇ ଷ୍ଟୋଭ୍ ରେ ଚା’ ପ୍ରସ୍ତୁତ କରେ ।’

 

କେତକୀ ଆଉ କିଛି ଉତ୍ତର ଦେଲେନି । ନୀରବରେ ଦୁହେଁ ବସିପଡ଼ିଲେ ।

 

ବାହାରେ ବୃଷ୍ଟି ଆଉ ତୋଫାନ…

 

ବିଜୁଳି ଆଉ ଘଡ଼ଘଡ଼ିର କମ୍ପନ..…

 

ହେମକାନ୍ତ କହିଲେ, ‘କ’ଣ’ ଆଉ ଖବର କେତକୀ ଦେବୀ, କହନ୍ତୁ । ଏଇମିତି ବର୍ଷା ପାଗଟାରେ ଆସିଲେ ଯେ ।’

 

କେତକୀ କହିଲେ, ‘ଆସିଛି କିଛି ଗୋଟେ ନିଷ୍ପତ୍ତି କରିବାକୁ । କହନ୍ତୁ ହେମକାନ୍ତ ବାବୁ ଆପଣ’ଙ୍କର କ’ଣ ଇଚ୍ଛା ? ଆପଣ ଜାଣି ନାହାନ୍ତି କାହାପାଇଁ ମୁଁ ଆଜିଯାଏ ବାହା ହୋଇନି । ଆଜି ଏଇ ଘୋର ବର୍ଷା ରାତିରେ ସତ କରି କହୁଛି ହେମକାନ୍ତ ବାବୁ, ମୁଁ ଚାହେଁ ଆପଣଙ୍କୁ ନେଇ ମୁଁ ମୋ ସୁନାର ସଂସାର ପାତିବାକୁ । ମତେ ନେଇ ଆପଣ ଯଦି ସଂସାର କରିବାକୁ ନାରାଜ, ତା’ ହେଲେ ମତେ ଆଜି ପରିଷ୍କାର କହନ୍ତୁ । ନଚେତ୍ ମୁଁ ମୋ ବାଟ ଦେଖିବି । କେବଳ ଏକ ଚରମ ନିଷ୍ପତ୍ତିପାଇଁ ସବୁ ଝଡ଼ ବର୍ଷାକୁ ପଛରେ ପକାଇ ଆପଣଙ୍କ ପାଖକୁ ମୁଁ ଆସିଛି । ମତେ କଥା ଦେଉନ୍ତୁ ।’

 

ସେ ନୀରବ ହୋଇ କିଛି କାଳ ବସିପଡ଼ିଲେ । ଟିକିଏ ଭାବି କହିଲେ, ‘କେତକୀ ଦେବୀ-! ବିବାହ କରିବାର ବୟସ ଆପଣଙ୍କର ସମ୍ପୂର୍ଣ୍ଣ ଆସିଯାଇଛି । କିନ୍ତୁ ମୋ ଉପରେ ଆଶା ବା ବିଶ୍ୱାସ ରଖି ଆପଣ ରହନ୍ତୁ ନାହିଁ । ମୁଁ ବିବାହ କରିବି କି ନାହିଁ ଏପର୍ଯ୍ୟନ୍ତ ସମାଧାନ କରିନି । ସମାଧାନ କରୁ କରୁ ପୁଣି ଯେ କେତେ ବର୍ଷ ଗଡ଼ିଯିବ ତା’ର ଠିକଣା ନାହିଁ । ଆପଣ ବିବାହ କରନ୍ତି-। ମୋଭଳି ଏକ ସୃଷ୍ଟିଛଡ଼ା ଉପରେ ନିର୍ଭର କରି ରହନ୍ତୁନି । ବିବାହ କରନ୍ତୁ । ଜୀବନର ସ୍ୱାଦ ଚାଖନ୍ତୁ-। ଦାମ୍ପତ୍ୟ–ଜୀବନର ସବୁ ସୁଖସମ୍ଭୋଗ ଆପଣ ଉପଭୋଗ କରନ୍ତୁ । ଆଉ ମତେ କ୍ଷମା କରନ୍ତୁ-।’

 

କେତକୀର ଆଖିରେ ଲୁହ ।

 

ସେ ନିରାଶ ହୋଇଛି । ବାହାରେ ଅବିରାମ ଗତିରେ ବର୍ଷା କୁଟୁଛି । ସେ ଆଉ କିଛି କହିପାରିଲାନି । ଭଙ୍ଗ ମନ ନେଇ କେତକୀ ସେଇ ବର୍ଷା ରାତିରେ ଟ୍ରେନିଂ କଲେଜର ହଷ୍ଟେଲ୍‌କୁ ଫେରିଲା । ହେମକାନ୍ତ ତାଙ୍କୁ ବିଦାୟ ଦେଲେ ।

 

କେତକୀର ଲୁହଛଳଛଳ ଆଖି ତାଙ୍କ ମନ ଉପରେ କୌଣସି ପ୍ରଭାବ ବା ପ୍ରତିକ୍ରିୟା ପକାଇ ପାରିଲାନି । ସେ କବାଟ ବନ୍ଦ କରି ଘର ଭିରତକୁ ଗଲେ । ଭାବିଲେ, କେତକୀ ପୁଣି ଥରେ ଆସିଥିଲା ଶିକାରୀ ସାଜି । ଶିକାର ପାଇଲାନି । ଫେରିଗଲା ।

 

ପୁଣି ଭାବିଲେ, ଏଇମାନଙ୍କୁ ଟିକେ ଲାଜ ଲାଗେନି । ଜଣେ ପୁରୁଷକୁ ସ୍ୱାମୀରୂପେ ଗ୍ରହଣ କରିବାକୁ ଏମାନେ କିପରି ଆପେ ଆପେ ଜିଦ୍ ଧରି ବସନ୍ତି !

 

ହେମକାନ୍ତ ହସି ଉଠିଲେ ।

 

–ନଅ–

 

ଦିନେ ।

 

ସେ ଦିନ ଥିଲା ଅଗଷ୍ଟ ପନ୍ଦର, ଭାରତର ଜାତୀୟ ଉତ୍ସବ । ଦିନତମାମ୍ ବୁଲି ବୁଲି ସ୍ୱାଧୀନତା ଉତ୍ସବପାଇଁ ବହୁ ଅନୁଷ୍ଠାନରେ ଯୋଗଦାନ କରି ଏବେ କ୍ଳାନ୍ତ ମନ ଓ ଦେହ ନେଇ ସେ ଫେରିଆସୁଛନ୍ତି ବସାକୁ । ସେତେବେଳକୁ ସନ୍ଧ୍ୟା ଆସିଯାଇଛି ।

 

ତାଙ୍କ ବସାକୁ ଲାଗି ଡକ୍ଟର କୁଞ୍ଜବିହାରୀ ମଲ୍ଲିକଙ୍କ ଘର । ମେଡିକାଲ କଲେଜର ଅଧ୍ୟାପକ । ଏବେ ନୂଆ ହୋଇ ବିଲାତରୁ ଫେରିଛନ୍ତି । ଡକ୍‌ଟରେଟ୍ ଉପାଧି ଆଣିଛନ୍ତି । କୁଞ୍ଜବାବୁ ନୂଆ କରି ବୋଧେ ବିବାହ କରିଛନ୍ତି । ସସ୍ତ୍ରୀକ ନିଜ ବସାରେ ରହୁଛନ୍ତି । ସୁନ୍ଦର ପରିପୁଷ୍ଟ ସ୍ୱାସ୍ଥ୍ୟ । ଉପଯୁକ୍ତ ସ୍ତ୍ରୀ ସେ ପାଇଛନ୍ତି । ଦିନରାତି ହସି ହସି ଦାମ୍ପତ୍ୟ—ଜୀବନର ସବୁ ସ୍ୱାଦ ସେ ଆସ୍ୱାଦନ କରୁଛନ୍ତି ।

 

ସେ ଦିନ ହେମକାନ୍ତ ଝରକା ଦେଇ ବାହାରକୁ ଚାହିଁଛନ୍ତି, ତାଙ୍କର ଦୃଷ୍ଟିପଥରେ ପଡ଼ିଲେ ଡକ୍‌ଟର ମଲ୍ଲିକ ଆଉ ତାଙ୍କର ନବବିବାହିତା ପତ୍ନୀ । ନୀଳ ବିଦ୍ୟୁତ୍ ଆଲୋକ ଘରେ ତାଙ୍କର ଜଳୁଛି । ବିଜୁଳି ପଙ୍ଖାର ଘର ଘର ଧ୍ୱନି ଝରକା ଦେଇ ତାଙ୍କୁ ବି ଶୁଣାଯାଉଛି । ରେଡ଼ିଓ ବାଜୁଛି । ସ୍ୱାମୀ ସ୍ତ୍ରୀ ହସି ହସି ଗଡ଼ି ଯାଉଛନ୍ତି । କେତେବେଳେ ପଲଙ୍କର ବାଡ଼ା ଧରି ତାଙ୍କ ସ୍ତ୍ରୀ ଠିଆ ହେଉଛନ୍ତି, ଆଉ ବେଳେ ବେଳେ ସ୍ୱାମୀଙ୍କ ଉପରେ ଆଉଜି ପଡ଼ୁଛନ୍ତି । ସ୍ୱାମୀ କେତେବେଳେ ତାଙ୍କର ହାତକୁ ଧରୁଛନ୍ତି, ଆଉ କେତେବେଳେ ଅବା ତାଙ୍କ ଗାଲକୁ ଟିପି ଦେଉଛନ୍ତି ।

 

ସେଇ ଦୃଶ୍ୟରେ ତାଙ୍କର ଶାୟିତ ପୁରୁଷକାର ପଞ୍ଝା ଝାଡ଼ି ଜାଗି ଉଠିଲା । ଡାହାଣୀଙ୍କପରି ଝରକାର ଏପଟେ ସେପଟେ ହୋଇ ସେ ଚାହିଁ ରହିଲେ ।

 

ଶେଷକୁ ଆଉ ସେ ଚାହିଁ ପାରିଲେନି । ବଡ଼ ଅସହିଷ୍ଣୁ ହୋଇ ଖୁବ୍ ଜୋରରେ ଝରକା ଦୁଇଟିର କବାଟ ସେ ବନ୍ଦ କରିଦେଲେ । ଖଟ ଉପରୁ ଉଠିଆସି ଚେୟାରରେ ବସିଲେ ଭାବିଲେ……ଭାବିଲେ, ଡକ୍ଟର ମଲ୍ଲିକ ନୂଆ କରି ବିବାହ କରିଛନ୍ତି । ତେଣୁ ଅବିବାହିତ ଜୀବନର ସଂଚିତ ସବୁ କ୍ଷୁଧା, ଆବେଗ ଓ ସ୍ୱପ୍ନକୁ ଦୁହେଁ ଦୁହିଁଙ୍କ ନିକଟରେ ବୁକୁ ଭରି ଢାଳି ଦେଉଛନ୍ତି । ଦୁଇଟି ଜୀବନର ସ୍ନେହ ଓ ପ୍ରେମର ବିନିମୟରେ କେତେ କଳା ଫୁଟେ—କେତେ ରସ ଛୁଟେ—ଦୁଇଟି ଜୀବନସାର୍ଥକ ହୁଏ ।

 

ବହୁଦିନ ପରେ ସେ ଆଜି ଯେମିତି ନିଜକୁ ସ୍ମରଣ କରିଛନ୍ତି । କ୍ଳାନ୍ତ ଦେହ ଓ ମନ ଆଜି ଯେମିତି କାର ସ୍ନେହ ପରଶପାଇଁ ବ୍ୟସ୍ତ ବିକଳ ହୋଇଉଠୁଛି । ବତିଶି ବର୍ଷ ବସୟର ଗୁରୁଭାରକୁ ସେ ସତେ ଯେପରି ପ୍ରଥମ ଥରପାଇଁ ଉପଲବଧି କରୁଛନ୍ତି ।

 

ପୁଣି ଭାବିଲେ, ଏଇ କେଇଟି ବର୍ଷ ତାଙ୍କର ନିଃସଙ୍ଗ ଜୀବନର କରୁଣ ହାହାକାର ଭିତରେ କଟିଛି । ଘୂରି ଘୂରି କ୍ଳାନ୍ତ ହୋଇ ବସ୍ତାକୁ ଫେରିଲେ କ୍ଳାନ୍ତ ମନକୁ କେହି ଟିକିଏ ହାଲକା କରିନାହାନ୍ତି । ଜର ବାଧକା ହେଲେ ଦେହରେ ଦେହେ ଉତ୍ତାପ ଭରିଥିଲେ, ଦେହମୁଣ୍ଡରେ ତାଙ୍କର କେହି ଟିକେ ହାତ ମାରନ୍ତି ନାହିଁ । ହୋଟେଲରେ ଯାଇତାଇ ଖାଇ ସେ ଦିନ ନେଇଛନ୍ତି । ନିଜର ରୁଚି ଅନୁଯାୟୀ କେହି ହେଲେ ତାଙ୍କୁ ଭଜାଟିକେ ବାଜି ଦେଇନି, ତରକାରୀ ଟିକିଏ କରି ଦେଇନି, ‘ଆଉ ଟିକିଏ ନେବେ କି ବୋଲି କହିନି ।

 

ତାଙ୍କର ଅବିବାହିତ ଜୀବନ ବିଳାପ କରିଉଠିଲା । ସେ ଆଉ କିଛି ବାବି ପାରିଲେନି । ଦୁଇ ଆଖି ମୁଦି ସେ ଶୋଇବାକୁ ଚେଷ୍ଟା କଲେ । ନିଦ ହେଲାନି ।

ତାଙ୍କର ମନେପଡ଼ିଲା ବାପାବୋଉ ଦେଇଥିବା ଚିଠି କଥା । ପୁଣି ସେମାନେ ଲେଖିଛନ୍ତି–ବାହାଘର ସମ୍ପର୍କରେ ଦିନେ ହେଲେ ତ ତୁ କିଛି ଲେଖିଲୁନି ! କେତେଦିନ ଆମେ ଆମ ନିଜ ହାତରେ ଫୁଟାଇ ଦି’ଟା ଖାଇବୁ ? ଗାଆଁରେ ଆମଠାରୁ ବୟସରେ ଯେଉଁମାନେ ସାନ, ସେମାନେ ବୋହୂ ଆଣିଲେଣି । ଯତ୍ନ, ସେବା ପାଇଲେଣି । ଆମେ ଘର କରିଛୁ, ଘରେ ତ ଆମର କୁଳଲକ୍ଷ୍ମୀର ପାଦ ପଡ଼ିଲାନି ! ଘର ଆଉ ସୁନ୍ଦର ଦିଶିବ କେମିତି ? ଘରର ଯୁଆଡ଼କୁ ଆମେ ଚାହୁଁ, ସେଆଡ଼େ ଶୂନ୍ୟ ଦିଶେ–ହାହାକାର କରେ । ଆମର ତ କାଳ ପୂରି ଆସିଲାଣି । କେଉଁଦିନ ତୁ ଆଉ ସଂସାର କରିବୁ ?

ଆଜି ଆଉ ତଙ୍କୁ ନିଦ ନାହିଁ । ଆଜି ଯେମିତି ବାପାବୋଉଙ୍କର ଚିଠି ତାଙ୍କ ମନର ଗହୀର ଦେଶକୁ ଛୁଇଁଛି ।

କବାଟ ଖୋଲି ବାହାରକୁ ସେ ଚାହିଁଲେ—ଉପରେ ଆସୀମ ଆକାଶ । ନୀଳିମାର ଅସୀମ ବିସ୍ତୃତି । ଅଗଣିତ ତାରାପୁଞ୍ଜର ହସ ।

ତଳ ଧରଣୀକୁ ଚାହିଁଲେ ପୁଣି ସେ । ସବୁ ନୀରବ ନିଥର–ରାତ୍ରିଚର ଯାହା ଡାକି ଡାକି ଯାଉଛି ।

ଡକ୍ଟର କୁଞ୍ଜବିହାରୀଙ୍କ ଘରେ କ୍ଷୀଣଭାବେ ବୋଧହୁଏ ଲାଇଟ୍ ଜଳୁଛି । ବେଡ଼୍ ଲାଇଟ୍ ଦେଇ ସେମାନେ ଶୋଇଥିବେ । ରତିକ୍ଳାନ୍ତ ହୋଇ ବୋଧହୁଏ ସେମାନେ ଶୋଇ ପଡ଼ିଥିବେ ।

ସେ ଭାବିଲେ,ଏଇ ଅସୀମ ଆକାଶ ଆଉ ବିରାଟ ଧରିତ୍ରୀରେ ସେ ଯେମିତି ଆଜି ଏକାକୀ ବଞ୍ଚିଛନ୍ତି । ଜୀବନରେ ତାଙ୍କର ଯେପରି କେହି ସାଥି ନାହିଁ, ସଖି ନାହିଁ ଆଉ କେହି ନାହାନ୍ତି-। ଗଭୀର ବ୍ୟଥା ଓ ବେଦନା ନେଇ ପୁଣି ଫେରିଆସିଲେ ନିଜ ଶୋଇବା ଘରକୁ ।

ଖଟରେ ପୁଣି ଶୋଇଲେ । ବହୁ ଚେଷ୍ଟା କଲେ ସେ ଶୋଇବାକୁ ହେଲେ ନିଦ ଲାଗିଲାନି । କ୍ଳାନ୍ତ ଦେହ ଓ ମନ ନେଇ ସେ ଫେରିଥିଲେ ସୁଦ୍ଧା ଆଖି ତୀରରୁ ସତେ ଅବା ତାଙ୍କର ନିଦ କୁଆଡ଼େ ଉଭାଇ ଯାଇଛି ।

ଭାବିଲେ, କାହାକୁ ନେଇ ସେ ତାଙ୍କର ସୁନାର ସଂସାର ପାତିବେ ? କେତକୀ, ଗାୟତ୍ରୀ ନା ଅଭିନେତ୍ରୀ ଆରତି ? କାହାକୁ ନେଇ ତାଙ୍କର ଜୀବନଯାତ୍ରା ଆରମ୍ଭ କରିବେ ? ଏଇମାନଙ୍କୁ ନେଇ ତାଙ୍କର ସଂସାରଯାତ୍ରା ଆରମ୍ଭ କଲେ, ସତରେ ସେ କ’ଣ ସୁଖୀ ହେବେ ? ଜୀବନ ସତରେ କ’ଣ ତାଙ୍କର ହସି ଉଠିବ ? ରସ ଘନମୟ ହୋଇଉଠିବ ?

ଏଇ ବର୍ଷ ଯେ କୌଣସିମତେ ତାଙ୍କୁ ବିବାହ କରିବାକୁ ପଡ଼ିବ । ବାପାବୋଉଙ୍କୁ କେତେଦିନ ଆଉ ଅସନ୍ତୋଷର କାଦୁଅରେ ସେ ଚଳାଇବେ ? ନା, ନା ସେ ବାହା ହେବେ ।

ରାତି ବଢ଼ୁଛି । ନିଶା ଗର୍ଜ୍ଜୁଛି । ଭାବନା ତାଙ୍କର ବଢ଼ୁଛି । ଆଖି ଆଗଲେ ଯେଉଁ ବିବାହ ତାଙ୍କର ଏକ ସମସ୍ୟାରୂପେ ଦେଖା ଦେଇଥିଲା, ନିଜ ମନଭିତରେ ସେ ତାକୁ ସମାଧାନ କରୁଛନ୍ତି–ଭାବୁଛନ୍ତି ।

 

କାହିଁକି ସେ ଦିନ ସେ ଫେରାଇଦେଲେ କେତକୀକୁ ? କେତେ ଆଶାର ରଶ୍ମି ଖେଳାଇ, ଦେହ ଓ ମନରେ ଉଷ୍ଣ ଉତ୍ତାପ ଭରି ସେ ଆସିଥିଲା ସେ ଦିନ ! ସେ ତାକୁ ନିରାଶ କଲେ, ଫେରିଗଲା । ଜୀବନର ଶେଷ ଥରପାଇଁ ଆଖିରେ ଲୁହ ଟଳଟଳ କରି ସେ ତାଙ୍କ ଘରୁ ବିଦାୟ ନେଲା । ସେଇ ଢୁ ଢୁ ଶ୍ରାବଣ ଅସରାରେ କାନ୍ଦି କାନ୍ଦି ଆଖି ତାର ସେ ଦିନ ଅନ୍ଧ ହୋଇଥିବ । ଆଃ-! କେତକୀକୁ ବିବାହ କରିଥିଲେ କ୍ଷତି କ’ଣ ହୋଇଥାନ୍ତା ?

 

ଏଇମିତି ଭାବି ଭାବି ମୁଣ୍ଡ ତାଙ୍କର ଭାରି ହୋଇଉଠିଲା । ଆଖି ପୋଡ଼ିଉଠିଲା । ଶୋଇ ପଡ଼ିଲେ ସେ । ଆଖି ତୀରରେ ତାଙ୍କର ଘୋଟିଆସିଲା ସହସ୍ର ଯୁଗର ସଂଚିତ ତନ୍ଦ୍ରା ।

 

–ଦଶ–

 

ଅଧ୍ୟାପିକା ଗାୟତ୍ରୀ ସେଇ ବସାରେ ଏପର୍ଯ୍ୟନ୍ତ ରହିଛନ୍ତି । ସେଇ ନଈକୂଳର ଘଟଣାଠାରୁ ତାଙ୍କ ସହ ହେମକାନ୍ତଙ୍କର କେତେବେଳେ କେମିତି ଦେଖା ସାକ୍ଷାତ୍ ହୁଏ । ହେମକାନ୍ତଙ୍କୁ ଦେଖିଲେ ଗାୟତ୍ରୀ ନ ଦେଖିଲା ପରି ରାସ୍ତା କାଟି ଚାଲିଯାଆନ୍ତି । ସେ ବି ସେଇମିତି ତାଙ୍କର ଏ ଧରଣର ଖାପ୍ ଛଡ଼ା ଢଙ୍ଗ ଦେଖି ଅନ୍ୟ ବାଟ ବି ଦେଖନ୍ତି । ଏଇମିତି ପ୍ରାୟ ଛ’ ମାସ ଖଣ୍ଡେ ଗଲା ।

 

ଆଉ ଯେଉଁଦିନ ଦୁହିଁକୁ ଦୁହେଁ ଗଳି ରାସ୍ତାମୋଡ଼ରେ ସାମନାସାମନି ଭେଟ ହୋଇଯାଆନ୍ତି, ସେଦିନ ଖାଲି ମାମୁଲି ଭଙ୍ଗୀରେ ହାତ ଟେକାଟେକି ହୋଇ ନମସ୍କାର ହୁଅନ୍ତି । ପ୍ରଥମ ପ୍ରଥମ ଦେଖାସାକ୍ଷାତ୍‌ରେ ତାଙ୍କ ଭିତରେ ଯେଉଁ ଆନ୍ତରିକତା ଫୁଟି ଉଠିଥିଲା, ସେ ସବୁ ସତେ ଅବା କୁଆଡ଼େ ମିଳାଇ ଯାଇଛି ।

 

ସେ ଅନେକ ସମୟରେ ଗାୟତ୍ରୀଙ୍କ କଥା ଭାବନ୍ତି । ଭାବନ୍ତି ସେ ଯଦି ଜାଣିଶୁଣି କଥାବାର୍ତ୍ତା ଆଉ ମିଳାମିଶା କରିବାକୁ ଦୂରେଇ ଦୂରେଇ ରହୁଛନ୍ତି ସେ କାହିଁକି ଆପେ ଆପେ ଉପରେ ପଡ଼ି ତାଙ୍କ ସହ କଥାବାର୍ତ୍ତା କରିବେ ? ଗାୟତ୍ରୀର ଅଭିମାନ ଅଛି, ଅହଙ୍କାର ଅଛି । ଆଉ ତାଙ୍କର କ’ଣ ନାହିଁ ? ଜଣେ ପୁରୁଷ ଯେତିକି ଆଗ୍ରହ ନେଇ ଏକ ନାରୀସହ କଥାବାର୍ତ୍ତା କରେ, ସେଇ ପରିମାଣର ଆଗ୍ରହ ସେଇ ନାରୀଠାରେ କ’ଣ ପ୍ରକାଶ ପାଏନି ?

ନ ପାଉ ! ଯାଉ, ଏମିତି ଏମିତି କେତେ ଦିନ ! କ୍ଷତି କ’ମ ହୋଇଯାଉଛି ତାଙ୍କର ?

 

ଗାୟତ୍ରୀର ନାରୀତ୍ୱ ସେ ଦିନ ତାଙ୍କର ସେଇ ହୋଃ ହୋଃ ହସର ଲହଡ଼ିରେ ହୁଏତ ନିଶ୍ଚୟ ଆଘାତ ପାଇଥିବ । ତାଙ୍କର ଶିକ୍ଷାଭିମାନ ଓ ସଂସ୍କୃତି ବି ଆହତ ହୋଇଥିବ । ସେଇ ଆହତ ଆଉ କ୍ଷତବିକ୍ଷତ ହୃଦୟ ନେଇ ସେ ନିଶ୍ଚୟ ତାଙ୍କ ଉପରେ ଚିଡ଼ି ଉଠିଥିବେ, ବିରକ୍ତ ହୋଇଥିବେ । ତେଣୁ ପୂର୍ବପରି ମିଳାମିଶା କରିବାର ପ୍ରବୃତ୍ତି ବୋଧହୁଏ ତାଙ୍କର କମିଯାଇଛି ।

 

ଏଇମିତି ଭାବନ୍ତି—ପୁଣି ତାଙ୍କର ହୃଦୟ ଗାୟତ୍ରୀଙ୍କ ପ୍ରତି ଦୟା ଓ କରୁଣାରେ ପୂରି ଉଠେ । ଆହା ବିଚାରି ଗାୟତ୍ରୀ ! ଯେଉଁ ବୟସରେ ଶରୀର ଓ ମନଉପରେ ବସନ୍ତର ସଭା ବସେ, ଚପଳ ମଳୟ ସମଗ୍ର ଦେହଟାକୁ ସୁରଭିତ, ଆମୋଦିତ କରାଇ ସେଇ ବୟସରେ ଗାୟତ୍ରୀ ସହପାଠୀ ଯୁବକଙ୍କ ସହ ବସି ବସି ପାଠପଢ଼ାରେ କଟାଇଛି, ବନ୍ଧୁ ବନ୍ଧୁ ତାଙ୍କ ସହ ମିଶିଛନ୍ତି, ଆଳାପ କରିଛନ୍ତି ଆଉ ବାଲକନୀରେ ବସି ସିନେମା ଦେଖିଛନ୍ତି । ସେଇ ମିଳାମିଶା, ଆଳାପ ଓ ସିନେମା ଦେଖା ଭିତରେ ଜୀବନ-ବସନ୍ତର କେତେ ଫୁଲ ଫୁଟି ଭୂଇଁରେ ଝଡ଼ି ପଡ଼ିଛି ।

 

ମନେପଡ଼ିଲା ପୁଣି ତାଙ୍କର । ଗୋଟିଏ ଜହ୍ନପକ୍ଷର ଏକ ଅନାମଧେୟ ରାତିରେ ନଈକୂଳର ପଥରବନ୍ଧ ଉପରେ ଗାୟତ୍ରୀ କି କରୁଣ କି ଦୟନୀୟ ହୋଇ ନ ଥିଲେ ସତେ ? ତାଙ୍କର ସେଇ କରୁଣ ଶୋଚନୀୟ ଜୀବନକୁ ନେଇ ସେ ଯେପରିଭାବେ ସେ ଦିନ ତାଙ୍କ ନିଃଶେଷ ନାରୀତ୍ୱର ଖୋଳପା ପିନ୍ଧି ଆତ୍ମ ନିବେଦନ କରିଥିଲେ, ସେଇ ଦିନର ସେ ଚିତ୍ର ଏ ପର୍ଯ୍ୟନ୍ତ ବି ତାଙ୍କର ମନେ ଅଛି । ସେତେବେଳେ ଜଣେ ସହପାଠିନୀ ହିସାବରେ ସେ ତାଙ୍କୁ ଆଶା ଆଉ ଆଶ୍ୱାସନାର ବାଣୀ ଶୁଣାଇଛନ୍ତି, ସହାନୁଭୂତି ଜଣାଇଛନ୍ତି ।

 

ଭାବୁଛନ୍ତି, ସେଇଦିନଠାରୁ ଗାୟତ୍ରୀର ମନରେ ସରାଗ ନାହିଁ, ପୁଲକ ନାହିଁ ବୋଧହୁଏ-। ଯେଉଁ ଓଠପୁଟରେ ଭରି ରହିଥିଲା ତାଙ୍କର ମୃଦହସ, ସେଇ ଓଠପୁଟ ଆଜି ଶୁଷ୍କ । ଦେହ ତାଙ୍କର ଧୀରେ ଧୀରେ ଭାଙ୍ଗିଯାଉଛି । ଦିନକୁ ଦିନ ଆହୁରି ସେ ଅସୁନ୍ଦର ଦିଶୁଛନ୍ତି ।

 

ସେ ଭାବନ୍ତି, ଗାୟତ୍ରୀଙ୍କ ଘରଆଡ଼େ ଟିକେ ବୁଲିଯିବାପାଇଁ କିନ୍ତୁ ଯାଇପାରନ୍ତି ନାହିଁ । ଅଭିମାନରେ ପୁରୁଷକାର ତାଙ୍କର ଗର୍ଜ୍ଜିଉଠେ, ସେ ରହିଯାଆନ୍ତି ।

 

ଏଇମିତି ଦିନ ଯାଏ…

 

ସେ ଦିନ ହେମକାନ୍ତ ସଂପାଦକୀୟ ଦପ୍ତରରେ ବସି ଗୋଟିଏ ସମ୍ବାଦକୁ ଅନୁବାଦ କରିବାରେ ଲାଗିଛନ୍ତି—ଫୋନ୍ କ୍ରିଂ କ୍ରିଂ ହୋଇ ବାଜି ଉଠିଲା । ସେ ଟେବୁଲ୍‌ ଉପରେ ନଇଁପଡ଼ି ଫୋନ୍ ଧରିଲେ ।

 

—ହଲୋ…

 

—ହେମକାନ୍ତ ବାବୁ ଅଛନ୍ତି ?

 

—ଅଛନ୍ତି ।

 

—ଆପଣ କିଏ କହୁଛନ୍ତି ?

 

—ଗାୟତ୍ରୀ ଜେନା ।

 

—କେଉଁଠୁ କହୁଛନ୍ତି ?

 

—ମହିଳା କଲେଜରୁ ।

 

—ନମସ୍କାର ।

 

—ନମସ୍କାର ।

 

ଗାୟତ୍ରୀ ଆସ୍ୱସ୍ତି ହୋଇ ସେଇ ଫୋନରେ କହିଲେ—ଶୁଣନ୍ତୁ ହେମକାନ୍ତ ବାବୁ ! ମୋ ଉପରେ ଆପଣ ନିଶ୍ଚୟ କ୍ଷୁବ୍‌ଧ ହୋଇଥିବେ । ଅନେକଦିନ ପରେ ମୁଁ ଆପଣଙ୍କ ସହ ଆଜି କଥାବାର୍ତ୍ତା କରୁଛି । ମୋ ଅନୁରୋଧ ରକ୍ଷା କରି ଆପଣ ମୋ ବସାଆଡ଼େ ଆସିବେ କି ?

 

ହେମକାନ୍ତ କିଛି ନ ଭାବି କହିଲେ—ଆଚ୍ଛା ଦେଖିବା । ଆଉ ଆପଣଙ୍କର ସବୁ ଭଲ ତ-?

 

ସେ ଦିନ ସନ୍ଧ୍ୟା ଆସିଯାଇଛି । ସେ ବାହାରିଲେ ଗାୟତ୍ରୀଙ୍କ ଘରଆଡ଼େ । ଚାଲି ଚାଲି ଆସିଲେ ସେ ।

 

ଗାୟତ୍ରୀ ବସିଛନ୍ତି ।

 

ସେ ପହଞ୍ଚିଲେ । ଶୁଖିଲା ଓଠରେ ହସର ବିଜୁଳି ଖେଳାଇ ଗାୟତ୍ରୀ ତାଙ୍କ ଚେୟାରରୁ ଉଠିପଡ଼ି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ । ସେ ବସିଲେ । ଚା’ ଆଗରୁ ପ୍ରସ୍ତୁତ ହୋଇ ରହିଥିଲା, ଆସିଲା । ଦୁଇଜଣଯାକ ଦୁଇଟି କପ୍ ଧରି ଚା’ ପିଇବାରେ ଲାଗିଗଲେ ।

 

ପ୍ରଥମେ କପରୁ ଓଠ କାଢ଼ି ହେମକାନ୍ତ ପଚାରିଲେ— ବହୁଦିନପରେ ପୁଣି ମତେ ଡାକିଲେ ଗାୟତ୍ରୀ ଦେବୀ— ଅନେକ ଦିନପରେ ମୋ କଥା ମନେ ପଡ଼ିଲା ଆପଣଙ୍କର ?

 

ଗାୟତ୍ରୀ କହିଲେ— ନାଇଁ, ହେମକାନ୍ତ ବାବୁ, ମୋ ଦେହ ଓ ମନକୁ ଏକ ବିରାଟ ବ୍ୟାଧି ଆକ୍ରମଣ କରିଥିଲା । ତେଣୁ ଦୀର୍ଘଦିନ ଧରି ମାନସିକ ଯନ୍ତ୍ରଣାରେ ମୁଁ ଛାଟିପିଟି ହେଉଥିଲି । ସେତେବେଳେ ଆପଣଙ୍କୁ ଡାକି ଦୁଃଖ ସୁଖ ହେବାପାଇଁ ମୋର ସମୟ ଆଉ ଧୈର୍ଯ୍ୟ ନଥିଲା ।

 

ଚା’ ପାନ ସରିଲା ।

 

ହେମକାନ୍ତ କହିଲେ—ଜାଣିପାରେ କି ଗାୟତ୍ରୀ ଦେବୀ ! କେଉଁ ବ୍ୟଧି ଆପଣଙ୍କ ଦେହ ଓ ମନକୁ ଦୀର୍ଘଦିନ ଧରି ଅସୁସ୍ଥ ରଖିଥିଲା ?

 

ସେ କହିଲେ—ସେଇଥିପାଇଁ ଆପଣଙ୍କୁ ଡାକିଛି, ହେମକାନ୍ତ ବାବୁ । ବସନ୍ତୁ, ଆପଣଙ୍କୁ ସବୁ ଆଜି ଖୋଲି କରି କହିବି ।

 

Unknown

ଏତିକି କହି ଗାୟତ୍ରୀ ନିଜ ଶୋଇବା ଘରଭିତରକୁ ପଶିଗଲେ । ସେ ପ୍ରମାଦ ଗଣିଲେ । ମନେ ମନେ ଭାବିଲେ, ଗାୟତ୍ରୀ ଜେନା ପୁଣି ଏଠି ଏକ ଅଭିନୟ କରିବେ କି ? ସେ ଦିନ କେତକୀ ଡ଼ୁ ଢୁ ଶ୍ରାବଣ ଅସରାରେ, ମୁହଁକୁ ମୁହଁ ଦିଶୁ ନ ଥିବା ଅନ୍ଧାରରେ, ସବୁ ଭୟ ଦୂରକୁ ଠେଲିଦେଇ ଯେଉଁ ଆଶାରେ ସେ ଧାଇଁଯାଇଥିଲା ତାଙ୍କ ପାଖକୁ ସେଇ ଘଟଣାଟିକୁ ଗାୟତ୍ରୀ ପୁନରାବୃତ୍ତ କରିବେନି ଆଉ ? ତାଙ୍କର ମନର ଆକାଶରେ ସନ୍ଦେହର ଘନକୁହୁଡ଼ି ଘୋଟି ଆସୁଛି… ଭାବିଲେ ନା–ସେମିତି ହୋଇ ନ ପାରେ । ସେ ଯେତେବେଳେ ତାଙ୍କୁ ଦୀର୍ଘଦିନ ପରେ ଡାକିଛନ୍ତି, ସେତେବେଳେ କିଛି ନୂଆ କଥାର ସେ ଉଲ୍ଲେଖ କରିବେ । ମନ ଓ ଶରୀର ଉପରେ କି ଭାବରେ ବ୍ୟାଧି ବାହାରି ମଣିଷକୁ ଅସୁସ୍ଥ ରଖେ, ୟା’ ରି ଭିତରେ ସେ ଏକ ସୁନ୍ଦର ଅନୁଭୂତି ଅର୍ଜ୍ଜନ କରିଛନ୍ତି-। ସେଇ ଅନୁଭୂତିର କାହାଣୀଗୁଡ଼ିକ ହୁଏତ ସୁନ୍ଦର ଭାଷାରେ ତାଙ୍କ ପାଖରେ କହିବେ ।

 

ଭାବିଲେ, ସେ ଦିନ ସେଇ ପଥରବନ୍ଧ ଉପରେ ଏକ ସାଧା ଜହ୍ନରାତିରେ ବଡ଼ ଭାବଭାବଣା ହୋଇ ଯେଉଁ କଥାର ସେ ଅବତାରଣ କରିଥିଲେ, ସେଇମିତି ଆଜି କରିବେ କି ଆଉ-? କେଜାଣି ?

 

ନାରୀର ମନ କ’ଣ ଗୋଟିଏ ? ନୀଳ ଆକାଶର ଛାତିରେ ଯେଉଁ ଅଗଣିତ ଟିକି ଟିକି ତାରା ଜୁଳୁ ଜୁଳୁ ହୋଇ ଦେଖାଦିଅନ୍ତି, ମନେ ହୁଏ ସତେ ଯେପରି ସମସ୍ତେ ସମସ୍ତଙ୍କ କଥା ଜାଣିଛନ୍ତି, ନିଜ ନିଜର ଛାତି ତଳର ବେଦନାକୁ ମାପିଛନ୍ତି । ଗୋଟିଏ ତାରାର ରୂପ ଆଖିକୁ ଯେମିତି ଦିଶେ, ଆକାଶର ସବୁ ତାରାଗୁଡ଼ିକ ବି ଆଖିକୁ ଏକାରଙ୍ଗର ଦିଶନ୍ତି । ଏଇ ଦୃଷ୍ଟିକୋଣରୁ ଗୋଟିଏ ନାରୀ ଯାହା ଚିନ୍ତା କରେ, କଳ୍ପନା କରେ, ଯେଉଁ ପରିମାଣରେ କମ୍ପନ ଓ ଉତ୍ତାପ ପାଏ, ସେହିଗୁଡ଼ିକ ବୋଧହୁଏ ସମାନଭାବରେ ସବୁ ନାରୀ ହୃଦୟରେ ଥାଏ । ତେଣୁ ଆଜି ହୁଏତ ଗାୟତ୍ରୀ ନିଜ ଘରକୁ ଡାକି କେତକୀ ପରି ଚରମ ନିଷ୍ପତ୍ତି କରିବାକୁ ଲୋଡ଼ିବେ ।

 

ଇସ୍— ଅବିବାହିତ ଜୀବନ କେଡ଼େ ବିରାଟ ସମସ୍ୟା ସତେ ! କେଡ଼େ ବିରାଟ ଗୋଲକଧନ୍ଦା ! ବିବାହ ନ କରି ମଣିଷ ଏମିତି ସାଜେ ! ବୟସ ଗଡ଼ାଇ ମନ ପୁଣି ଏମିତି କୁଣ୍ଡେଇରାମ୍ପି ହୁଏ !

 

ଏଇମିତି ଭାବୁଛନ୍ତି, ଗାୟତ୍ରୀ ଆସି ପହଞ୍ଚିଲେ ।

 

ବସିଲେ, କହିଲେ—ଶୁଣନ୍ତ ହେମକାନ୍ତ ବାବୁ, ଯେଉଁଦିନ ଆପଣ ଓ ମୁଁ ନଈକୂଳରୁ ଗୋଟିଏ ରିକ୍‌ସାରେ ସାଙ୍ଗ ହୋଇ ଫେରିଲେ, ଠିକ୍ ସେଇଦିନଠାରୁ ମୋ ମନରେ ଦାରୁଣ ଆଘାତ ହୋଇଛି । ସେଇ ଘା’ ର ଯନ୍ତ୍ରଣାରେ ମୁଁ ଏପର୍ଯ୍ୟନ୍ତ ବେଦନା ଅନୁଭବ କରୁଛି । ସତକଥା କହୁଛି ହେମକାନ୍ତ ବାବୁ, ସେ ଦିନ ଆପଣଙ୍କ ଉପରେ ମୋ ମନ ଏକବାର ଚିଡ଼ି ଉଠିଥିଲା । କେବଳ ଆପଣ ଏକା ନୁହନ୍ତି ଆପଣଙ୍କ ପୁରୁଷଜାତିଟା ଉପରେ ମୁଁ ପୂରାପୂରି ଖପା ହୋଇଯାଇଥିଲି । ଭାବିଲି, କେଡ଼େ ନିଠୁର, କେଡ଼େ ନିର୍ମମ ଏମାନେ ! ଏମାନଙ୍କ ପାଖେ ବସି ଆଳାପ ଆଲୋଚନା କଲେ, ସେମାନେ ଖୁସି ହୁଅନ୍ତି । ହାତ ଦେଖାଇଲେ ଚିପି ବସନ୍ତି । ମଥା ତାଙ୍କ କୋଳରେ ରଖିଲେ ଆଉଁସି ଦିଅନ୍ତି । ଆଙ୍ଗୁଳି ଦେଖାଇଲେ ସେମାନେ ବାହା ବି ଗିଳନ୍ତି । କିନ୍ତୁ ମନର ସଚେତ ଅବସ୍ଥାରେ ଆଉ ଗୋଟିଏ କିଛି ପ୍ରସ୍ତାବ ବାଢ଼ିଲେ ସେମାନେ ଚିଡ଼ି ଉଠନ୍ତି ।

 

ରାଗିବେନି ହେମକାନ୍ତ ବାବୁ,ସେଇଦିନଠାରୁ ଆପଣଙ୍କ ସହ ଦେଖାସାକ୍ଷାତ୍ କରିବାକୁ ମୋର ନୈତିକ ସାହସ ନ ଥିଲା । ମୋ ସଂଚିତ ନାରୀତ୍ୱ ଓ ଶିକ୍ଷାଭିମାନ ପରାସ୍ତ ହୋଇଥିଲା—ମୋ ସଂସ୍କୃତ ବି ଅପମାନିତ ହୋଇଥିଲା । ସେଇ ପରାଜୟ ଓ ଅପମାନର ଅତ୍ୟାଚାର ନେଇ ମୋ ମନ ଓ ଦେହ ଉପରେ ଏକ ବ୍ୟାଧି ଦେଖାଗଲା ।

 

ସେ ଦିନଠାରୁ ମନ ଭଲ ରହିଲାନି । କ୍ଳାସ୍‌କୁ ଯାଇ ଯାହା ପଢ଼ାଇ ଫେରେ । ପ୍ରଫେସର୍ କମନ୍ ରୁମ୍‌ରେ ବିବାହିତା ଅଧ୍ୟାପିକା ସୁକାନ୍ତ ମହାପାତ୍ର, ସୁଚିତ୍ରା ମହାନ୍ତି ଆଉ ମୃଣାଳିନୀ ବୋଷଙ୍କ ସହ ବସି ଅନେକ ସମୟରେ କୃତ୍ରିମ ହସ ହସି ତାଙ୍କ ସହ ଆଳାପ କରେ । ତା’ ସତ୍ତ୍ୱେ ଓ ଦିନେ ସୁକାନ୍ତ ମହାପାତ୍ର ମୋ ମନ ଭଲ ନାହିଁ କି ବୋଲି କହିଲେ । ମୁଁ କିନ୍ତୁ ତାକୁ ଫାଙ୍କି ଉଡ଼ାଇ ଦେଲି । ସେଇଦିନଠାରୁ ଆଉ ମୁଁ ସନ୍ଧ୍ୟାବେଳେ ସହର ବୁଲିଯାଏନି । କୌଣସି ସଭାସମିତିକୁ ଯିବାକୁ ମନର ସାହସ ରହିଲାନି । ସିନେମା ମଧ୍ୟ ଥରେ ହେଲେ ଯାଇନି । ଏପରିକି ଆମ କଲେଜର ସାଂସ୍କୃତିକ ସପ୍ତାହରେ ମଧ୍ୟ ଯୋଗ ଦେଇପାରିଲି ନାହିଁ । ମାନସିକ ଯନ୍ତ୍ରଣା ଦିନକୁଦିନ ମୋର ଅସହ୍ୟ ହୋଇଉଠିଲା ।

 

ଆପଣ ସେଇ ନଈକୂଳରେ ଗୋଟିଏ ହରିତ୍ ଜହ୍ନରାତିରେ ମୋ ବିବାହପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ସେଇ ଘଟଣାକୁ ମୁଁ ମୋ ମନଭିତରେ ଘାଣ୍ଟି ଗୋଳେଇ ଦେଖୁଛି—ଦେଖି ଠିକ୍ କଲି, ଦୁନିଆଁର ଏଇ ବଡ଼ଦାଣ୍ଡରେ ଚାଲିବାକୁ ଆଉ ବଞ୍ଚିବାକୁ ହେଲେ ଏକା ଏକା ଆଉ ଚାଲି ହେବନି । ଦିନ ଥିଲା, ବୟସ ଥିଲା, ଯାର ଉଷ୍ଣ ଇଙ୍ଗିତରେ ଏକା ଏକା ବଣଖମାଣ ନ ମାନି, ବର୍ଷା ଅନ୍ଧାରକୁ ପରବାୟୁ ନ କରି ଚଞ୍ଚଳ ପାଦ ପକାଇ ମୁଁ ଚାଲୁଥିଲି । ଉଦ୍ଦାମ ତାରୁଣ୍ୟ ମୋର ଥିଲା । ମୋର ଭୟ ନଥିଲା, ଶଙ୍କା ନଥିଲା । ଏବେ ବହୁ ଚିନ୍ତା କରି ଦେଖିଲି ହେମକାନ୍ତ ବାବୁ ! ମୋର କ୍ଳାନ୍ତ ଆଉ ତୃଷିତ ଜୀବନର ଚଲାବାଟରେ କେତେ ଯେ କଣ୍ଟା, କାଦୁଅ ପଙ୍କ ରହିଛି, କଳନା କରି ହେଉନି । ଯେତେ ଶୀଘ୍ର ପାରେ ଏଇ ଅରମା ଅରଣା ଜାଗା ଡେଇଁ କେଉଁ ଏକ ଷ୍ଟେସନ୍‌ରେ ମୁଁ ବିଶ୍ରାମ ନେବି । ବିଶ୍ରାମ ନେଇ ସାରିଲା ପରେ ପେଟଭରି ଢକ ଢକ କରି ପାଣି ପିଇଯିବି । ମୋର କ୍ଳାନ୍ତ ଥମିବ, ତୃଷ୍ଣା ମେଣ୍ଟିଯିବ ।

 

ମୁଁ ଇଚ୍ଛା କରିଥିଲେ ହେମକାନ୍ତ ବାବୁ, ଆଜିକୁ ପ୍ରାୟ ଆଠ ଦଶ ବର୍ଷତଳେ ବିବାହ କରିପାରିଥାନ୍ତି । ସେଇ ଆଠଦଶ ବର୍ଷ ତଳେ ମୁଁ ଥିଲି ଭାରି ଛଇଳା, ଭାରି ଚପଳା—ମନର ଦରିଆରେ ମୋର କେତେ ଉଜାଣି ଉଠୁଥିଲା । କଳନା କରି ହେଉନି ହେମକାନ୍ତ ବାବୁ ! ସେଇ ବୟସରେ ବିବାହ କରିଥିଲେ କେତେଗୋଟି ଛୁଆର ମା’ ହେବାର ସୌଭାଗ୍ୟ ବି ମୋର ଜୁଟି ସାରିଥାନ୍ତା । ମା’ ହେବାର ଗର୍ବ ଗୌରବ ନେଇଥିଲେ ହେମକାନ୍ତ ବାବୁ, ମୋ ମନ ଆଜି କାଉଳାଚାଉଳା ହେଉ ନଥାନ୍ତା । ଆପଣଙ୍କ ସହ ବସି ବସି ଗପ କମେଇବାର ସ୍ପୃହା ନିଶ୍ଚୟ କମି ଯାଇଥାଆନ୍ତା । ମୋ ମନର କାମନା ଓ ଚପଳତା ଶିଶୁ ସୃଷ୍ଟିରେ ହୁଏତ ଅନେକ ପରିମାଣରେ କଟି ଯାଇଥାନ୍ତା । କିନ୍ତୁ ହେମକାନ୍ତ ବାବୁ, ସେଇ ଆଠ ଦଶ ବର୍ଷ ତଳେ ଯେତେବେଳେ ବହୁ ବନ୍ଧୁଙ୍କ ସହ ମନଭରି ମୁଁ ମିଶି ପାରୁଥିଲି, ସବୁଆଡ଼େ ସବୁଥିରେ ମୁଁ ଯେତେବେଳେ ସ୍ୱାଧୀନତା ପାଇଥିଲି, ସେତେବେଳେ ବିବାହ କରିବାର ବାସନା ମନଭିତରେ ମୋର ଥରେ ହେଲେ ଜାଗି ନ ଥିଲା । ଆପଣ ମୋର ଏ ଧରଣର ସ୍ୱାଧୀନତାକୁ ହୁଏତ ସ୍ୱେଚ୍ଛାଚାରିତା କହିପାରନ୍ତି—ମୁଁ କିନ୍ତୁ ବୟସର ସେଇ ରସ ଉଚ୍ଛଳା ପରିବେଶକୁ ଆକଣ୍ଠ ଉପଭୋଗ କରୁଥିଲି । ଦିନ ବହି ଚାଲିଥିଲା ।

 

ସେ ଦିନ ମୋର ସେଇ ଜୀବନ ଉପରେ ଆପଣ ଆଘାତ ଦେଲେ । ସେଇ ଆଘାତ ଦେଇ ମୋତେ ମୋର ପୁରୁଣା ବାଟରୁ ଆପଣ ଫେରାଇ ଆଣିଛନ୍ତି । ମୋ ମନଭିତରୁ ପୁରୁଣା ଦିନର ସବୁ ଅସନା ଉଭେଇଯାଇଛି । ମୁଁ ଚାହେ ହେମକାନ୍ତ ବାବୁ, ବିବାହ କରିବାକୁ । ମୋରି କଅଁଳ ବୟସରେ ବାପ ମା’ ମୋର ଯେତେବେଳେ ବିବାହ କରିଦେବାକୁ ଚେଷ୍ଟା କରିଥିଲେ, ସେତେବେଳେ ମୁଁ ତାର ଦୃଢ଼ ପ୍ରତିବାଦ କରିଥିଲି । ଆଜି ଏଇ ତିରିଶ ବତିଶି ବର୍ଷ ବୟସକୁ ନେଇ କେଉଁ ମୁହଁରେ ତାଙ୍କୁ ଏ କଥା କହିବି—ଆମ ଘରେ କାହାକୁ ମୋ ବିବାହ ପ୍ରସ୍ତାବ ଦେବି ? ଦେଇ ପାରିବିନି । ତା’ଛଡ଼ା ମୁଁ ଚେଷ୍ଟା କରିଥିଲେ ହେମକାନ୍ତ ବାବୁ, କାହାରି ସହିତ ପ୍ରଣୟ କରି ମଧ୍ୟ ବିବାହ କରିପାରିଥାନ୍ତି । ବହୁ ବନ୍ଧୁ ସେତେବେଳେ ହସି ହସି ବଧୂରୂପେ ବରଣ କରିନେବାକୁ ମତେ ଆଗେଇ ଆସିଥାନ୍ତେ । କିନ୍ତୁ ମୁଁ ସେତେବେଳେ ଯେଉଁମାନଙ୍କ ସହ ମିଶିଛି, ମଧୁକଥାର ନିର୍ମଳ ଝର ବୁହାଇଛି । ସେତେବେଳେ ସେମାନେ ଗୋଟିଏ ଦିନର, ଗୋଟିଏ ଓଳିର ଓ ଗୋଟିଏ ଘଣ୍ଟାର ସାଙ୍ଗ ଥିଲେ । ଅନ୍ତର ଦେଇ କାହାରିକୁ ଆପଣାର କରି ନଥିଲି, କରିବାର ମଧ୍ୟ ପ୍ରବୃତ୍ତି ମୋର ନଥିଲା ।

 

ସେମାନଙ୍କ ଭିତରେ କୁଆଡ଼େ ପ୍ରଚାର ହୋଇଥିଲା ଯେ ଗାୟତ୍ରୀ ଜେନା ବିବାହ କରିବେନି ।

 

ତେଣୁ କହନ୍ତୁ ହେମକାନ୍ତ ବାବୁ, କେଉଁ ମୁହଁରେ କାହା ପାଖରେ ଯାଇ ମୁଁ ହାତ ପାତିବି, ଆତ୍ମ-ନିବେଦନ କରିବି ? ଅବଶ୍ୟ ଆପଣଙ୍କ ପରି ଅନେକ ଅବିବାହିତ ଯୁକ ମୋରି ବୟସର ଅଛନ୍ତି । ହେଲେ କିଏ ଯାଇଁ ତାଙ୍କୁ କହିବ ? ବିବାହ ପ୍ରସ୍ତାବ ବାଢ଼ିବ ? ମୁଁ କିନ୍ତୁ ପାରିବିନି ହେମକାନ୍ତ ବାବୁ ! ଏ ଦେଶରେ ଏକ ଜନରବ ସୃଷ୍ଟି ହେବ, ଯା’ର ପ୍ରତିକ୍ରିୟା ଅତି ଭୟଙ୍କର ହୋଇଉଠିବ, ଲାଜରେ ଏ ମାଟିରେ ମୁଁ ଆଉ ଗୋଡ଼ ଦେଇ ଚାଲିପାରିବିନି ।

 

ମୁଁ ସ୍ଥିର କରିଛି ହେମକାନ୍ତ ବାବୁ, ବିବାହ କରିବାକୁ । ସେଇ ଅସନା ଅରମା ବାଟରୁ ଫେରିଆସି ମୁଁ ନୂଆ ବାଟରେ ପାଦ ଦେବି । ମୋର ପୁରୁଣା ଅଳନ୍ଧୁ ଜୀବନ ଅପସରି ଯିବ । ଏ ଦେହ ଓ ମନ ସଂପୂର୍ଣ୍ଣ ବଦଳିଯିବ । ଏକ ନୂତନ ଜୀବନ ଓ ନୂତନ ଆଲୋକ ନେଇ ମୁଁ ବାଟ ଚାଲିବି । ମୋ ଅବିବାହିତ ଜୀବନର ଦୀର୍ଘ କାଳ ରାତି ପାହି ପାହି ଯିବ । ନୂତନ ସୂର୍ଯ୍ୟର ସ୍ପର୍ଶରେ ମୋ ନୂଆ ଜୀବନ କଳଚଞ୍ଚଳ ହୋଇଉଠିବ । ମନଭିତରୁ ସବୁ ଗ୍ଳାନି, ସବୁ ବେଦନା କୁଆଡ଼େ ଉଭାଇଯିବ ।

 

ତେଣୁ ହେମକାନ୍ତ ବାବୁ, ଅତି ନିଭୃତରେ ଆପଣଙ୍କୁ ମନ ଖୋଲି ମୁଁ ଆଜି ମୋ ମରମ ତଳର ସବୁ କଥା ଆପଣଙ୍କ ଆଗେ ଖୋଲିଦେଲି । ଆପଣ ଶୁଣିଲେ, ମୋ ମନକଥା କହିବାର ଅଧିକାର ମତେ ମିଳିଛି, ସେଇ ନିଭୃତରେ ଆପଣଙ୍କୁ ସ୍ୱାମୀରୂପେ ପାଇବାର ଅଧିକାର ମତେ ମିଳୁ-। ଆପଣଙ୍କ ବ୍ୟତୀତ ଆଉ କାହାରି ପାଖ ମୁଁ କାକୁତି ମିନତି କରିପାରିବିନି ହେମକାନ୍ତ ବାବୁ-! ଆପଣ ମୋ ମନକଥା ବୁଝନ୍ତୁ, ମୋ ନାରୀ ହୃଦୟର କଥା ଶୁଣନ୍ତୁ ।

 

ଏତେଗୁଡ଼ାଏ କଥା ଏକାନିଃଶ୍ୱାସକେ ସହି ଗାୟତ୍ରୀ ବଡ଼ କ୍ଳାନ୍ତ ହୋଇପଡ଼ିଲେ । ଦୀର୍ଘନିଃଶ୍ୱାସ ଛାଡ଼ିଲେ । ଛାତି ତାଙ୍କର ଉଠୁଥାଏ ଆଉ ପଡ଼ୁଥାଏ ।

 

ସେ ଧୈର୍ଯ୍ୟ ଧରି ସବୁ ଶୁଣୁଥିଲେ । ତାଙ୍କର ଦଇନି ଶୁଣି ସେ ମମତାଶୀଳ ହୋଇ ଉଠିଲେ ।

 

କଣ୍ଠରେ ସହାନୁଭୂତିବ୍ୟଞ୍ଜକ ବାଣୀ ଫୁଟାଇ ହେମକାନ୍ତ କହିଲେ—ସବୁ ଶୁଣିଲି ଗାୟତ୍ରୀ ଦେବୀ ! ଏ ନିଷ୍ପତ୍ତି ହଠାତ୍ ମୁଁ ଏଇଠି କରିପାରୁନି । ମତେ ତିନୋଟି ମାସ ସମୟ ଦେଉନ୍ତୁ । ମୁଁ ଚିନ୍ତା କରେଁ, ଭାବେଁ । ତା’ ପରେ ଆପଣଙ୍କୁ ଆସି କହିବି । ଆପଣଙ୍କ ପ୍ରତି ମୋର ଆନ୍ତରିକତା ରହିଲା, ଜାଣି ରଖନ୍ତୁ ।

 

ଗାୟତ୍ରୀଙ୍କ ପ୍ରାଣରେ ସତେ ଅବା ଜୀବନ ପଶିଲା । ବହୁ ଦୂରରୁ ମନର ବନକୁ ଫାଡ଼ି ସତେ ଯେପରି ବହି ଆସୁଥିଲା ଏକ ନୂତନ ଝରଣା । ତାର ଗତିରେ କେତେ ସଙ୍ଗୀତର ରାଗିଣୀ ତୋଳି ।

 

ରାତି ସେ ଦିନ ଅନେକ ହୋଇଯାଇଥିଲା । ହେମକାନ୍ତ ଆସୁ ଆସୁ ସେ ଦିନ ବୋଧହୁଏ ବାରଟା ବାଜି ଯାଇଥିଲା ।

 

–ଏଗାର–

 

ମାସଟି ଏ ବିତିଯାଇଛି ୟା’ ଭିତରେ ।

 

ହେମକାନ୍ତ ମନରେ ସମାଧାନର ଝଡ଼…….

 

ଦିନେ ସମ୍ପାଦକ ଅନୁପସ୍ଥିତ ଥିବାରୁ ସେ ସମ୍ପାଦକୀୟ ଲେଖୁଛନ୍ତି । ତାଙ୍କ ସାମ୍ବାଦିକ ଜୀବନର ସବୁ ଅଭିଜ୍ଞତା ଓ ଅନୁଭୂତି ଖଟାଇ ଏକ ଶକ୍ତିଶାଳୀ ଭାଷାରେ ସେ ସମ୍ପାଦକୀୟ ଲେଖି ଚାଲିଛନ୍ତି ।

 

ସମ୍ପାଦକୀୟ କଲମ ଶେଷ କରିବାକୁ ଆଉ ମାତ୍ର ଉପସଂହାର ଅଛି, ବାକି ସବୁ ଶେଷ ହୋଇଗଲାଣି ।

 

ସେ ଦିନ ଫୋନ୍ କ୍ରୀଂ କ୍ରୀଂ ହୋଇ ବାଜିଉଠିଲା ।

 

ସବ୍ଏଡ଼ିଟର ଭଗବାନ ବାବୁ ଫୋନ୍ ଧରିଲେ । ସେ କିନ୍ତୁ ନିଜେ ଯାଇ ପାରିଲେନି । ଭଗବାନ ବାବୁ କହିଲେ—ଆପଣଙ୍କୁ ଅଭିନେତ୍ରୀ ଆରତି ରାଉତ ଡାକୁଛନ୍ତି ।

 

ସେ ଶୁଣିଲେ । ଭଗବାନ ବାବୁଙ୍କୁ କହିଲେ—ତାଙ୍କୁ କହନ୍ତୁ ଆଉ ଦଶ ମିନିଟ ପରେ ଡାକିବେ । ଲେଖାଲେଖି କାମସବୁ ସାରିଦେଲେ ହୁଏତ ସମୟ ପାଇବି ତାଙ୍କ ସହ କଥାବାର୍ତ୍ତା କରିବାକୁ । ଭଗବାନ ବାବୁ ସେଇୟା କହି ଫୋନ୍ ରଖିଲେ । ତାଙ୍କର ସମ୍ପାଦକୀୟ ଲେଖା ସରିଲା-। ସେ ଫୋନ୍ ଧରିଲେ ।

 

‘ନମସ୍କାର’—ଆରତି କହିଲେ ।

 

—ନମସ୍କାର ।

 

—ଆଜି ଆସିବେ ଦୟା କରି ମୋ ଘରକୁ ?

 

—କାହିଁକି ?

 

—ଆସିବେ କି ?

 

—କେତେବେଳେ ?

 

—ସଂଧ୍ୟାବେଳେ ?

 

—କାହିଁକି କହନ୍ତୁ ?

 

—‘ରଙ୍ଗମଞ୍ଚର ବିବର୍ତ୍ତନ’ ସମ୍ପର୍କରେ ମୁଁ ଗୋଟିଏ ପ୍ରବନ୍ଧ ଲେଖିଛି । ଆପଣ ଦେଖିବେ ସେଇଟିକୁ । ଆପଣଙ୍କ ପତ୍ରିକାରେ ଅନ୍ତତଃ ସେଇଟିକୁ ଦେବେ ।

 

—ତା’ ହେଲେ ଏଇଠିକି ପଠାଇ ଦେଉନ୍ତୁ ?

 

—ନାଇଁ ଆପଣଙ୍କ ଆଗରେ ଥରେ ପଢ଼ି ଟିକିଏ ଆଲୋଚନା କଲେ ସବୁ ଠିକ୍ ଠାକ୍ ହୋଇଯିବ । ଆପଣ ସଂଧ୍ୟାବେଳକୁ ନିଶ୍ଚୟ ଆସିବେ ।

 

ଫୋନ୍ ରଖି ପୁଣି ସେ ସମ୍ବାଦପତ୍ରର ମେଟର୍ ପ୍ରସ୍ତୁତ କରିବାରେ ଲାଗିଗଲେ ।

 

ସେଇଦିନର ଏକ ଶାନ୍ତ ଶୀତଳ କଜ୍ଜ୍ୱଳ ସନ୍ଧ୍ୟା……

 

ସେ ଅଭିନେତ୍ରୀ ଆରତି ରାଉତଙ୍କ ଘରକୁ ଗଲେ ।

 

ସବୁଦିନଠାରୁ ସେ ଦିନ ଆରତିର ପରିପାଟୀରେ ଚମତ୍କାରିତା ଥିଲା । ଅଭିନେତ୍ରୀର କଳାରେ ତୂଳୀ ଆଉ ରଙ୍ଗ ଦେଇ ସେ ନିଜକୁ କରିଥିଲା ଛଇଳା, ଚପଳା ଆଉ ଗୀତିମୁଖର ଝରଣା-। ଆଖିରେ, ଓଠରେ ଆଉ କେଶରେ ସବୁଥିରେ ଭରି ଦେଇଥିଲା ସେ ଆକର୍ଷଣର ବିଭବ-

 

ହେମକାନ୍ତ ପହଞ୍ଚିଲେ । ମାମୁଲି ରୀତିକୁ ଭୁଲିଯାଇ ଆରତି ତାଙ୍କୁ ନୂତନ କାଇଦାରେ ସମ୍ବର୍ଦ୍ଧନା ଜଣାଇଲେ ସେ ଦିନ ।

 

ସେ ଲକ୍ଷ୍ୟ କରୁଥାନ୍ତି ଆରତିକୁ । ଲକ୍ଷ୍ୟ କଲାବେଳେ ମନେ ମନେ ଭାବୁଥିଲେ, ଆରତି ଅଭିନୟ କରି ଜାଣନ୍ତି । ତୂଳୀ ଆଉ କାଳିର ସ୍ପର୍ଶରେ ପ୍ରକୃତ ବୟସ ଅପେକ୍ଷା ଆହୁରି ଆଠ ଦଶବର୍ଷ ତଳକୁ ସେ ଖସିଯାଇ ପାରୁଛନ୍ତି । ଏଇଟା ତ ଆରତିଙ୍କ ରହିବା ଘର । ରଙ୍ଗମଞ୍ଚ ତ ନୁହେଁ ଆଉ ! ସେ ଜଣେ ଦର୍ଶକ ହିସାବରେ ଏଠାକୁ ଆସିନାହାନ୍ତି, ସେ ଆସିନାହାନ୍ତି ତାଙ୍କ ଅଭିନୟର ଭଙ୍ଗିମା ଆଉ ଚାତୁରୀ ଦେଖିବାକୁ । ଜଣେ ସାମ୍ବାଦିକ ହିସାବରେ, ଜଣକର ଅନୁରୋଧକ୍ରମେ ଗୋଟିଏ ପ୍ରବନ୍ଧକୁ ସଂଶୋଧନ କରିବାକୁ ସେ ଆସିଛନ୍ତି, ସେଥିପାଇଁ କାହିଁକି ୟାଙ୍କର ଏତେ ରୂପସଜ୍ଜା, ଏତେ ପରିପାଟୀ, ଏତେ ବିନ୍ୟାସ ?

 

ଏଇମିତି ସେ ଭାବୁଛନ୍ତି, ପ୍ରବନ୍ଧଟିକୁ ଆରତି ନିଜେ ଆଲମିରାରୁ କାଢ଼ି ତାଙ୍କ ପାଖକୁ ଆଣିଲା ।

 

ହେମକାନ୍ତ କହିଲେ—ଆପଣ ପଢ଼ନ୍ତୁ, ମୁଁ ଶୁଣେ । ଯେଉଁଠି ପରିବର୍ତ୍ତନ କରିବାର ଦରକାର ପଡ଼ିବ, ମୁଁ କହିବି ।

 

ଆରତି ପ୍ରବନ୍ଧ ପଢ଼ା ଆରମ୍ଭ କଲା !

 

ପଢ଼ା ସରିଲା । ଆବଶ୍ୟକୀୟ ସଂଶୋଧନ ବି ହେଲା । ସେ କହିଲେ—ପ୍ରବନ୍ଧଟି ସୁଚିନ୍ତିତ ହୋଇଛି ଆରତି ଦେବୀ । ଆଗାମୀ ରବିବାର ସନ୍ଧ୍ୟାରେ ମୁଁ ଏଇଟିକୁ ଦେବାକୁ ଚେଷ୍ଟା କରିବି ।

 

ଏତିକି କହି ପ୍ରବନ୍ଧଟିକୁ ହାତରେ ଧରି ଚେୟାର ଉପରୁ ସେ ଉଠିପଡ଼ିଲେ । କହିଲେ—ମୁଁ ଯାଉଛି ଆରତି ଦେବୀ, ପରେ ପୁଣି କେବେ ଦେଖାହେବ ।

 

ଆରତି କହିଲା—ଆପଣଙ୍କ ସାଙ୍ଗରେ ଅନେକ କିଛି କଥାବାର୍ତ୍ତା କରିବାର ଅଛି । ବସିଲେ କଥାବାର୍ତ୍ତା କରିବାର ସୁଯୋଗ ପାଇପାରିବି ।

 

ସେ ପୁଣି ସେଇଠି ବସିଲେ । ଆରତି କହିଲା—କିଛି ମନେ କରିବେନି ହେମକାନ୍ତ ବାବୁ, ମୋ ବେଡ୍ ରୁମ୍‌କୁ ଗଲେ ଅତି ନିରୋଳାରେ ବସି କଥାବାର୍ତ୍ତା ହେବା । ଏଠି ଚାକରାଣୀ ଅଛି, କାମ କରୁଛି—ଆମେ ଯାହା କଥାବାର୍ତ୍ତା କରିବା ସେ କାନ ଦେବ ।

 

ସେ ପ୍ରମାଦ ଗଣିଲେ । ସେ ଦିନ ଢୁ ଢୁ ଶ୍ରାବଣ ଅସରାରେ କେତକୀ ଯେମିତି ଆସିଥିଲା, ସେ ଦିନ ଗାୟତ୍ରୀ ଯେମିତି ନିଜ ପ୍ରାଣର କରୁଣ କାହାଣୀ ବଡ଼ ମର୍ମସ୍ପର୍ଶୀ ଭାଷାରେ କହି ବିବାହପାଇଁ ବ୍ୟସ୍ତ ବିକଳ ହୋଇଥିଲା, କଳାକୁଶଳୀ ଅଭିନେତ୍ରୀ ଆରତି ରାଉତ ଆଜି ପୁଣି ସେଇମିତି କରିବେ କି ? ନିଜ ବେଡ୍ ରୁମ୍ ଭିତରକୁ କାହିଁକି ସେ ଡାକି ନେଉଛନ୍ତି ? ସେ ଭାବୁଥିବେ, ସେଇ ଘରର ବେଡ୍ ଉପରେ ବସାଇ ମଧୁର କଥା କହି ତାଙ୍କ ମନକୁ ହୁଏତ ସେ ଉଦାସ କରିଦେବେ । ମନ ଉଦାସ ହୋଇଗଲେ ସେ ମୋହାବେଶ ହୋଇପଡ଼ିବେ । ତାରି ସୁଯୋଗ ନେଇ ଆରତି ହୁଏତ ଅନେକ କିଛି କରିଯିବ ।

 

ଆରତି ପଲଙ୍କ ଉପରେ ଗୋଟିଏ କଡ଼କୁ ବସିଲେ । ତାଙ୍କୁ ପଲଙ୍କର ଆର କଡ଼ରେ ବସିବାକୁ କହିଲେ । ସେ ବସିଲେ ।

 

ତାଙ୍କର ଆଖି ଘରର ଚାରିକାନ୍ଥରେ ଘୂରୁଛି । ଘରଟା ମହ ମହ ହୋଇ ବାସୁଛି । ଘରେ ଥୁଆ ହୋଇଛି କେତେ ପ୍ରସାଧନୀ । କେତେ ରଙ୍ଗର ଶାଢ଼ି, କେତେ ଦାମୀ କନାର ବ୍ଳାଉଜ୍, ଖାଲି ଧାଡ଼ି ଧାଡ଼ି ହୋଇ ଟଙ୍ଗା ଯାଇଛି । ପୁଣି ନିଜର କେତେ ଫଟୋ ନାଟକର ଅଭିନୟ ଭିତରେ କେତେ ଭଙ୍ଗିମାରେ ତାଙ୍କର ଫଟୋ ନିଆଯାଇଛି—ସେସବୁ ନିରୀକ୍ଷଣ କରୁଛନ୍ତି ।

 

ଆରତି ବେଦନାଜଡ଼ିତ କଣ୍ଠରେ କହିଲା—ଆପଣ ଯଦି କିଛି ନ ଭାବିବେ, ତା’ ହେଲେ କଥାଟିଏ ମୁଁ କହିବି—ଏତକ କହି ସେ ଲାଜ ଲାଜ ହୋଇ ନିଜର ଲୁଗା କାନିଟାକୁ ମୋଡ଼ିବାରେ ଲାଗିଲା । ମୁଖଣ୍ଡଳରେ ତାର ସତେ ଯେପରି ଲଜ୍ଜାର ସବୁ ଅରୁଣିମା ଢାଙ୍କି ହୋଇଗଲା । ସେ ଭାବିଲେ, କୌଣସି ଏକ ନାଟକରେ ଏଇ ଆରତି ଯେପରି ସେ ଦିନ ନିଜର ପ୍ରେମିକ ନିକଟରେ ବିରହ ବ୍ୟଥାରେ ଆଖି ଦୁଇଟି ଅଶ୍ରୁସଜଳ କରିଥିଲେ ସେଇ ଅଭିନୟ ଆଜି ଯେପରି ତାଙ୍କର ଆଗେ ସେ କରୁଛନ୍ତି । ପ୍ରଥମ ଦିନ, ଯେଉଁଦିନ ପ୍ରଥମ କରି ଏଇ ଆରତିଙ୍କ ସହ ତାଙ୍କର ସାକ୍ଷାତ୍‌ ହୁଏ, ଆଉ ସେଇ ସାକ୍ଷାତରେ ସେ ନିଜେ ଯେତେବେଳେ ଲାଜ ଲାଜ ହୋଇ ତାଙ୍କୁ ପରିଷ୍କାରଭାବେ ଚାହିଁ ପାରୁ ନ ଥିଲେ, ସେଇଦିନ ଏଇ ଆରତି ଅଣ୍ଡା ଆମଲେଟ୍ ଆଉ ଚା’ ଆଣି ଦେଇଥିଲେ । ସେ ଦିନ ସେ ତାଙ୍କରି ଆଗରେ ସ୍ୱାଭାବିକ ଓ ସହଜ ଭାବରେ ବସି ଅଣ୍ଡା ଖାଇପାରୁ ନଥିଲେ । ସେ ଦିନ ଏଇ ଆଗ କହିଥିଲେ—ଦେଖୁନାହାନ୍ତି ମୋର ସରିଗଲାଣି ।

 

ମନେ ମନେ ବହେ ହସିଲେ ହେମକାନ୍ତ । ତା’ପରେ ସେ କହିଲେ—କ’ଣ କହନ୍ତୁ, କିଛି ଭାବିବି ନାହିଁ । ଯାହା କିଛି କହିବେ, ସବୁ ଧୈର୍ଯ୍ୟ ଧରି ଶୁଣିବି ।

 

ଆରତି କହିଲା—ସେ ଦିନ ଆପଣ ଯେଉଁ କଥା କହିଗଲେ ସେଇ କଥା କେଇପଦ ମତେ ଭୟଙ୍କରଭାବେ ଆହତ କରିଥିଲା । ମୋ ଛାତିକୁ ମୁଗୁରରେ ପିଟିଲା ଭଳି ଜଣାପଡ଼ିଲା । ମୋ ଅଭିନେତ୍ରୀ ଜୀବନ ଉପରେ ସତେ ଯେପରି ଏକ ବଜ୍ର ପଡ଼ିଲା । ମୁଁ ପରେ ଭାବି ଦେଖିଲି ଆପଣ ସେ ଦିନ ମତେ ବିଦ୍ରୁପ କରି ନ ଥିଲେ, ଆଘାତ ଦେଇ ନଥିଲେ, ମୋ ଜୀବନରେ ଏକ ସଂସ୍କାର ଆଣିବାପାଇଁ ଆପଣ ଯଥେଷ୍ଟଭାବରେ ମତେ ସେଥିରେ ଇଙ୍ଗିତ ଦେଇଥିଲେ ।

 

ହେଇ ସେ ଦିନ ଆପଣଙ୍କର ସେଇ ଓଲିଆ ଗାଈଟିର ଉଦାହରଣ ପରିଷ୍କାର ଭାବେ ମୋର ମନେ ଅଛି । ସେଇ କଥାଟି ମତେ ବିଶେଷଭାବେ ପ୍ରଭାବିତ କରିଛି । ଶୁଣନ୍ତୁ ହେମକାନ୍ତ ବାବୁ, ବାରବର୍ଷ କାଳ ଏଇ ଅଭିନେତ୍ରୀର ଜୀବନ ଗ୍ରହଣ କରିନେଇ ମୁଁ ଆଜି କ୍ଳାନ୍ତ, ଅବସନ୍ନ । ମଞ୍ଚ ଉପରେ ଠିଆ ହୋଇ ମୁଁ ଅଭିନୟ କରିପାରିବିନି । ଅଭିନୟ କ୍ରମରେ ମୁଁ ଅନେକଥର ବଧୂ ସାଜିଛି, ଆଦର୍ଶ ଗୃହିଣୀ ହୋଇ ସ୍ୱାମୀପୁତ୍ରଙ୍କର ଯତ୍ନ ଆଉ ସେବା କରିଛି—ଶାଶୁ ଶ୍ୱଶୁରଙ୍କ ଶୁଶ୍ରୂଷା ଓ ପରିଚର୍ଯ୍ୟା କରି କେତେ ଆଶୀର୍ବାଦ ପାଇଛି ।

 

ଅନେକ ନାଟକରେ ମୁଁ ସତୀ—ଶିରୋମଣି ହୋଇଛି । ମୋ ସତୀତ୍ୱର ସୀମାରେଖା ପ୍ରେକ୍ଷାଳୟର ସେଇ ଚାରି କାନ୍ଥ ଭିତରେ ସୀମିତ ହୋଇରହିଛି । କେତେ ଦୁର୍ବୃତ୍ତ ନଷ୍ଟଚରିତ୍ର ଯୁବକ ମୋ ସତୀତ୍ୱକୁ ଲୁଣ୍ଠନ କରିନେବା ପାଇଁ ନାନ ଚକ୍ରାନ୍ତ କରିଛନ୍ତି—କିନ୍ତୁ ମୁଁ ସେଥିରୁ ନିଷ୍କୃତି ପାଇଯାଇଛି ।

 

ସତରେ ହେମକାନ୍ତ ବାବୁ, ଏ ଅଭିନୟର କଥା । ଦିବସର ସୂର୍ଯ୍ୟ ତଳେ ମୁଁ ଯାହା ନୁହେଁ, ଯାହା ମୋର ନାହିଁ, ଆଉ ମୁଁ ଯାହା ନ କରିପାରିବି, ରାତିରେ ରଙ୍ଗମଞ୍ଚର ବିଜୁଳି ଆଲୁଅ ତଳେ ମୁଁ ସେଇଆ ହୁଏ, ମୋର ସବୁ ଥାଏ ଆଉ ମୁଁ ସବୁ କରିପାରେ । ଏ ଅଭିନୟ ମୁଁ ଆଉ କରିପାରିବିନି ହେମକାନ୍ତ ବାବୁ ! ମୁଁ ବିବାହ କରିବି । ପବିତ୍ର ବୈବାହିକ ବନ୍ଧନରେ ଆବଦ୍ଧ ହୋଇ ମୋ ପ୍ରାଣକୁ ମଧୁର ଶୀତଳ କରିବି ।

 

ସତ କହୁଛି ହେମକାନ୍ତ ବାବୁ, ବିବାହ ମୋର ସରିଗଲେ, ଏ ଅଭିନୟ ଭିତରକୁ ମୁଁ ଆଉ ପଶିବିନି । ସ୍ୱାମୀ, ଶାଶୁ ଆଉ ଶଶୁରଙ୍କୁ ପ୍ରେମ ଆଉ ଭକ୍ତି ଦେଇ ମୋ ମନଭିତରେ ସରଗର ସବୁ ଶାନ୍ତି ମୁଁ ଗୋଟାଇ ଆଣିବି । ଏତକ କହିସାରିଲା ପରେ ଆରତିର କଣ୍ଠ ରୁଦ୍ଧ ହୋଇଆସିଲା–ଆଖି ଅଶ୍ରୁସଜଳ ହୋଇଉଠିଲା ।

 

ହେମକାନ୍ତ ଶୁଣିଥିଲେ । ସେ ବୁଝିଥିଲେ, ଆରତି ତାଙ୍କର ଅଭିନେତ୍ରୀ ଜୀବନରେ କ୍ଳାନ୍ତ; ତେଣୁ ସେ ଚାହୁଛନ୍ତି ବିବାହ କରିବାକୁ । ଅଭିନୟର ଗାରଦ ଭିତରୁ ଖସିଆସି ସେ ବୋଧହୁଏ ଦାମ୍ପତ୍ୟ-ଜୀବନର ସୁଖସଂଭୋଗ ଚାଖିବାକୁ ବ୍ୟସ୍ତ ହୋଇପଡ଼ିଛନ୍ତି ।

 

ସେ କହିଲେ—ଶୁଣନ୍ତୁ ଆରତି ଦେବୀ ! ଅଭିନେତ୍ରୀ ଜୀବନରେ ଆପଣଙ୍କର ଯେତେବେଳେ କ୍ଳାନ୍ତ ଆଉ ଅବସାଦ ଆସିଲାଣି, ସେତେବେଳେ ଆପଣଙ୍କ ଥିଏଟର ପାର୍ଟିର ଜଣକୁ କାହିଁକି ବିବାହ କରୁନାହାନ୍ତି ? ବିବାହ କରିସାରିଲା ପରେ ଦୁହେଁଯାକ ଏ ଅଭିନୟ ଛାଡ଼ି ସାଂସାରିକ ଜୀବନଯାତ୍ରା ଆରମ୍ଭ କରିଦେବେ । ତା’ ହେଲେ ତ ବେଶ୍ ଆପଣଙ୍କ ଜୀବନରେ ପରିପୂର୍ଣ୍ଣତା ଆସିଯିବ ।

 

ଆରତି କହିଲା—କିନ୍ତୁ ହେମକାନ୍ତ ବାବୁ, ଏଇ ଥିଏଟର୍ ପାର୍ଟିର ଅଭିନେତା ଭୂମିକାରେ ଯେଉଁମାନେ ଅଂଶ ଗ୍ରହଣ କରନ୍ତି, ସେଇମାନଙ୍କ ଭିତରୁ ମୁଁ ଜଣକୁ ବିବାହ କରି ସୁଖୀ ହୋଇପାରିବିନି । କାରଣ ସେ ଅଭିନେତା ଆଉ ମୁଁ ଅଭିନେତ୍ରୀ । ଉଭୟ ଅଭିନୟା କରି କରି ଦିନ ନେଇଛୁଁ । ତେଣୁ ଆମେ ଯେତେବେଳେ ରଙ୍ଗମଞ୍ଚ ଛାଡ଼ି ସଂସାରଯାତ୍ରା ସୁର କରିଦେବୁ, ସେତେବେଳେ ସେ ସଂସାର ସଂସାର ପରି ଲାଗିବନି —ଲାଗିବ ସେଇ ରଙ୍ଗମଞ୍ଚର ଅଭିନୟ ପରି-। ତା’ ଛଡ଼ା ଏ ପ୍ରସାବରେ କୌଣସି ଅଭିନେତା ରାଜି ହେବେନି ହେମକାନ୍ତ ବାବୁ-! ମୁଁ ବି କାହାରିକୁ ଅନୁରୋଧ କରିପାରିବିନି । ମୋର ଏ ଧରଣର ଦୁର୍ବଳତା ଜାଣିଲେ ଆମ ମ୍ୟାନେଜର ରାଗିବେ । ଅଭିନେତା ସବୁ ହସିବେ । ତେଣୁ ମୁଁ ତାହା କରିପାରିବିନି ହେମକାନ୍ତ ବାବୁ, ମୁଁ ତାହା କରିପାରିବିନି ।

 

ଶୁଣିବେ—ରଖିବେ, ମୋର ଏକାନ୍ତ ଅନୁରୋଧକୁ । ଆପଣ ଅବିବାହିତ । ବିବାହ କରିବା ପାଇଁ ଆପଣଙ୍କ ମନ ଭିତରେ ମୋରି ପରି ସ୍ୱପ୍ନ ଜାଗୁଥିବ, ଆକାଙ୍‍କ୍ଷା ବଢ଼ୁଥିବ । ବାଡ଼ୁଅ ଜୀବନ ମୋରି ପରି କ୍ଳାନ୍ତିକର ବୋଧ ହେଉଥିବ । ତେଣୁ ଦୟାକରି ମତେ ଆପଣ ବିବାହ କଲେ କ’ଣ କ୍ଷତି ହୁଅନ୍ତା ? ସେଇଥିପାଇଁ ଆଜି ଆପଣଙ୍କୁ ସେଇ ପ୍ରବନ୍ଧର ବାହାନା ଦେଇ ଡାକିଥିଲି । ମୋର ଏ ଆବେଦନ ଯଦି ସୌଜନ୍ୟହୀନ ହୋଇଥାଏ, ତାହେଲେ ମତେ କ୍ଷମା କରିବେ ।

 

ବଡ଼ ଭାବପ୍ରବଣ କଣ୍ଠରେ ଏତକ କହିସାରି ଆରତି ସେଇ ପଲଙ୍କ ଉପରୁ ଓହ୍ଲାଇ ଆସି ତାଙ୍କର ଦୁଇ ଗୋଡ଼କୁ ଧରି ତଳେ ପଡ଼ିଗଲା । ଆଖିରୁ ତାର ଧାର ଧାର ଲୁହ ଛୁଟି ଚାଲିଥାଏ ।

 

ହେମକାନ୍ତ ପଲଙ୍କ ଉପରୁ ତଳକୁ ଓହ୍ଲାଇ ଆସିଲେ । ଆରତିକୁ ତଳୁ ଉଠାଇବାକୁ ଚେଷ୍ଟା କଲେ—ସେ ଚେଷ୍ଟା କରୁଛନ୍ତି ତାକୁ ତଳୁ ଉଠାଇ ଆଣି ଠିଆ କରାଇ ଦେବେ—ସେ ଯେତେବେଳେ ତାକୁ ଉଠାଇଲେ ଆରତି ସେତେବେଳେ ତାଙ୍କ ଛାତି ଉପରେ ଆଉଜି ପଡ଼ି କହିଲା, ‘କହନ୍ତୁ ହେମକାନ୍ତ ବାବୁ, ଆପଣଙ୍କର କ’ଣ ମତାମତ ? ମୋତେ ଆପଣ ବିବାହ କଲେ କ୍ଷତି କ’ଣ ହେବ ଆପଣଙ୍କର ?’

 

ସେ ତାଙ୍କୁ ସେଇ ଅବସ୍ଥାରେ ଛାଡ଼ିଦେଇ ଟିକିଏ ଦୂରେଇ ଠିଆହେଲେ । ମହାହଇରାଣରେ ପଡ଼ିଲେ ସେ । କ’ଣ ତାକୁ କହିବେ ମନଭିତରେ କିଛି ଠିକ୍ କରିପାରିଲେନି । ଭାବିଲେ, କାହିଁକି ଅଭିଆଡ଼ା ରହିଲେ ସେ ? ଅବିବାହିତ ରହିଲେ ଏତେ ସ୍ତ୍ରୀଲୋକଙ୍କର ଦୃଷ୍ଟି ସେଇଆଡ଼େ କାହିଁକି ଆକର୍ଷିତ ହୁଏ ? ସେଇ ଦୃଷ୍ଟି ଭିତରୁ, ସେଇ ଜାଣିବା ଭିତରୁ ସେମାନେ କ’ଣ ପାଆନ୍ତି କେଜାଣି ?

 

ଏଇମିତି ଭାବି ସେ କହିଲେ—ଆରତି ଦେବୀ, ଆପଣ ଏତେ ହଠାତ୍ ଏଭଳି ପ୍ରସ୍ତାବ ପକାଇବେ ବୋଲି ମୁଁ କଳ୍ପନା କରିନଥିଲି । ଆପଣଙ୍କର ମନେଥିବକି ନାହିଁ, ମୁଁ କିନ୍ତୁ ଆପଣଙ୍କୁ ଥରେ କହିଥିଲି ବିବାହ କରିବି କି ନାହିଁ, ଏପର୍ଯ୍ୟନ୍ତ ସ୍ଥିରସିଦ୍ଧାନ୍ତ ମୁଁ କରିନି । ମୁଁ ଭାବୁଛି ଆରତି ଦେବୀ, ବିବାହ ହିଁ ଜୀବନରେ ଏକ ବିରାଟ ସମସ୍ୟା । ଏଇ ଧରନ୍ତୁ, ଆପଣଙ୍କ ଖାଦ୍ୟ ସମସ୍ୟା । ଏ ସମସ୍ୟା ପାଇଁ ଆପଣଙ୍କ ଦେଶର ସରକାରକୁ ଯେପରି ଚିନ୍ତା କରିବାକୁ ପଡ଼େ, ତାହାଠାରୁ ହଜାର ଗୁଣରେ ବିବାହ କରିବାକୁ ଲୋକକୁ, ବିବାହ କରିବା ପାଇଁ ଚିନ୍ତା କରିବାକୁ ପ୍ରାୟତ ପଡ଼ିଥାଏ । ସେଇ ଦୃଷ୍ଟିରୁ ଆପଣଙ୍କୁ କିପରି ମୁଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବି ? ତା’ ପରେ ଏତେ ହଠାତ୍ ପୁଣି ଆପଣଙ୍କ ବେଡ୍‍ରୁମ୍‌ରେ ବସି କିପରି ମୁଁ ଜବାବ ଦେଇଦେବି ? ମତେ ଦୁଇ ମାସ ଅନ୍ତତଃ ସମୟ ଦେଉନ୍ତୁ । ମୁଁ ଚିନ୍ତା କରେ । ଭାବିଚିନ୍ତି ଆପଣଙ୍କୁ କହିବି ।

 

ଆରତି ଆସ୍ୱସ୍ତ ହେଲା । ସମଗ୍ର ମୁଖଣ୍ଡଳରେ ତାର ସତେ ଯେପରି ଆଶା ଆଉ ଆକାଙ୍‍କ୍ଷାର ଏକ ଉଜ୍ଜ୍ୱଳ ଦୀପ୍ତି ଖେଳି ଖେଳି ବୁଲିଲା । ନାକ ଆଗ ତାର ଫୁଲି ଉଠିଲା ।

 

ହେମକାନ୍ତ ଫେରିଲେ । ଆରତି ବିଦାୟ ଦେଲା ।

 

ରାତି ଟିକିଏ ବେଶୀ ହୋଇଯାଇଥିବାରୁ ସେ ରିକ୍‌ସା ଖଣ୍ଡେ କଲେ । ରିକ୍‌ସାରେ ସହରର ପଥ ଅତିକ୍ରମ କରି ନିଜ ବସାକୁ ଯାଉଥିଲାବେଳ ସେ ଭାବୁଥିଲେ ଅଭିନେତ୍ରୀ ଆରତି ରାଉତଙ୍କ କଥା… ବିବାହ କରିବା ପାଇଁ ଏମାନଙ୍କର ସତେ କି ପ୍ରବଳ ପ୍ରୟାସ ! ନିଜ ବୋଡ୍‍ରୁମ୍ ଭିତରକୁ ଅତି ନିରୋଳାରେ ଡାକିନେଇ ଏକ କରୁଣ ଏବଂ ବେପଥୁ ପରିବେଶ ସୃଷ୍ଟି କରି ଗୋଡ଼ହାତକୁ ଧରି ଜବାବ୍ ନେବାପାଇଁ ଏମାନଙ୍କର କି ପ୍ରାଣମୂର୍ଚ୍ଛା ଉଦ୍ୟମ !

 

ରିକ୍‌ସାରେ ହସି ଉଠିଲେ ସେ ।

 

ରିକ୍‌ସାବାଲା ପଚାରିଲା—ହସିଲେ ବାବୁ ?

 

ସେ କହିଲେ—ନାଇଂରେ ଚାଲ, କଥାଟିଏ ମନରେ ପଡ଼ିଲା ଯେ ଭାରି ହସ ଲାଗିଲା । ତେଣୁ ହସି ଦେଲି ।

 

–ବାର–

 

ପୁଣି ମାସଟିଏ ଗଡ଼ିଯାଇଛି…..

 

ସେ ଦିନ ରେଡ଼ିଓରେ ହେମକାନ୍ତ ପ୍ରବନ୍ଧଟିଏ ପଢ଼ିବାକୁ ଯାଇଥିଲେ ।

 

ଅଲ୍ ଇଣ୍ଡିଆ ରେଡ଼ିଓ କେନ୍ଦ୍ରର ଘୋଷିତ କାର୍ଯ୍ୟକ୍ରମ ଯଥାସମୟରେ କାର୍ଯ୍ୟକାରୀ ହେଲା । ସେ ଫେରୁଥିଲେ ତାଙ୍କ ବସାକୁ ।

 

ସେ ବାହାରୁଛନ୍ତି ତାଙ୍କର ଭେଟ ହେଲା ବେତାରଶିଳ୍ପୀ ମାଳତୀ ନାୟକଙ୍କ ସହ । ମାଳତୀ ହସି ହସି ତାଙ୍କୁ ନମସ୍କାର ଜଣାଇଲେ । ସେ ବି ତାକୁ ସେଇ ରୀତିରେ ପ୍ରତି ନମସ୍କାର ଜଣାଇଲେ ।

 

ମାଳତୀ କହିଲା—କେମିତି ଅଛନ୍ତି ହେମକାନ୍ତ ବାବୁ ? ବହୁଦିନ ପରେ ଆପଣଙ୍କ ସହ ଆଜି ମୋର ଦେଖା ।

 

ସେ କହିଲେ—ଆପଣ ସିନା ପ୍ରତିଦିନ ଏଠାରେ କଲ୍ ପାଉଛନ୍ତି, ଆମେ କିନ୍ତୁ ସାହିତ୍ୟିକ, ସମ୍ବାଦିକମାନେ ଦୁଇ ମାସ ଚାରି ମାସରେ ଥରେ ଥରେ କଲ୍ ପାଉଛୁଁ । ମୁଁ ଅନ୍ତତଃ ଯଦି ମାସକୁ ଦୁଇଥର ଖଣ୍ଡେ କଲ୍ ପାଉଥାନ୍ତି ତା ହେଲେ ଆପଣଙ୍କ ସହ ପ୍ରାୟତ ଦେଖାସାକ୍ଷାତ୍ ହେଉଥାନ୍ତା ।

 

ମାଳତୀ କହିଲା—ହେମକାନ୍ତ ବାବୁ, ଏକ ସୁସମ୍ବାଦ ଆଜି ଆପଣଙ୍କୁ ମୁଁ ଜଣାଉଛି । ମୁଁ ଭାବୁଛି, ନିକଟରେ ବମ୍ବେ ଯିବି ବୋଲି । ପ୍ରସିଦ୍ଧ ଚିତ୍ର ନିର୍ମାତା ହରିଶ୍ ଶର୍ମା କାଲି ମୋ ପାଖକୁ ଏକ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ହିନ୍ଦୀଚିତ୍ରରେ ମୁଁ ପୃଷ୍ଟଭୂମି ଗାୟିକାରୂପେ ସେଠାକୁ ଗଲେ ଗୋଟିଏ ଚିତ୍ରରେ ସେ ଅନ୍ତତଃପକ୍ଷେ ମତେ ଦୁଇ ହଜାର କରି ଟଙ୍କା ଦେବେ । କ’ଣ ଯିବି ହେମକାନ୍ତ ବାବୁ ?

 

ସେ କହିଲେ—ତା’ ହେଲେ କହିବାକୁ ଅଛି ଆଉ ! ଯିବାର କଥା ନା ! ଆପଣଙ୍କ ସ୍ୱାମୀ ଯଦି ଏଥିରେ ଏକମତ ହୁଅନ୍ତି, ଆପଣ ଶୀଘ୍ର ଚାଲିଯିବାର ବ୍ୟବସ୍ଥା କରନ୍ତୁ ।

 

ମାଳତୀ କହିଲା—ଆପଣଙ୍କୁ ଥରେ କହିଥିଲି ପାଞ୍ଚ ବର୍ଷପାଇଁ ଆମର କଣ୍ଟ୍ରାକ୍‌ଟ ମ୍ୟାରେଜ୍ ହୋଇଥିଲା । ଯେତେବେଳେ ପ୍ରଥମ କରି ଆପଣଙ୍କ ସହ ମୋର ଦେଖା ହୋଇଥିଲା ସେତେବେଳେ ଆମ ବିବାହର ତିନୋଟି ବର୍ଷ ଗଡ଼ି ଯାଇଥିଲା । ୟା’ ଭିତରେ ଆଉ ଦୁଇଟି ବର୍ଷ ମଧ୍ୟ ଗଡ଼ିଯାଇ ସାରିଲାଣି । ଆଜିକୁ ପ୍ରାୟ ମାସେ ହେବ ଆମେ ଆଉ ସ୍ୱାମୀ, ସ୍ତ୍ରୀ ହୋଇ କେହି ନାହୁଁ । ଆମର ଚୁକ୍ତି ଅନୁସାରେ ସେ ଆଉ ମୋର ସ୍ୱାମୀ ହୋଇ ରହି ନାହିନ୍ତି ।

 

ହେମକାନ୍ତ ଆଶ୍ଚର୍ଯ୍ୟଭରା କଣ୍ଠରେ ପଚାରିଲେ—ଅମିତାଭ ବାବୁ, ବର୍ତ୍ତମାନ କ’ଣ କରୁଛନ୍ତି ତା’ ହେଲେ ? ତାଙ୍କ ସହ ଆପଣଙ୍କର ତ ଦେଖା ସକ୍ଷାତ୍ ହେଉଥିବ ? କଥାବାର୍ତ୍ତା ହେଉଥିବ ତ ?

 

ମାଳତୀ କହିଲା—ହଁ ଦେଖାହୁଏ, ମାମୁଲି ରୀତିରେ ବି କଥାବାର୍ତ୍ତା ହୁଏ । ମୁଁ ଶୁଣିଲି ପୁଣି କୁଆଡ଼େ ସେ କଣ୍ଟ୍ରାକ୍‌ଟ ମ୍ୟାରେଜ୍ କରିବାକୁ ଯାଉଛନ୍ତି । ଆପଣ ଜାଣିଥିବେ କୁନ୍ତଳିକା ପାତ୍ରକୁ—ସଙ୍ଗୀତ ଗାୟିକା—ବେତାରଶିଳ୍ପୀ । ତାରି ସହ ତାଙ୍କର ବିବାହ ପୁଣି ହେଉଛି ବୋଲି ଶୁଣିଛି । କେତେଦୂର ସତ୍ୟ ତା’ ଅବଶ୍ୟ ମୁଁ କହିପାରିବିନି ।

 

ସେ ଟିକିଏ ବିଦ୍ରୁପ କରି କହିଲେ—ଆଉ ଆପଣ ? ମାଳତୀର ମୁହଁ ଶୁଖିଗଲା । ସତେ ଅବା ଛାତିରେ ତାର ଛନକା ପଶିଲା । ଓଠରେ ଶୁଖିଲା ହସର ଫଗୁ ଖେଳାଇ କହିଲା—ମୁଁ ଚାହେ ପୁଣି ଥରେ ବିବାହ କରିବାକୁ । ଯେଉଁ ବିବାହପାଇଁ ଏକ ଚୁକ୍ତି ନ ଥିବ, ସର୍ତ୍ତ ନଥିବ ।

 

ସେ ବିଦାୟ ନେବାକୁ ଉଦ୍ୟତ ହେଲେ ।

 

ମାଳତୀ କହିଲା— କାଲି ସକାଳେ ଆପଣ ଆପଣଙ୍କ ବସାରେ ରହିବେ କି ?

 

ସେ କହିଲେ—କ’ଣ କାମ ଅଛି କହୁନାହାନ୍ତି ? କାଲି ସକାଳେ ମୁଁ ହୁଏତ ମୋ ବସାରେ ରହିପାରେଁ ।

 

ମାଳତୀ କହିଲା—କାଲି ଗଲେ ସବୁ କଥା କହିବି । ହଉ ଥାଉନ୍ତୁ । ନମସ୍କାର ।

 

—ନମସ୍କାର ।

 

ସେ ରିକ୍‌ସାରେ ଆସୁଛନ୍ତି—ମନେପଡ଼ିଲା ତାଙ୍କର ସଙ୍ଗୀତ ଶିଳ୍ପୀ ମାଳତୀ ନାଏକଙ୍କ କଥା—ପାଞ୍ଚ ବର୍ଷପାଇଁ ଜଣକୁ ସ୍ୱାମୀରୂପେ ଗ୍ରହଣ କରିଥିଲେ ଇଏ । ତାଙ୍କଠାରୁ ସ୍ତ୍ରୀ ହିସାବରେ ଯାହା ଆଦାୟ କରିବାର କଥା, ଆଦାୟ କରିସାରିଛନ୍ତି । ପାଞ୍ଚଟି ବର୍ଷ ପୁଣି ଯେତେବେଳେ ପୂରିଯିବ ଏବଂ ଯାହାଙ୍କୁ ଏଇମିତି ଦ୍ୱିତୀୟ ଥରପାଇଁ ସ୍ୱାମୀରୂପେ ଗ୍ରହଣ କରିବେ, ସେତେବେଳେ ତାଙ୍କଠାରୁ ସେଇ ସବୁତକ ଆଦାୟ କରିସାରି ପୁଣି ଆଉ ଜଣକୁ ଧରିବେ । ବିଚିତ୍ର ଏ ପରମ୍ପରା ! ଏ ଦେଶର କୃଷ୍ଟି ଆଉ ସଂସ୍କୃତିର ବାୟୁମଣ୍ଡଳରେ ଏ ଧରଣର ଜୀବାଣୁ ମଧ୍ୟ ଖେଳି ଖେଳି ବୁଲିଲାଣି !

 

ପୁଣି ଭାବିଲେ, ମାଳତୀ କାହିଁକି ଆସିବାକୁ କହିଲେ । ଆଜି ଯାକେ ସେ ଅଭିଆଡ଼ା ରହିଛନ୍ତି ବୋଲି ସମସ୍ତଙ୍କର ଆଖି ପଡ଼ୁଛି ତାଙ୍କର ଆଡ଼େ । କାହିଁକି ? କି ଏକ ଅଶୁଭ ମୁହୂର୍ତ୍ତରେ ସେ ଏଇ ସାମ୍ବାଦିକ ଜୀବନ ଗ୍ରହଣ କରିନେଲେ କେଜାଣି । ଆସିଲାଦିନଠାରୁ ଏଇ ବିବାହ ଆସି ଏକ ସମସ୍ୟାରୂପେ ଦେଖାଦେଉଛି । ଯେଉଁମାନେ ଅଭିନୟ କରି କରି ଦିନ ନେଉଥିଲେ ବିବାହ କରିବେନି ବୋଲି ବାପା ମା’ଙ୍କୁ ଫାଙ୍କି ଅଧ୍ୟାପିକା ସାଜିଥିଲେ ସେଇମାନେ ଆଜି ବିବାହ କରିବା ପାଇଁ ଆଗ୍ରହୀ । ବିବାହ କରିବାର ବୟସଠାରୁ ଏମାନଙ୍କର ବୟସ ଯଥେଷ୍ଟ ବଳି ପଡ଼ିଲାଣି । ମୁହଁରେ ଆଉ ଦେହର ଚମରେ ଜରା ଆସି ସତେ ଯେପରି ଦେଖାଦେଲାଣି । ମନଭିତରର ରୁଦ୍ଧ କାମନାକୁ ଆଜି ସେଇମାନେ ମୁକୁଳାଇ ଦେଉଛନ୍ତି । ଏଇ ବୟସକୁ ନେଇ ସେମାନେ ବିବାହ କରିବାକୁ ବି ଆଉଟିପାଉଟି ହେଉଛନ୍ତି ।

 

ମାଳତୀ ବୋଧହୁଏ ସେଇମାନଙ୍କ ଭିତରୁ ଜଣେ । କାଲି ସକାଳେ ହୁଏତ ତାଙ୍କ ବସାରେ ପହଞ୍ଚି ଯାଇ ସେ ସେଇ ବିବାହ କଥା ପକାଇବେ । କହିବେ, ମଝି ଦରିଆରେ ମୋ ତରୀ ଭାସୁଛି—ମତେ କୂଳରେ ଲଗାନ୍ତୁ । ସେଇଥିପାଇଁ ସେ ବୋଧହୁଏ ତାଙ୍କ ସହ ଘନିଷ୍ଠତା ବଢ଼ାଉଛନ୍ତି । ହସି ହସି ଅତି ପାଖକୁ ପାଖକୁ ଲାଗି ଆଳାପ ଆଲୋଚନା କରୁଛନ୍ତି ।

 

ବାଟରେ ଆସୁ ଆସୁ ଏଇ ଅତ୍ୟାଧୁନିକା ଅଭିନେତ୍ରୀ, ସଙ୍ଗୀତଶିଳ୍ପୀ ଆଉ ଅଧ୍ୟାପିକା ଗାୟତ୍ରୀ ଜେନା ବିରୁଦ୍ଧରେ ମନ ତାଙ୍କର ଭୟଙ୍କର ବିଦ୍ରୋହୀ ହୋଇଉଠିଲା । ସେ ଭାବିଲେ, ବୋଧହୁଏ ଏକ ପରିକଳ୍ପିତ ଯୋଜନା ଅନୁସାରେ ଏମାନେ ଗୋଟିଏ ପରେ ଗୋଟିଏ ଆସି ତାଙ୍କୁ ପରୀକ୍ଷା କରୁଛନ୍ତି ।

 

ଭାବନା ତାଙ୍କର ଗୋଳିମାଳିଆ ଧରିଲା ।

 

ସେ ବସାରେ ଆସି ପହଞ୍ଚିଲେ । ସେ ଦିନ ସେତିକିରେ ସରିଲା । ତା’ପର ଦିନର ଏକ ଉଜ୍ଜ୍ୱଳ ଶାନ୍ତ ସକାଳ….

 

ହେମକାନ୍ତ ଗାଧୋଇସାରି ଚା’ ପ୍ରସ୍ତୁତ କରିବାରେ ଲାଗିଛନ୍ତି ମାଳତୀ ଆସି ପହଞ୍ଚିଲା ।

 

ସେ ତାକୁ ବସିବାକୁ କହିଲେ । ଦୁହେଁ ବସିଲେ । ଚା’ ପାନ ସରିଲା । ସେ ପଚାରିଲେ–କି କାମରେ ଆସିଛନ୍ତି ମାଳତୀ ଦେବୀ କୁହନ୍ତି ? ସବୁ କଥାବାର୍ତ୍ତା ସାରି ମତେ ଅଫିସ୍ ଯିବାକୁ ହେବ । ସମ୍ପାଦକ ନାହାନ୍ତି । ମତେଇ ଆଜି ସମ୍ପାଦକୀୟ ଲେଖିବାକୁ ପଡ଼ିବ ।

 

ମାଳତୀ କହିଲା—ଏ ତ ଆଉ ପୁରୁଣା ଯୁଗର ନାରୀ ନୁହେଁ ଯେ ସେ ମୂକ, ମୌନ ହୋଇ ରହିବ । ମୁଁ ଆସିଛି ଆପଣଙ୍କୁ ପାଖକୁ ଏକ ଜରୁରୀ କାର୍ଯ୍ୟରେ ଏବଂ ଭାବୁଛି ଆପଣଙ୍କ ଦେଇ ତାହା ହୋଇପାରିବ । ରଖିବେ ମୋର କଥା ?

 

ସେ ପୁରୁଣା ଯୁଗର ଉଦାହରଣ ଶୁଣି ତଟସ୍ଥ ହୋଇଗଲେ । ତାଙ୍କର ଆଶଙ୍କା ହେଲା ମାଳତୀ ନାଏକ ପୁଣି ଆଜି ସେଇ କଣ୍ଟ୍ରାକ୍‌ଟ ମ୍ୟାରେଜ୍ କଥା ପକାଇବେ କି ! ସେ ବିଚଳିତ ହୋଇପଡ଼ିଲେ । ମୁଣ୍ଡ ତାଙ୍କ ସତେ ଅବା ଚକାଭଉଁରୀ ପରି ଘୂରିବାରେ ଲାଗିଲା । ସେ ହଠାତ୍ ଚେୟାରରେ ବସିପଡ଼ିଲେ । ତାଙ୍କର ଇଚ୍ଛା ହେଲା ମାଳତୀକୁ ଘରଭିତରୁ ତଡ଼ିଦେଇ କବାଟ ବନ୍ଦ କରି ନିଜର ଦୁଇ ଆଖି ମୁଦି ଖଟ ଉପରେ ନୀରବ ହୋଇ ଶୋଇପଡ଼ନ୍ତେ । ସେଇ ଶୋଇବା ଭିତରେ ଏମାନଙ୍କର କରୁଣ ଆବେଦନ ନିବେଦନ ସେ ଭୁଲିଯାନ୍ତେ । ଓଃ, ଏମାନେ ଶାନ୍ତିରେ ଟିକିଏ ବସାଇ ଉଠାଇ ଦେବେନି ଆଉ ! ‘ବିବାହ’ ‘ବିବାହ’ ବୋଲି ଆର୍ତ୍ତ ହାହାକାର କରି ଏଇ ଆକାଶ ପୃଥିବୀକୁ ସତେ ଅବା ଫଟାଇ ଦେବେ । ସେ ଏଇମିତି ଭାବୁଛନ୍ତି ମାଳତୀ ଆରମ୍ଭ କଲା–ହେମକାନ୍ତବାବୁ, ଜୀବନରେ ଜଣକୁ ବିବାବ କରି ନାରୀଜୀବନର ସକଳ ସୁଖ ଚାଖିବାର ଦିନେ ମୋର ବାସନା ଥିଲା । କିନ୍ତୁ କି ମୁହୂର୍ତ୍ତରେ କେଜାଣି ମୁଁ କଲେଜ୍ ପାଠ ଛାଡ଼ି ସଙ୍ଗୀତ ଶିକ୍ଷା କରିବାକୁ ଲାଗିଲି । ଆମ ଦେଶର ବିଶିଷ୍ଟ ସଙ୍ଗୀତଜ୍ଞ ଅମିତାଭ ସ୍ୱାଇଁ ହେଲେ ମୋର ସଙ୍ଗୀତ ଶିକ୍ଷାଦାତା । ତାଙ୍କରି ଯାଦୁକରୀ କଣ୍ଠର ମୂର୍ଚ୍ଛନାରେ ମୋ କଣ୍ଠ ପ୍ରତିଧ୍ୱନିତ ହେଲା । ଧୀରେ ଧୀରେ ମୁଁ ଭଲ ଗାଇଲି । ଆଉ ତାଙ୍କରି ପାଖରେ ମୁଁ ଯେତେବେଳେ ସଙ୍ଗୀତ ଶିକ୍ଷା କରୁଥିଲି ସେତେବେଳେ ସତକଥା କହୁଛି ହେମକାନ୍ତ ବାବୁ, ମୁଁ ଜଣେ ପ୍ରଥମ ଶ୍ରେଣୀ ଗାୟିକା ହୋଇ ବାହାରିବି ବୋଲି କଳ୍ପନା କରି ନଥିଲି । କିନ୍ତୁ ଅମିତାଭ ବାବୁ କହିଲେ, ‘ଦେଖ ମାଳୀ, ତମେ ମୋର ଉପଯୁକ୍ତ ଦାୟାଦ ହେବ—ଏ ଦେଶରେ ତମ ସଙ୍ଗୀତର ଭାରି ଆଦର ହେବ ।’

 

ସତରେ ହେମକାନ୍ତ ବାବୁ, ତାଙ୍କ କଣ୍ଠର ବେପଥୁ ମୂର୍ଚ୍ଛନାରେ ମୁଗ୍‍ଧ ବିଭୋର ହୋଇଥିଲି । ତାଙ୍କ ସଙ୍ଗୀତର ମୁଁ ଯେ ଏକ ନୀରବ ପୂଜାରିଣୀ ଥିଲି, ସେ ଏ କଥା ଭଲରୂପେ ଜାଣିଥିଲେ ।

 

ଦିନେ—କେଉଁ ଏକ ଅଳସ ମଧ୍ୟାହ୍ନରେ ମୁଁ ବସି ସିତାର ବଜାଉଥିବାବେଳ ମୋ ପଛପଟୁ ଆସି ସେ ମୋ ଦୁଇଆଖିକୁ ମୁଦି ଧରିଲେ । ମୁଁ ସିତାରରୁ ହାତ କାଢ଼ି ପଛପଟେ ଯେତେବେଳେ ହାତ ବୁଲାଇଲି ସେତେବେଳ ଅନୁଭବ କଲି,ଜଣେ ପୁରୁଷର ହାତ । ସେ ପୁରୁଷ ଆଉ କିଏ ହେବେ, ଏ ସନ୍ଦେହ ଆଉ ମୋର ରହିଲାନି । ସେ ହାତ ଖୋଲି ମୋ ଆଗକୁ ଆସିଲେ-। ଦର ଦର ହସି ଆଖି କୋଣରେ କେତେ ଅକୁହା ଭାଷାର ଇସାରା ଦେଲେ, କେତେ ସ୍ନେହ, ହାନୁଭୂତିର କଥା କହି ମୋ ମନକୁ ସତେ ଅବା ତରଳାଇ ଦେଲେ ।

 

ଦିନକୁଦିନ ତାଙ୍କରି ଉପରକୁ ମୁଁ ଢଳି ଢଳି ଆସୁଥିଲି । ତାଙ୍କ ସଙ୍ଗୀତର ମୂର୍ଚ୍ଛନା ମୋ ମନପ୍ରାଣରେ କିପରି ଏକ ଆବେଗ, କିପରି ଏକ ରୋମାଞ୍ଚ ସୃଷ୍ଟି କଲା । ମୋ ମନର ଅଚେତନ ଆଉ ସଚେତନ ଅବସ୍ଥାରେ ମଧ୍ୟ ତାଙ୍କରି ସଙ୍ଗୀତର ମୂର୍ଚ୍ଛନା ମୁଁ ଶୁଣିଥିଲି ।

 

ଇମିତି କିଛିଦନି ଗଲାପରେ ଆମେ ଦୁହେଁଯାକ ଚାଲୁ ରେଡ଼ିଓ ଷ୍ଟେସନ୍‌ । ରାତି ଦଶଟାରେ ରେଡ଼ିଓ ଷ୍ଟେସନରୁ ଗୋଟିଏ ରିକସାରେ ଆମେ ଫେରୁ । ଅତି ଆପଣାର ହୋଇ ଦିନ ଶେଷରେ ପକ୍ଷୀ ପକ୍ଷିଣୀ ଯେପରି ନିଜର ନୀଡ଼କୁ ଫେରିଆସନ୍ତି, ସେଇପରି ଆମେ ଫେରୁ । ଏଇ ଫେରିବା ଭିତରେ ସେ ମତେ ଏଇମିତି କରିନେଲେ ଯେ, ଯୁଆଡ଼କୁ ମଙ୍ଗେଇଲେ ମୁଁ ସେଇଆଡ଼କୁ ମଙ୍ଗିଲି । ସେ କହିଲେ—ବାଘ ଆସିଲେ ଡରିବୁନି ? ମୁଁ କହିଲି—ନାଇଁ । ମୁଁ ତାଙ୍କୁ ଚାହିଁଲି—ସେ ମୋ ଆଖିକୁ ଫୁଙ୍କିଲେ—ମୁଁ ଆଖି ପିଛଡ଼ା ବି ମାରିଲି ନାହିଁ । ଦିନେ କୌଶଳକ୍ରମେ ମତେ କଣ୍ଟ୍ରାକ୍‌ଟ ମ୍ୟାରେଜ୍ କଥା କହି ମୋଠାରୁ ପ୍ରତିଶ୍ରୁତି ନେଇଗଲେ ।

 

ଏ ଦେଶରେ ମୁଁ ଜଣେ ପ୍ରତିଷ୍ଠିତ ଗାୟିକା ହୋଇଥିବାରୁ ଅନେକ ପଇସା ପାଉଥିଲି । ମୋର ପ୍ରତିଷ୍ଠା ଦେଖି ବାପା ମା ମୋର ଭାରି ଖୁସି ହେଉଥିଲେ ।

 

ଦିନେ ବାପା ମା’ ବସିଥିବାବେଳେ ଏଇ ବିବାହ କଥା ତାଙ୍କୁ କହିଲି । ସେମାନେ ମୋ ବିବାହ ଖବର ଶୁଣି ଦୁଃଖିତ ହେଲେନି କି ଆନନ୍ଦରେ ଉଚ୍ଛ୍ୱସିତ ହେଲେନି । ସେମାନେ ଖାଲି କହିଲେ—ତୋର ଯେଉଁଠି ଇଚ୍ଛା, ତୋ ମନ ଅନୁଯାୟୀ ପାତ୍ରଟିଏ ପାଇ ତୁ ସୁଖୀ ହେଲେ ତୋ ସୁଖରେ ଆମେ ସୁଖୀ ହେବୁ ମା’ ।

 

ଆମ ବିବାହ କୋର୍ଟରେ ସମ୍ପନ୍ନ ହେଲା ।

 

ବିବାହର ପ୍ରାୟ ଆଠ ଦଶ ମାସ ପର୍ଯ୍ୟନ୍ତ ଅମିତାଭ ବାବୁ ପ୍ରାଣଢାଳି ମତେ ଭଲ ପାଇଲେ । ସେ ମତେ ଭଲପାଇ ବସିଲେ ଯେ ମୁଁ ଯଦି ତାଙ୍କ ପାଖରୁ ଘଣ୍ଟାଟିଏ ଅନୁପସ୍ଥିତ ରହୁଥିଲି ସେ ବ୍ୟସ୍ତ ବିକଳ ହୋଇ ଉଠୁଥିଲେ । ସେଇ ଆଠ ଦଶ ମାସ ପର୍ଯ୍ୟନ୍ତ ତାଙ୍କ ପାଖରୁ ସେ ମତେ କେବେ ଅନ୍ତର କରୁ ନଥିଲେ ।

 

କିନ୍ତୁ ତା’ ପରେ ପରେ ମୁଁ ଦେଖିଲି ସେଇ ମମତା ଧୀରେ ଧୀରେ ମୋ ଉପରୁ ତାଙ୍କର କମି କମି ଆସିଲା । ମୁଁ କିନ୍ତୁ ମୋ ନାରୀମନର ସବୁ ଉତ୍ତାପ ଓ ଆବେଗ ଦେଇ ମୋ ପାଖରେ ତାଙ୍କୁ ବନ୍ଦୀ କରି ରଖିବାକୁ ଚେଷ୍ଟା କରୁଥିଲି । ଯେତେ ଚେଷ୍ଟା କରି ମୁଁ ତାଙ୍କୁ ମୋ ପ୍ରେମର ବନ୍ଧନରେ ବାନ୍ଧି ରଖିବାକୁ ଧାଉଁଥିଲି, ସେ ସେତେବେଳେ ଡେଣା ମେଲି ମେଲି ଉଡ଼ିବାକୁ ଲାଗୁଥିଲେ । ବିବାହର ପ୍ରାୟ ଦେଢ଼ବର୍ଷ ପରେ ଦେଖିଲି ସେ କେଉଁଦିନ କେବେ କେବେ ମୋ ପାଖକୁ ଆସନ୍ତି । ନଚେତ୍ ବେତାର କେନ୍ଦ୍ରର ବହୁ ଅବିବାହିତ ଝିଅଙ୍କ ସହ ମିଶି ସେ ଆଳାପ କରନ୍ତି । କେବେ କେବେ ସେମାନେ ତାଙ୍କୁ ସେମାନଙ୍କ ଘରକୁ ନିମନ୍ତ୍ରଣ କରି ନିଅନ୍ତି ବୋଲି ସେ ମୋ ଆଗରେ କହନ୍ତି ।

 

ବିବାହର ମୋଟମୋଟି ଦୁଇ ବର୍ଷ ପର୍ଯ୍ୟନ୍ତ ଯାହାହେଉ, ସେ କେତେବେଳେ କେମିତି ଆସି ମୋ କଥା ଟିକିଏ ବୁଝୁଥିଲେ । ମୋ ମନକୁ ଭୁଲାଇବା ପାଇଁ ଓଠରେ ଆଉ ପିଠିରେ ହାତ ବୁଲାଉଥିଲେ । ତା’ ପରେ ସେ ତାଙ୍କର ସେଇ ଚିରପରିଚିତ ବାଟ ଧରିନେଲେ ।

 

ମୁଁ ଚେଷ୍ଟା କରିଥିଲେ, ତାଙ୍କରି ପରି ବହୁ ପୁରୁଷ-ଶିଳ୍ପୀଙ୍କ ସହ ମିଶି ପାରିଥାନ୍ତି । ବହୁ ଭୋଜିଭାତ ଆଉ ଟି ପାର୍ଟିରେ ଯୋଗଦାନ କରି ମୋ କଣ୍ଠର ଆହୁରି ବିଜ୍ଞାପନୀ ମାରିଥାନ୍ତି । କିନ୍ତୁ ତାଙ୍କୁ ଯେତେବେଳେ ବିବାହ କରିଛି, ସ୍ୱାମୀରୂପେ ଗ୍ରହଣ କରିଛି, ଏସବୁ କରିବା ଅସଙ୍ଗତ, ଅଶୋଭନୀୟ ହେବ ବୋଲି ମୁଁ ଧରି ନେଇଥିଲି । ତା’ ଛଡ଼ା ଏ କଥା ମୁଁ ପରିଷ୍କାର ଜାଣିଥିଲି ଯେ ଏ ବିବାହରେ ଆମର ଇନ୍ଦ୍ର, ଅଗ୍ନି ଓ ବରୁଣ ପ୍ରଭୃତି ଦେବତା ସାକ୍ଷୀ ନଥିଲେ । ମୁଁ ଯଦି ଏଇମାନଙ୍କୁ ସାକ୍ଷୀ ରଖି ବେଦୀଉପରେ ବସି ବ୍ରାହ୍ମଣର ବେଦ ଉଚ୍ଚାରଣକୁ ଶୁଣି ବିବାହ କରିଥାନ୍ତି, ତା’ ହେଲେ ସ୍ୱାମୀଙ୍କ ଆଗୋଚରରେ ମୁଁ ଯୁଆଡ଼କୁ ଗୋଡ଼କାଢ଼ି ଯାଇଥାନ୍ତି, ମୁଁ ଧର୍ମଦ୍ରୋହୀରୂପେ ବିବେଚିତ ହୋଇଥାନ୍ତି । ମୋର ବିବେକ ମୋତେ ବାରମ୍ବାର ଦଂଶନ କରିଥାନ୍ତା ।

 

ଏକେ ତ ଏ ଦେଶରେ ଏପ୍ରକାର ବିବାହ କରିଛି ବୋଲି ମୁଁ ଭୟଙ୍କର ସମାଲୋଚିତ ହେଉଥିଲି । ତା’ ଛଡ଼ା ତାଙ୍କର ଏପରି ବ୍ୟବହାର ଓ କାର୍ଯ୍ୟକଳାପରେ ମୁଁ ବଡ଼ କ୍ଷୁବ୍‍ଧ ହେଲି—କାନ୍ଦିଲି ବି । ଭାବିଲି, ଯା’ ହେଉ ଯେତେବେଳେ ବିବାହ କରିଛି ସେତେବେଳେ ସ୍ତ୍ରୀ ହିସାବରେ ତାଙ୍କୁ ଅପେକ୍ଷା କରି ରହେ । ଦେଖାଯାଉ କ’ଣ ହେଉଛି ।

 

ପାଞ୍ଚ ବର୍ଷ ଠିକ୍ ଯେଉଁଦିନ ପୂରିଯିବ, ଠିକ୍ ସେଇଦିନ ସେ ଆସି ମୋତେ ହସି ହସି କହିଲେ—ଯା’ ହେଉ ମାଳୀ, କାଲି ଆମର ନିର୍ଦ୍ଦିଷ୍ଟ ଦିବସ ପୂରଣ ହୋଇଯାଉଛି । ୟା’ ପରେ ତମେ କ’ଣ କରିବ ?

 

ମୁଁ ସେତେବେଳେ ହତବାକ୍ ହୋଇ ଠିଆ ହେଲି । କିଛି ଉତ୍ତର ଦେଇପାରିଲି ନାହିଁ । ସେ ଚାଲିଗଲେ ତା’ପରେ । ମୁଁ ଆସିଲି ।

 

ତାଙ୍କର ବାହାଘର ଠିକ୍ ହୋଇଗଲାଣି । ବୋଧହୁଏ ଏଇ ପନ୍ଦର ଦିନ ଭିତରେ ସରିଯିବ ।

 

ହେମକାନ୍ତ ବାବୁ, ଏଇ ପରିସ୍ଥିତିରେ ମୁଁ ଯଦି ଜଣକୁ ବିବାହ ନ କରେ, ତା’ ହେଲେ ତାଙ୍କରି ଆଗେ ମୋର ଏଇ ଦରିଦ୍ର ନାରୀତ୍ୱକୁ ନେଇ ମୁଁ ବଞ୍ଚି ପାରିବିନି । ସତରେ, ସେ ଯେତେବେଳେ ମୋରି ଆଖି ଆଗରେ କୁନ୍ତଳିକାକୁ ସ୍ତ୍ରୀରୂପେ ଧରି ମୋରି ଆଖି ଆଗରେ ଏପଟେ ସେପଟେ ହେବେ ମୁଁ କିପରି ତାହା ସହ୍ୟ କରିବି ? ମୋ ନାରୀ ମନ ସେଠି କିପରି ସ୍ଥିରହୋଇ ରହିବ ? ତେଣୁ ତାଙ୍କରି ଆଗେ ମୁଁ ନୋ ସ୍ୱାମୀଙ୍କୁ ଯଦି ଠିଆ କରାଇପାରିବି, ତା’ ହେଲେ ମୁଁ ତାଙ୍କୁ ଚାଲେଞ୍ଜ କରିଛି ବୋଲି ଭାବିବି ।

 

ହେମକାନ୍ତ ବାବୁ, ଆପଣଙ୍କ ପାଖକୁ ମନଭିତରେ କେତେ ଆଶା ଖେଳାଇ ଧାଇଁ ଆସିଛି । ଆପଣ ବାଡ଼ୁଅ, ସାମ୍ବାଦିକ । କଣ୍ଟ୍ରାକ୍‌ଟ ମ୍ୟାରେଜ୍‌ର ମୁଁ ଆଉ ପକ୍ଷପାତୀ ନୁହେଁ । ଯାହାଙ୍କୁ ସ୍ୱାମୀରୂପେ ପାଇବି, ଜୀବନଭରି ତାଙ୍କରି ଚରଣସେବାରେ ମୋ ଦିନ ନେବି । ମତେ ବିବାହ କରନ୍ତୁ ହେମକାନ୍ତ ବାବୁ । ମୋ ଅସହାୟ ନାରୀତ୍ୱ ଭିତରେ ଶତଉତ୍ସାହ ଭରି ଦିଅନ୍ତୁ । ମତେ ଆଜି ଜବାବ୍ ଦିଅନ୍ତୁ ।

 

ଏତିକି କହି ଲୁହରେ ଆଖି ଟଳଟଳ କରି ମାଳତୀ ବସିପଡ଼ିଲା ।

 

ହେମକାନ୍ତ ଭାବିଲେ, ଆଚ୍ଛା ବାଡ଼ୁଅ ଜୀବନ ନେଇ ଏଇସବୁ ଅନୁଷ୍ଠାନ ସହ ସେ ସଂପୃକ୍ତ ହେଲେ ଯେ ଏଇ ବିବାହର ଝଡ଼ ସବୁବେଳେ ତାଙ୍କୁ ଆକ୍ରମଣ କରୁଛି । ଯେଉଁ ମାଳତୀ ଦିନେ ହସି ହସି କଣ୍ଟ୍ରାକ୍‌ଟ ମ୍ୟାରେଜ୍ କରିଥିଲେ ବୋଲି ଗର୍ବରେ ଫାଟି ପଡ଼ୁଥିଲେ ତାଙ୍କରି ଆଜି ଆଖି ଖୋଲିଛି ।

 

ମନେ ମନେ ହସିଲେ ସେ ।

 

ତା’ ପରେ ସେ କହିଲେ—ଶୁଣନ୍ତୁ ମାଳତୀ ଦେବୀ, ମୁଁ ଅବିବାହିତା । କେବେ ବାହା ହେବି, ତାର ଚରମ ନିଷ୍ପତ୍ତି ଏପର୍ଯ୍ୟନ୍ତ ମୁଁ କରିନି । ଆଜି କିଭଳିଭାବେ ଆପଣଙ୍କୁ କଥା ଦେବି ? କ୍ଷମା କରିବେ, ଏବେ ମୁଁ କିଛି କରିପାରିବିନି । ମତେ ମାସଟିଏ ଅନ୍ତତଃ ସମୟ ଦିଅନ୍ତୁ, ଭାବିଚିନ୍ତି ଆପଣଙ୍କୁ କହିବି ।

 

ଆପଣ ତ ଅସୁନ୍ଦରୀ ନୁହନ୍ତି । ଆପଣଙ୍କୁ ନେଇ ସଂସାର ପାତିରେ ମୋ ସୁନାର ସଂସାରରେ ତ ଆଉ କଳଙ୍କ ଲାଗିଯିବନି ? ଆପଣଙ୍କ ପରି ସୁଗାୟିକାଟିଏ ପାଇଲେ ଜୀବନର ଦୁର୍ଦ୍ଦିନରେ ଖାଲି ସଙ୍ଗୀତ ଶୁଣି ଶୁଣି ଜୀବନକୁ ସାର୍ଥକ କରିବି । ମତେ ସମୟ ଦିଅନ୍ତୁ ।

 

ମାଳତୀ ସ୍ୱସ୍ତିର ନିଃଶ୍ୱାସ ମାଇଲା । ହେମକାନ୍ତ କହିଲେ—ସମୟ ହୋଇଗଲାଣି ମାଳତୀ ଦେବୀ, ମୁଁ ଅଫିସ୍ ଯିବି । ମଝିରେ ମଝିରେ ତ ଦେଖା ହେବ । କଥାବାର୍ତ୍ତା ହେବା ।

 

ମାଳତୀର ମନ ଭିତରେ ଆଶା-ବୋଇତିନିର ବନ୍ୟା…..

 

ହେମକାନ୍ତଙ୍କଠାରୁ ସେ ବିଦାୟ ନେଲା ।

 

ସେ ଭାବିଲେ ଏଇ ଅତ୍ୟାଧୁନିକା, ଉଚ୍ଚଶିକ୍ଷିତା ଆଉ ଗର୍ବିତା ତରୁଣୀମାନେ ତାଙ୍କୁ ଆଉ ଏଠାରେ ରଖାଇ ଦେବେନି ! ଏଇମାନଙ୍କର ମିଳିତ ଆକ୍ରମଣରେ ସେ ଶିକାର ନ ହୋଇ ଦିନେ ହୁଏତ ସେ ବାଧ୍ୟହୋଇ ଏ ସହରରୁ ଆତ୍ମଗୋପନ କରିବେ । ତା’ ଛଡ଼ା ଆଉ କିଛି ଉପାୟ ନାହିଁ ।

 

ସେ ଦିନ ସେ ଏଇମିତି ଭାବୁଥିଲେ ।

 

–ତେର–

 

ହେମକାନ୍ତ ପୁଣି ବାପାବୋଉଙ୍କ ପାଖରୁ ଚିଠି ପାଇଛନ୍ତି । ସେମାନେ ଲେଖିଛନ୍ତି—ଜୀବନଭରି ତୁ ଏମିତି କ’ଣ ବାଡ଼ୁଅ ହୋଇ ରହିଯିବୁ ? ସେଇ ସହରରେ ଯିଏ ତୋର ମନକୁ ଆସୁଛି ସେଇୟାକୁ ବାହା ହେଉନୁ । ସେଥିରେ ଆମେ ଟିକେ ଆପତ୍ତି କରିବୁନି । ଆମେ ଚାହୁଁ ବୋହୂଟିଏ—ଯେ କୌଣସିପ୍ରକାରେ ବୋହୂଟିଏ ଆସିଲେ ଆମ ଜୀବନ ସାର୍ଥକ ହେବ ।

 

ଜମିବାଡ଼ି ଆଉ କିଏ ବୁଝିବ ? ତୁ ତ ଯାଇଁ ସହରରେ ରହିଲୁ । ଆମ ଅନ୍ତେ ଏତେଗୁଡ଼ାଏ ସମ୍ପତ୍ତିକୁ ଭୂତ କ’ଣ ଖାଇବ ? ଚାକିରୀ ଛାଡ଼ି ଦେଉନୁ କାହିଁକି ? ଆମର ଯେତିକି ସମ୍ପତ୍ତି ଅଛି ତାରି ଦେଖାଶୁଣା କଲେ ତୁ ତ ଲୋକ ଖଟେଇ ପାରିବୁ ! ଆମର ଆଉ କିଏ ଅଛି ? ଛଅଟା ନା ନଅଟା ? ତୁ ଯଦି ଏମିତି କରୁ ଆମେ ବଞ୍ଚିବୁ କିପରି, କହିଲୁ ବାପ ?

 

ସେ ଚିଠି ପଢ଼ନ୍ତି । ମୁଣ୍ଡ ତାଙ୍କର ଗୋଳମାଳିଆ ଧରେ । ସେଥର ସେଇ ସହରର ଗୋଟିଏ କ’ଣକୁ ଏକ ବିରାଟ ପ୍ରାନ୍ତର; ଭାରତୀୟ ଭିତ୍ତିରେ କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଏକ ବିରାଟ ପ୍ରଦର୍ଶନୀର ଆୟୋଜନ ହୋଇଛି । ମାସ ମାସ ଧରି ସରକାରଙ୍କ ତତ୍ତ୍ୱାବଧାନରେ ପ୍ରଦର୍ଶନଟି ଚାଲିଛି ।

 

ହେମକାନ୍ତ ସେ ଦିନ ସେଇଆଡ଼େ ବୁଲି ଯାଇଛନ୍ତି । ପ୍ରଦର୍ଶନୀର ବିଭିନ୍ନ ଜିନିଷ ବୁଲି ବୁଲି ସେ ଦେଖୁଛନ୍ତି । ତାଙ୍କରି ପରି ଦର୍ଶକର ଭିଡ଼ ପ୍ରଦର୍ଶନୀରେ ହୋଇଛନ୍ତି । ସେ ଯୁଆଡ଼କୁ ଯାଉଛନ୍ତି ଖାଲି ଦେଖୁଛନ୍ତି ସିଆଡ଼େ ଯୋଡ଼ି ଯୋଡ଼ି ମଣିଷ—ଯୋଡ଼ି ଯୋଡ଼ି ମଣିଷର ଶୋଭାଯାତ୍ରା—ସ୍ୱାମୀ ଆଉ ସ୍ତ୍ରୀ ।

 

ସେ ଭାବିଲେ, ସ୍ୱାମୀ ଅଫିସରୁ ପ୍ରାୟ ପାଞ୍ଚଟାବେଳକୁ ଫେରିଥିବେ । ସ୍ତ୍ରୀ ତା’ର ଏଇ ପ୍ରଦର୍ଶନୀ କଥା କହିଥିବ । କହିଥିବ—ଦେଖୁନ, ଆମ ସାଇର ସମସ୍ତେ ଥରେ ଥରେ ଯାଇଁ ଦେଖି ଆସିଲେଣି ଆମେ ଥରେ ଚାଲ ଯିବା । ଏତକ ଶୁଣି ସ୍ୱାମୀ ବୋଧହୁଏ ରିକ୍‌ସାଟିଏ କରି ସ୍ତ୍ରୀକୁ ପ୍ରଦର୍ଶନୀକୁ ଆଣିଥିବ ।

 

ଏଇମିତି ଭାବି ଚାଲିଛନ୍ତି କ୍ରମେ କ୍ରମେ ଏଇ ଯୋଡ଼ି ଯୋଡ଼ି ମଣିଷର ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେବେ କେବେ ଲାଗି ଲାଗି ଠିଆ ହୁଅନ୍ତି ଅବା ଆଉ କେତେବେଳେ ଗେହ୍ଲେଇ ହୋଇ ସ୍ୱାମୀ ପାଖରେ ସ୍ତ୍ରୀ କ’ଣ କହିବସେ ।

 

ସେ ଏଇମିତି ବୁଲୁଛନ୍ତି । ପୁଣି ଯାଇ ପଶିଲେ ଏକ ଯାଦୁକ୍ରୀଡ଼ା ଘରେ । ସେଠି ବି ଦେଖିଲେ ସେଇ ଯୋଡ଼ି ଯୋଡ଼ି ମଣିଷର ଅସମ୍ଭବ ଭିଡ଼ । ବହୁ ଶାଢ଼ିର ପଣତ । ଧୋତି ଆଉ ପ୍ୟାଣ୍ଟ୍‌ର ବର୍ଣ୍ଣାଢ଼୍ୟ ପ୍ରଦର୍ଶନୀ ।

 

ସେ ସେଠାରୁ ଫେରିଆସିଲେ । ଆଖି ପକାଇଲେ ପୁଣି ଏନ୍‍କୁଆରୀ ଅଫିସ୍ ଆଡ଼େ । ଦେଖିଲେ ତିନୋଟି ତରୁଣୀ ବସିଛନ୍ତି, ତାଙ୍କରି ପାଖକୁ ଲାଗି ବସିଛନ୍ତି ଆଉ ତିନୋଟି ତରୁଣ । ସେ ଦେଖିଲେ ସେମାନେ ଏଇ ତିନୋଟି ତରୁଣଙ୍କ ଆଡ଼େ ଚାହିଁ ମୁରୁକି ମୁରୁକି ହସି ଫୋନ୍ ସହ ସମ୍ପର୍କ ରଖୁଛନ୍ତି ।

 

ହେମକାନ୍ତ ଭାବିଲେ ନା, ଏଠି ଆଉ ବୁଲି କିଛି ଦେଖି ହେବନି । ଯାହା ସେ ଦେଖୁଛନ୍ତି ସେ ଖାଲି ଏଇ ଯୋଡ଼ି ଯୋଡ଼ି ମଣିଷ । ତେଣୁ ସେ ଫେରିଯିବେ ।

 

ପୁଣି ସେ ଭାବିଲେ, ବିବାହ-ଜୀବନରେ ଏଇ କେଇଟି କଥା ନିହାତି ଭଲ ବୋଧହୁଏ । ସ୍ୱାମୀ ସ୍ତ୍ରୀକୁ ସିନେମା ନିଏ, ସନ୍ଧ୍ୟାବେଳେ ସହର ଘୁରାଏ ଆଉ ବିଶେଷ ବିଶେଷ ଉତ୍ସବରେ ହାତ ଧରି ବୁଲାଏ ।

 

ଆଉ ସେ ? ତାଙ୍କ ଜୀବନରେ ଏସବୁ କିଛି ହୋଇ ପାରିଲାନି । ପ୍ରଦର୍ଶନୀର ଯୁଆଡ଼କୁ ସେ ଯାଉଛନ୍ତି, ଏକାକୀ । ସାଙ୍ଗ ନାହିଁ, ସାଥି ନାହିଁ, କେହିଁ ନାହିଁ—ଆଉ କିଛି ସେ ଭାବିପାରିଲେନି-। ଏଇ ଯୋଡ଼ି ଯୋଡ଼ି ମଣିଷଙ୍କ ପ୍ରତି ପଳେ ପଳେ ଅସହିଷ୍ଣୁ ହୋଇ ପ୍ରଦର୍ଶନୀର ମେନଗେଟ୍ ଡେଇଁ ପଦାକୁ ପଳାଇ ଆସିଲେ । ତଥାପି ଦେଖିଲେ ସେଇ ଭିଡ଼—ଯୋଡ଼ି ଯୋଡ଼ି ମଣିଷର ।

 

ଅର୍ଦ୍ଧପାଗଳଙ୍କ ପରି କିଛି ବାଟ ଦଉଡ଼ି ଦଉଡ଼ି ସେ ପଳାଇ ଆସିଲେ । ଏକ ଅଣଓସାରିଆ ରାସ୍ତାର ବତୀଖୁଣ୍ଟ ନିକଟରେ ଆସି ଠିଆ ହେଲେ । ଝାଳ ତାଙ୍କ ଦେହରୁ ଗମ୍ ଗମ୍ ହୋଇ ଭାସି ଯାଉଥାଏ । ସେ ପକେଟ୍‌ରୁ ରୁମାଲ୍ କାଢି ଝାଳ ପୋଛିଲେ । ଭାବିଲେ, ନା’ ଏଠି ଆଉ ବିଶ୍ରାମ ନେଇ ହେବନି । ଏଇ ରାସ୍ତାର ବତୀଖୁଣ୍ଟ ତଳେ ଠିଆ ହେଲେ, ଅନେକ ଚୋର କି ଡକାୟତ ବୋଲି ଭାବିବେ । ତେଣୁ ସେ ସେଠି ଠିଆ ନହୋଇ ସେ ରାସ୍ତାରେ ନିଜ ବସାକୁ ଚାଲିଲେ । ସେଇ ଅଣଓସାରିଆ ରାସ୍ତାରେ ସେ ଚାଲିଛନ୍ତି । ରାସ୍ତାଟା ଯାଇ ସେଇ ମେନରୋଡ଼୍‌ରେ ମିଶିଛି । ସେଠୁ ପହଞ୍ଚି ସେଇ ଯୋଡ଼ି ଯୋଡ଼ି ମଣିଷର କଳରବ ଶୁଣିଲେ । ସେ କାନରେ ହାତ ଦେଲେ । ଓଃ, ଏମାନେ ଆଉ ରାସ୍ତାରେ ଚଳାଇ ଦେବେନି ।

 

ରିକ୍‌ସାଟିଏ କଲେ । ଭାବିଲେ, ରିକ୍‌ସାରେ ବସି ରିକ୍‌ସାବାଲାକୁ ଦଉଡ଼ାଇ ଦେଲେ ବସାରେ ସେ ଚଞ୍ଚଳ ପହଞ୍ଚିଯିବେ ଆଉ ଏମାନଙ୍କର ଏଇ କଳରବରୁ ସେ ମୁକ୍ତି ପାଇଯିବେ ।

 

ରିକ୍‌ସା ଖୁବ୍ ଜୋରରେ ତାଙ୍କ ବସାଆଡ଼େ ଚାଲିଲା….. ସେ ବସାରେ ପହଞ୍ଚିଲେ । ଲାଇଟ୍ ଜାଳିଲେ । ଦେଖିଲେ ଡକ୍‌ଟର ମଲ୍ଲିକଙ୍କ ଘରେ ସେଇ ଦୀପ୍ତ ଆଲୋକ ଜଳୁଛି—ସ୍ୱାମୀ ସ୍ତ୍ରୀ କ୍ୟାରେମ୍ ଖେଳରେ ଲାଗିଛନ୍ତି ।

 

ଓଃ, ଆଉ ରକ୍ଷା ନାହିଁ । ଚାରିଆଡ଼େ ଏଇ ସ୍ୱାମୀ ସ୍ତ୍ରୀର ଅଭିସାର । ଦୁନିଆଁଟା ଯେପରି ସ୍ୱାମୀ ସ୍ତ୍ରୀର ଖେଳଘର । ସେ ତ କାର ସ୍ୱାମୀ ହୋଇ ନାହାନ୍ତି ? ତାଙ୍କ ଅବିବାହିତ ଜୀବନ ଆର୍ତ୍ତଚିତ୍କାର କରି ଉଠିଲା ।

 

ସେ ଭାବିଲେ, ବିବାହ ବୋଧହୁଏ ଜୀବନ–ତୀର୍ଥରେ ଏକ ଅଭୁଲା ସ୍ମୃତି ।

 

ସତରେ କ’ଣ ବିବାହ ଏକ ପବିତ୍ର ସ୍ମୃତି ? ତା’ ନ ହୋଇଥିଲେ, ସେ ଦିନ ଢ଼ୁ ଢ଼ୁ ଶ୍ରାବଣ ଅସରାରେ କେତକୀ କାହିଁକି ତାଙ୍କ ପାଖକୁ ଆସିଥାନ୍ତା, ଗାୟତ୍ରୀ କାହିଁକି ଅତି କରୁଣ ଭାବେ ଆତ୍ମନିବେଦନ କରିଥାନ୍ତା ? ଆରତି କାହିଁକି ଆଖିରୁ ଲୁହ ଢାଳି ଢାଳି ନିର୍ଲ୍ଲଜଭାବରେ ବିବାହ ପ୍ରସ୍ତାବ ବାଢ଼ିଥାନ୍ତା ? ମାଳତୀ କାହିଁକି ତା’ଜୀବନର କାହାଣୀସବୁ ତାଙ୍କ ପାଖେ କହିପକାଇ ଥାଆନ୍ତା ?

 

ସେଇଥିପାଇଁ ବାପାବୋଉ ବୋଧହୁଏ ଘଡ଼ିକୁ ଘଡ଼ି ତା’ ପାଖକୁ ଚିଠି ଲେଖୁଛନ୍ତି । ବିବାହ କରି ବୋହୂ ଆସିଲେ ସେ କୁଆଡ଼େ ଘରର ଲକ୍ଷ୍ମୀ ହୁଏ; ତାରି ପାଦର ସ୍ପର୍ଶରେ ଘରର ମାଟି କୁଆଡ଼େ ହସି ଉଠେ ।

 

ଏଇମିତି ଭାବି ଭାବି ପୁଣି ତାଙ୍କର ଝରକା ଦେଇ ଚାହିଁଲେ ଡାକ୍ତର ମଲ୍ଲିକଙ୍କ ଆଡ଼େ । ତଥାପି ଖେଳ ତାଙ୍କର ବନ୍ଦ ହୋଇନି । ସ୍ୱାମୀ ଆଉ ସ୍ତ୍ରୀର ସିଳନ କଣ୍ଠଧ୍ୱନି ତାଙ୍କ ଝରକା ଦେଇ ଭୁଷ୍ କିନା ସତେ ଯେପରି ପଶିଆସୁଛି । ସେ ଆଉ ଅନାଇଁ ପାରିଲେନି । ଧଡ଼ାସ୍ କରି ଝରକାଟା ବନ୍ଦ କରିଦେଲେ ।

 

ଖଟ ଉପରେ ଶୋଇଲେ । ଆଖିରେ ତାଙ୍କର ଆଉ ନିଦ ଆସିଲାନି । ଖାଲି ତାଙ୍କର ମନେ ପଡ଼ିଲା ପ୍ରଦର୍ଶନୀର ସେଇ ଯୋଡ଼ି ମଣିଷର କଥା ।

 

ଘରର ଦୁଆର ଖୋଲି ବାହାରକୁ ଆସିଲେ । ଦେଖିଲେ ସେଇ ରାସ୍ତାଦେଇ ପ୍ରଦର୍ଶନୀରୁ ଫେରୁଛନ୍ତି ତାଙ୍କର ପରିଚିତ ବନ୍ଧୁ ଆଡ୍‍ଭୋକେଟ୍ ଶଶୀ ପଟ୍ଟନାୟକ ରିକ୍‌ସାରେ । ପାଖରେ ସ୍ତ୍ରୀ ବସିଛନ୍ତି । ରାତିରେ ସ୍ୱାମୀ ସ୍ତ୍ରୀ ଖୁବ୍ ଧୀରେ ଧୀରେ କଥାବାର୍ତ୍ତା ହେଉଛନ୍ତି । ରାତିର ନିଃଶବ୍ଦ ବାୟୁମଣ୍ଡଳ ଭିତରେ ତାଙ୍କ କହିବାର ଧ୍ୱନି ସବୁ ଶୁଣାଯାଉଛି ।

 

ହେମକାନ୍ତ ଦୁଆରେ ଠିଆ ହୋଇଥିଲେ । ତାଙ୍କୁ ବତୀଖୁଣ୍ଟର ଆଲୋକରେ ଚିହ୍ନିପାରି ଶଶୀ ପଟ୍ଟନାୟକ ପଚାରିଲେ—କ’ଣ ନିଦ ହୋଇନି କି ହେମକାନ୍ତ ବାବୁ, ରାତି ତ ଅନେକ ହେଲାଣି ଆସି ।

 

ସେ କହିଲେ—ନାଇଁ, ମୁଁ ତ ଏବେ ଫେରିଲି ପ୍ରଦର୍ଶନୀରୁ । ଶଶୀବାବୁ ତାଙ୍କ ରାସ୍ତାରେ ଚାଲିଗଲେ ।

 

ସେ ସେଇ ଅନ୍ଧାକାରେ ବୁଲିଲେ । ରାତିର ସେଇ ନିରନ୍ଧ୍ର ଅନ୍ଧାର ଭିତରେ ଛପି ଛପି ଯେପରି କାହାର ଏକ ଶୁଭ୍ର ଉଜ୍ଜ୍ୱଳ ମୁହଁ ତାଙ୍କୁ ଦେଖା ହେଉଥିଲା । ଆଖିରେ ନିଜ ଦୃଷ୍ଟିଶକ୍ତିର ସବୁ ଆଲୋକ ଢାଳି ସେଇ ମୁଖଟିକୁ ସେ ବାରମ୍ବାର ଚାହିଁଲେ । ହେଲେ କିଛି ତାଙ୍କୁ ଜଣାଗଲାନି ।

 

ଭାବିଲେ ମୁଣ୍ଡ ବିକୃତ ତ ହୋଇନି ତାଙ୍କର ଆଉ ? ସେତେବେଳକୁ ରାତି ଅନେକ ହୋଇଯାଇଥିଲା । ଆକାଶରେ ହୋଇଥିଲା ଚତୁର୍ଦ୍ଦଶୀ ତିଥିର ବିଳମ୍ବିତ ଚନ୍ଦ୍ରୋଦୟ ।

 

ସେ କବାଟ ଦେଇ ଘର ଭିତରକୁ ଆସିଲେ । ଲାଇଟ୍ ନିଭାଇ ସେ ଶୋଇବାକୁ ଯାଉଛନ୍ତି, ପୁଣି ଘର ଭିତରର ସେଇ ମେଞ୍ଚା ମେଞ୍ଚା ଅନ୍ଦାର ଭିତରେ ଦେଖାଦେଲା ଦୁଇଟି କାନ୍ତ କୋମଳ ଚମ୍ପକ ହାତ । ସେଇ ହାତର ପରଶରେ ଘର ଭିତରର ସେଇ ମେଞ୍ଚ ମେଞ୍ଚ ଅନ୍ଧାର ସତେ ଅବା କୁଆଡ଼େ ଅପସରି ଯାଉଛି ।

 

ଘର ବାହାରର ଅନ୍ଧାର ଭିତରେ ସେଇ ଏକ ଉଜ୍ଜ୍ୱଳ ମୁଖଶ୍ରୀ କାହାର ? ଘର ଭିତରର ଅନ୍ଧାରରେ ଖେଳି ଖେଳି ବୁଲୁଛି କାହାର କାନ୍ତ କୋମଳ ଚମ୍ପକ ହାତ ଦୁଇଟି ?

 

–ଚଉଦ–

 

ଦିନେ…..

 

ନିଜ ବସାରେ ବସି ହେମକାନ୍ତ ଭାବୁଛନ୍ତି । ତିନିମାସ ପୂରିବାକୁ ଆଉ ତିନି ଦିନ ବାକି ରହିଲା । ହେଲେ ଏପର୍ଯ୍ୟନ୍ତ ସେ କିଛି ସମାଧାନ କରି ପାରିଲେନି । ଆଉ ତିନୋଟି ଦିନ ପୂରିଗଲେ ଗାୟତ୍ରୀ ପୁଣି ଡକାଇ ପଠାଇବେ ଆଉ ପଚାରି ବସିବେ—କ’ଣ ବୁଝିଲେ ହେମକାନ୍ତ ବାବୁ ?

 

ଆରତିକୁ କଥା ଦେଇଛନ୍ତି ଦୁଇଟି ମାସ ପରେ କହିବେ । ତା’ ପାଇଁ କି ନିଷ୍ପତ୍ତି ସେ କରିବେ ? ବିଚାରି କାନ୍ଦି କାନ୍ଦି, ଭୂଇଁରେ ଲୋଟି, ଗୋଡ଼ ଧରି ଯେଉଁ କାକୁତି ମିନତି କରିଥିଲା ତା’ ପାଇଁ ସେ କି ସମାଧାନ କରିବେ ?

 

ମାଳତୀ ନାଏକ । ତାକୁ ମାସଟିଏ ଗଲାପରେ ଜବାବ୍ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କ’ଣ ତାକୁ କହିବେ ?

 

ଆଉ ଅତୀତର କେତକୀ ରାୟ ? ଯିଏ ଦିନେ ମେଘ ଅନ୍ଧାରକୁ ପଛରେ ପକାଇ ଧାଇଁ ଆସିଥିଲା ତାଙ୍କ ପାଖକୁ ତାକୁ ଏଇମିତି ସମୟ ନେଇ ଜବାବ୍ ଦେଇଥିଲେ ବୋଧହୁଏ ଭଲ ହୋଇଥାନ୍ତା ।

 

ଆଜି ଯଦି ସେ ଯାଇ କେତକୀକୁ କହନ୍ତେ—କେତକୀ ଦେବୀ, ମୁଁ ପୁଣି ଆସିଛି ଆପଣଙ୍କ ପାଖକୁ ଓଲଟି ବିବାହ ପ୍ରସ୍ତାବ ନେଇ । ଏବେ ରାଜି ତ ? ତା’ ହେଲେ କି ଭାବରେ ତାଙ୍କୁ ତା’ ହୃଦୟର କୃତଜ୍ଞତା ଅଜାଡ଼ି ବସିବ, ସେ ଆଉ ଭାବି ପାରିଲେନି । ମନଭିତରେ ତାଙ୍କର ଝଡ଼ ତୋଫାନ…..ହେମକାନ୍ତ କେନ୍ଦ୍ର ସରକାରଙ୍କ ପ୍ରେସ୍ ଇନ୍ ଫରମେସନ୍ ବ୍ୟୁରୋରୁ ନିଯୁକ୍ତି ପତ୍ର ଏବେ ପାଇଛନ୍ତି । କର୍ମକ୍ଷେତ୍ର କଲିକତାରେ ସ୍ଥିର କରାଯାଇଛି । ସେ ଭାବିଲେ ଭଲ ଚାକିରୀଟିଏ । ଯାହାହେଉ ସେ ଯିବେ । ଚାକିରୀଟିଏ ଯେତେବେଳେ ମିଳିଛି, ସେ ଛାଡ଼ିବେ କାହିଁକି ?

 

ପୁଣି ତାଙ୍କର ମନେପଡ଼ିଲା ବାପାବୋଉଙ୍କ ଚିଠି କଥା । ସେମାନେ ଚାକିରୀ ଛାଡ଼ିଦେବା ପାଇଁ ପ୍ରବର୍ତ୍ତାଉଛନ୍ତି । ତେଣୁ କିପରି ସେ ଆଉ ଗୋଟିଏ ଚାକିରୀ କରିବେ । ଆଉରି ଟିକିଏ ଦୂରକୁ ଯିବେ ? ସେମାନେ ଏତେ ଦୂରରେ ଚାକିରୀ କରିବା କଥା ଶୁଣିଲେ କାଳିରେ ଆଉ ଚିଠି ଲେଖିବେନି—ତାଙ୍କର ଆଖିର ଲୁହ ଆଉ ବୁକୁର କୋହରେ ସେମାନେ ଚିଠି ଲେଖିବେ ।

 

ବାପାବୋଉ ଆସି ବୁଢ଼ାବୁଢ଼ୀ ହେଲେ । ଦିନେହେଲେ ସେ ଖବରଅନ୍ତର ନେଲେ ନାହିଁ-। ଘରେ ଅନେକ ଜମିବାଡ଼ି । ଯେଉଁଦିନ ବାପାବୋଉ ତାଙ୍କରି ଆଗରେ ଚିରଦିନପାଇଁ ଆଖି ମୁଦିବେ ସେ ଦିନ ତାଙ୍କରି ଅନୁପସ୍ଥିତି ନେଇ ତାଙ୍କ ଜମିବାଡ଼ି ହୁଏତ ଅନ୍ୟମାନଙ୍କ ଦ୍ୱାରା ଭୋଗଦଖଲ ହେବ ।

 

ନା, ନା, ତାଙ୍କଦ୍ୱାରା ଆଉ ଚାକିରୀ ହୋଇପାରିବନି । ବଡ଼ ଚାକିରୀ କରି ମହାନଗରୀର ଛାତିରେ ସେ ଆଉ ଚାଲିପାରିବେନି । ଚାକିରୀ କଲେ ଯେଉଁମାନେ ତାଙ୍କୁ ଅନ୍ତଫାଡ଼ି ଜନ୍ମ ଦେଇଛନ୍ତି ସେମାନେ ଚିଡ଼ିବେ,ଅଭିଶାପ ଦେବେ । ସେମାନଙ୍କର ଅଭିଶାପର ନିଆଁତେ ତା’ ଚାକିରୀ ଜୀବନର ସବୁ ଆଭିଜାତ୍ୟ ଓ ଦାମ୍ଭିକତା ପୋଡ଼ିଜାଳି ଧ୍ୱଂସ ହୋଇଯିବ ।

 

ଆଉ କ’ଣ କରିବେ ସେ ? କ’ଣ କରିବେ ସେ ଆଉ ? ଏଠାରୁ ମଧ୍ୟ ଇସ୍ତଫା ଦେଇ ତାଙ୍କୁ ଚାଲିଯିବାକୁ ହେବ, ନ ହେଲେ ଘରର ହାଲଚାଲ ଆଉ କିଏ ବୁଝିବ ? ବାପା ଏଇ ବାଷଠି ବୟସର ବାର୍ଦ୍ଧକ୍ୟ ନେଇ ବିଲବାଡ଼ିର ଖବରଅନ୍ତର ବୁଝି ପାରିବେନି । ବୋଉ ମଧ୍ୟ ତା’ ବୟସର ଗୁରୁଭାରକୁ ବହି ଚୁଲିମୁଣ୍ଡରେ ଆଉ ବସିପାରିବନି । ସେ ଫେରିଯିବେ ଏଇ ସହର ଛାଡ଼ି ସେଇ ନିରାଡ଼ମ୍ବର ପଲ୍ଲୀକୁ—ଯା’ର ଭୂଇଁର ଛାତି ଫଟାଇ ସୃଷ୍ଟି ହୁଏ ନୀଳ ନୀଳ ଫସଲର ଲହରୀ ।

 

ସେ ବିବାହ କରିବେ । ବିବାହ ନ କଲେ ମଫସଲର ସେଇ ଅଳସ ଦିନଗୁଡ଼ିକୁ ଯଦି ସରସ ଆଉ ସତେଜ କରାଯାଏ, ତା’ ହେଲେ ସେତେବେଳେ କିଏ ତାଙ୍କ ସହ ଅଂଶ ଗ୍ରହଣ କରିବ-? ସ୍ତ୍ରୀ ?

 

ସେ ଗୋଳମାଳରେ ପଡ଼ନ୍ତି । ଦିନ ଯାଏ ।

 

ଦିନେ । ଶ୍ରାବଣର ଏକ ବର୍ଷଣକ୍ଳାନ୍ତ ସଂଧ୍ୟା ।

 

ହେମକାନ୍ତ ବାବୁଛନ୍ତି । ଭାବୁଛନ୍ତି ତାଙ୍କ ଜୀବନର ଇତିହାସ । ପ୍ରଥମେ ସେ ଥିଲେ ଶିଶୁ-। ତା’ ପରେ ହେଲେ କିଶୋର । ବଳବନ୍ତ ରାୟଙ୍କ ଚଉପାଢ଼ୀରେ ସେ ପଢ଼ିଲେ । ଅବଧାନଙ୍କ ନାଲିଆଖିଲରେ ସେତେବେଳେ ସାରା ଦୁନିଆଁଟା ଯେପରି ଡରିମରି ଥରୁଥିଲା । ପଣିକିଆ ଲେଖୁ ଲେଖୁ କେଉଁଠି ଯଦି ଭୁଲ୍ ହୋଇଯାଇଥାଏ, ସତେ ଯେପରି ଆକାଶଟା ତାଙ୍କରି ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ପରି ମନେ ହେଉଥିଲା ।

 

କିଶୋର ଗଲା—ଚାଟଶାଳୀ ପାଠ ସରିଲା । ସେ ପଢ଼ିଲେ ଉ: ପ୍ରା: ସ୍କୁଲରେ । ଠିକ୍ ଯେତେବେଳେ ସକାଳ ସୂର୍ଯ୍ୟର ଛାଇ ତାଙ୍କ ଦାଣ୍ଡ ଦରଜାର ବନ୍ଧ ଡିଏଁ, ସେ ଗାଧୋଉଥିଲେ । ଖାଇସାରି ପ୍ୟାଣ୍ଟ୍‌ ପିନ୍ଧି, ଦେହରେ ଜାମା ଖଣ୍ଡେ ଗଳାଇ ସଡ଼କେ ସଡ଼କେ ସେ ସ୍କୁଲକୁ ଯାଉଥିଲେ-। ବର୍ଷରେ ଦି ତିନିଟା ପରୀକ୍ଷା ପଡ଼େ । ପାଠ ନ ପଢ଼ିଲେ ପିଲାଏ ଫେଲ୍ ହୁଅନ୍ତି । ବାପାବୋଉ ସାହିପଡ଼ିଶା ଆଉ ମାଷ୍ଟ୍ରେ ଘୃଣା କରନ୍ତି । ଅବଧାନର ଭୟ ମନଭିତରୁ ଅଳ୍ପ ଦୂରୀଭୂତ ହେଲା-। ପୂରାପୂରି କିଶୋର ବିଦାୟ ନେଇଥିଲା ।

 

ଏଇମିତି ଗଲା ମାଇନର । ତା’ପରେ ସେ ପଢ଼ିଲେ ମାଟ୍ରିକ୍ । ଚାଟଶାଳୀର ଅବଧାନଙ୍କ ଭୟ ପୂରାପୂରି ମନଭିତରୁ କଟିଗଲା । ଦୁନିଆଁ ବିରାଟ ବୋଲି ମନ ଭିତରେ ତାଙ୍କର ଧାରଣା ପଶିଲା । ଜ୍ଞାନଗରିମା ତାଳ ଗଛ ପରି ଉହୁଁକି ଠିଆହୋଇଛି ବୋଲି ମନଭିତରେ ତାଙ୍କର ଜାଗିଲା-

 

ଦୁନିଆଁ, ସେଇ ଆଖିରେ ଦେଖାଗଲା କେଡ଼େ ସୁନ୍ଦର, କେଡ଼େ ସବୁଜ । ଉପନ୍ୟାସ ବହିରେ, କାବ୍ୟ-କବିତାରେ କେତେ ଜୀବନର ଚିତ୍ରଣ । ସେଗୁଡ଼ିକ ପଢ଼ୁଥିଲା ବେଳେ ମନ ଭିତରେ ହୋଇଉଠୁଥିଲା କେତେ ସ୍ୱପ୍ନିଳ ଭାବନାର ଉଦୟ ।

 

ହାଇସ୍କୁଲ ଜୀବନ ଗଲା—ସେ ପଢ଼ିଲେ କଲେଜରେ । ପୁରୁଣା ଆଉ ଚିରା ଲୁଗାପରି ପଛରେ ପଡ଼ିରହିଲା ଅବଧାନଙ୍କ ନାଲି ଆଖି । ଭଙ୍ଗାଦଦରା ଉ: ପ୍ରା: ବିଦ୍ୟାଳୟ ଆଉ ପ୍ରାଥମିକ ଜୀବନର ଜ୍ଞାନ ଗରିମାର କେନ୍ଦ୍ରସ୍ଥଳ ହାଇସ୍କୁଲ । କଲେଜର ବିରାଟ ବେଷ୍ଟନୀଭିତରେ କେତେ ଛାତ୍ର, କେତେ ଅଧ୍ୟାପକ, କେତେ ଛାତ୍ରୀ କେତେ ବର୍ଣ୍ଣର, କେତେ ଢଙ୍ଗର—ସେ ଜ୍ଞାନର ପଛରେ ଧାଇଁଲେ । ବାସନାର ପଛରେ ଦଉଡ଼ିଲେ ।

 

ଛ’ ବର୍ଷର କଲେଜ ଜୀବନର ପଢ଼ାରେ ସେ ନିଠୁର ହୋଇ ଶିଖିଲେ । ଭାବପ୍ରବଣ ହେଲେ । ସ୍ୱାଧୀନ ଆଉ ସ୍ୱେଚ୍ଛାଚାରୀ ହେଲେ । କେତେ ସହପାଠୀ ଓ ସହପାଠିନୀଙ୍କ ସହ ଆଳାପ କଲେ । କାହାର ପ୍ରଶଂସା କଲେ । କାହାର ନିନ୍ଦା ଗାଇଲେ । ସେଇଠି ସେଇ ଛଅ ବର୍ଷର କର୍ମପରିସର ଭିତରେ ମଣିଷକୁ ଚିହ୍ନିଲେ । ସ୍ନେହ ଦେଇ ଶିଖିଲେ । ଉଦାର ଓ ନିର୍ମମ ହେବାର କୌଶଳ ବି ଜାଣିଲେ ।

 

ସେ ଏମ୍.ଏ. ପାଶ କଲେ । ଛାତ୍ରଜୀବନ ସରିଗଲା । ଜୀବନ–ଯୁଦ୍ଧର ସୈନିକ ସାଜିଲେ । ସବୁ ଛାଡ଼ି ଏଇ ସାମ୍ବାଦିକ ଜୀବନ ଗ୍ରହଣ କରିନେଲେ ।

 

ଭାବିଲେ, ସେଇ କିଶୋର ଅବସ୍ଥାରେ ଯେତେବେଳେ ନାଲି ଆଖିର ଭୟରେ ସାରା ଦୁନିଆଁଟା ଥରିମରି ଉଠୁଥିଲା ସେତେବେଳେ ମନଭିତରେ ତାଙ୍କର ଆଜିର ଏ ନିଷ୍ଠୁରତା ନଥିଲା, କଠୋରତା ନଥିଲା । ସେଇ କଅଁଳ ବୟସର ସୀମା ଥିଲା ଅବଧାନେ ଆଉ ଘର । ବୋଉ ଘରେ ସ୍ନେହ କରେ ଆଉ ଚାଟଶାଳୀକୁ ଆସିଲେ ଅବଧାନେ ନାଲି ଆଖି କାଢ଼ନ୍ତି ବେତ ହଲାନ୍ତି ।

 

ଉ : ପ୍ରା: ସ୍କୁଲରେ ମନ ଥିଲା ଅପେକ୍ଷାକୃତ ଟିକିଏ ନିର୍ଭୟ । ସେତେବେଳେ ଦୁନିଆଁର ଏଇ ନିର୍ମମତା, ଏଇ କାରୁଣ୍ୟ ତାଙ୍କୁ ଗ୍ରାସି ନ ଥିଲା । ସେ ଥିଲେ କାନ୍ତ, କୋମଳ ।

 

ହାଇସ୍କୁଲରେ ପଢ଼ୁଥିଲାବେଳେ ଇତିହାସ ଆଉ ବିଜ୍ଞାନ ଭିତରୁ ବିରାଟ ଦୁନିଆଁର ଅଳ୍ପ ଅଳ୍ପ ସନ୍ଧାନ ସେ ନେଇଥିଲେ । ଗଳ୍ପ ଉପନ୍ୟାସ ଆଉ କାବ୍ୟ କବିତାରେ ଅନନୁଭୂତ କେତେଗୁଡ଼ିଏ ଚରିତ୍ରର ସେ ସୂଚନା ପାଇଥିଲେ ।

 

କଲେଜରେ ସେଇ ଗଳ୍ପ ଉପନ୍ୟାସର କାହାଣୀ ଯାହା ଦିନେ ହାଇସ୍କୁଲରେ ପଢ଼ି ପଢ଼ି ସେ ଚିତ୍ତରାଜ୍ୟରେ ଏକ ଚାଞ୍ଚଲ୍ୟ ଅନୁଭବ କରିଥିଲେ, ତାହା ନିଜେ ଦେଖିଲେ, ଅଙ୍ଗେ ନିଭେଇଲେ-

 

ଚାଟଶାଳୀର ସେଇ ସୀମିତ ପରିସର ଭିତରେ ଉ: ପ୍ରା: ବିଦ୍ୟାଳୟର ଅଣଓସାରିଆ କାନ୍ଥବାଡ଼ର ଚାରିପଟରେ ଆଜିର ଏ ଗାୟତ୍ରୀ ଆରତି ଆଉ ମାଳତୀ ନଥିଲେ । ସେତେବେଳେ ମନର କେଉଁ ଏକ ଅତଳ ଗହ୍ୱରରେ ଏମାନେ ଥିଲେ କେଜାଣି, ଯାହାର ସେତେବେଳେ କେନ୍ଦ୍ର ନଥିଲା, ପରିଧି ନଥିଲା ।

 

ଆଜି ସେ କିନ୍ତୁ ଯେତେ ଯେତେ ବୟସର ପାହାଚରେ ଗୋଡ଼ ଦେଉଛନ୍ତି ସେତେ ସେତେ ସେ ନିଷ୍ଠୁର ହୋଇଛନ୍ତି । ଅଭିନୟ କରି କଥା କହୁଛନ୍ତି । ସେ ଏକା ନୁହେଁ, ଦୁନିଆଁର ସମସ୍ତେ ।

 

ଆଜି ଯଦି କିଶୋର ମନର ସବୁ ସ୍ୱପ୍ନ, ସବୁ କୋମଳତା ତାଙ୍କ ଭିତରେ ପୂରି ବହିଥାନ୍ତା ତା’ ହେଲେ କେତକୀ, ଗାୟତ୍ରୀ, ଆରତି ଆଉ ମାଳତୀ ପ୍ରଭୃତିଙ୍କର ଆକୁଳ ଅଭିନୟ ଦେଖି ସେ ମଟ ମଟ କରି ଚାହିଁଥାନ୍ତେ । କହନ୍ତେ—ମୁଁ କିଛି ବୁଝିପାରୁନି, ବୋଉକୁ ଡାକେଁ ।

 

ଆଉ କିଶୋର ମନର ଚାଞ୍ଚଲ୍ୟ ନେଇ ସେ ଯଦି ଆଜି ବାର୍ଷିକ ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥାନ୍ତେ ଆଉ ଏଇ ଚାରି ଜଣ ଯଦି ସେଇସବୁ କଥାର ଅବତାରଣା କରନ୍ତେ, ସେ କହନ୍ତେ—କାଲି ଆମର ପରୀକ୍ଷା, ଗଣ୍ଡଗୋଳ କରନା ।

 

ଯଦି ହାଇସ୍କୁଲରେ ସେ ଦଶମ ଶ୍ରେଣୀରେ ପଢ଼ୁଥାନ୍ତେ,ଏସବୁ ଦେଖି ସେ ବିସ୍ମିତ ହୋଇଥାନ୍ତେ । ଦୁଇ ହାତରେ ଉପନ୍ୟାସ ରଖି ତା’ ଉପରେ ଆଖି ବୁଲାନ୍ତେ । ଏମାନଙ୍କୁ ଦେଖି ଉପନ୍ୟାସ ଭିତରୁ ମୁହଁ କାଢ଼ି ଆଣନ୍ତେ । ଆଉ ଭାବନ୍ତେ, ବହିରେ ଯାହା ଲେଖା ଅଛି, ଏମାନେ ଅବିକଳ କ’ଣ ସେଇମିତି ।

 

ଆଜି କିନ୍ତୁ ସେ ତାହା କରିପାରିବେନି । ବୟସର ସୁଅରେ ସେ ସ୍ୱପ୍ନ, ସେ କୋମଳତା ଅନେକ ଦୂରକୁ ଭାସି ଭାସି ଯାଇଛି । ସେ ଖାଲି ଯାହା ସ୍ମୃତି ହୋଇ ରହିଛି ।

 

ଭାବିଲେ, ମଣିଷ କେଡ଼େ ସ୍ୱାର୍ଥପର ନ ହୋଇଛି ସତେ ! ନିଜର ସ୍ୱାର୍ଥ ହାସଲପାଇଁ ମଣିଷ ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ଧରିପକାଇବାକୁ ଟିକିଏ ହେଲେ ପଛାଏ ନାହିଁ । ହେଇ ସେ ଦିନ ଗାୟତ୍ରୀ ନିଜର ସ୍ୱାର୍ଥପାଇଁ କେଡ଼େ ବ୍ୟଗ୍ର ଆଉ ଚଞ୍ଚଳ ହୋଇଉଠିଥିଲା ! ଆରତି ଗୋଡ଼ତଳେ ପଡ଼ିଥିଲା । ଆଉ ମାଳତୀ— ତା’ ନାରୀ-ଜୀବନର କେଡ଼େ ନିଃସହାୟ ଦିନଟାକୁ ସେ ଦେଖେଇ ନଥିଲା !

 

ଏମାନଙ୍କ ଆଖିରେ ଅବିବାହିତ ହୋଇ ଆଉ କ’ଣ କେହି ନାହାନ୍ତି ? ଏମାନେ ନିଜ ନିଜର ବିବାହ ପ୍ରସ୍ତାବ ବାଢ଼ି କେଡ଼େ ନିର୍ଲ୍ଲଜତାର ପରିଚୟ ଦେଇ ନାହାନ୍ତି !

 

ସେ ସ୍ଥିର ହୋଇ କିଛିସମୟ ବସିବାକୁ ଚେଷ୍ଟା କଲେ, ହେଲେ ପୁଣି ସେଇସବୁ ଭାବନାଗୁଡ଼ିକ ତାଙ୍କ ମୁଣ୍ଡ ଭିତରେ ଖେଳିଗଲା । ନିଜକୁ ଟିକେ ସଂଯତ କରିବାପାଇଁ ନିଜ ଟେବୁଲ ଉପରୁ ଦର୍ପଣଟା ଆଣି ମୁହଁ ପାଖରେ ରଖିଲେ । ଦର୍ପଣରେ ମୁହଁର ପ୍ରତିବିମ୍ବ ପଡ଼ିଲା । ସେ ଟିକେ ସ୍ଥିର ହୋଇ ବସିପଡ଼ିଲେ ।

 

ଦର୍ପଣଟାକୁ ରଖିଦେଇ ପୁଣି ଚେୟାରରେ ବସିଲେ । ବାହାରକୁ ବଡ଼ ଉଦାସ ଦୃଷ୍ଟିରେ ସେ ଚାହିଁଲେ । ଦେଖିଲେ ସେଇ ଦୃଷ୍ଟିର ପରିଧି ଭିତରୁ ଗାୟତ୍ରୀ, ଆରତି ଆଉ ମାଳତୀ ତାଙ୍କ ଆଡ଼କୁ ଆଗଉଛନ୍ତି । ପାଖକୁ ଆସି କହୁଛନ୍ତି—ଜବାବ୍ ଦିଅନ୍ତୁ ହେମକାନ୍ତ ବାବୁ, ଡେରି କଲେ ବସନ୍ତର ଚପଳ ମଳୟ ମରିଯିବ ।

 

ହେମକାନ୍ତ ଭୀତନ୍ତ୍ରସ୍ତ ହୋଇ ଠିଆ ହୋଇଗଲେ । ନିଜର ବ୍ୟାଗ୍‌ଟାରେ ହାତ ବୁଲାଇ ଆଣି ପୁଣି ଟିକେ ସଚେତ ହୋଇଉଠିଲେ । ସେଇ ନୀରବ ପ୍ରକୋଷ୍ଠରେ ବସି ସେ ଯେପରି ତିନୋଟି ତରୁଣୀଙ୍କର ମରମଫଟା କାତର ବାଣୀ ଶୁଣୁଛନ୍ତି । ଘରର କାନ୍ଥବାଡ଼କୁ ଚାହିଁଲେ । ଟ୍ରାଉଜର୍‌ ଆଉ ପଞ୍ଜାବୀକୁ ଚାହିଁଲେ । ଷ୍ଟୋଭ୍ ଆଉ ଚା’ ପ୍ୟାକେଟ୍ ଉପରେ ଆଖି ବୁଲେଇଲେ । ଭାବିଲେ, ନାଇଁ ତ, ସବୁ ଠିକ୍ ଅଛି ।

 

କ’ଣ କରିବେ ? କାହାକୁ ସେ ଗ୍ରହଣ କରିବେ ? ହତାଶ କରିବେ ? ସେମାନେ ହତାଶ ହେଉନ୍ତୁ, ନିରାଶ ହେଉନ୍ତୁ, ସେଥିରେ ତାଙ୍କର ଯାଏ ଆସେ କେତେ ? ସେମାନେ କାନ୍ଦି କାନ୍ଦି ଆକାଶ ପୃଥିବୀ ଫଟାଇଦେଲେ ତାଙ୍କର କ’ଣ ହୋଇଯିବ ସେଥିରେ ?

 

ଭାବନା ତାଙ୍କର ବଢ଼େ ଏଇମିତି ।

 

–ପନ୍ଦର–

 

ସେ ଦିନ କୌଣସି ଏକ ରାଜନୈତିକ ଦଳର ଏକ ସଭାରୁ ରିପୋର୍ଟ କରି ଫେରୁଛନ୍ତି ହେମକାନ୍ତ ବାବୁ । ସହରର କୌଣସି ଏକ ଛକରେ ଦେଖାହେଲା ତାଙ୍କରି ଗାଆଁର ଅବିନାଶ ଚୌଧୁରୀ ।

 

ସେ ରିକ୍‍ସାରୁ ଓହ୍ଲାଇଲେ । ଅବିନାଶ ଅଟକିଲେ । ଦୁହେଁ କେତେ ସୁଖଦୁଃଖ ହେଲେ । ଅବିନାଶ କହିଲେ—କ’ଣ ହେମକାନ୍ତ, ଏଇ ଫଗୁଣରେ ତ ତୋର ବାହାଘର ହୋଇଯାଉଛି । ତମ ଘରକୁ ରତନପୁରର ଜଗନ୍ନାଥ ସାମନ୍ତସିଂହାର ଆସିଥିଲେ । ତୋ ବାପାଙ୍କ ସହ ବିବାହ ସମ୍ପର୍କରେ ତାଙ୍କର ଅନେକ କଥାବାର୍ତ୍ତା ହେଲା ।

 

ତା’ପରେ ମୁଁ ଶୁଣିଲି, ତାଙ୍କ ଘରକୁ ତୋ ବାପାବୋଉ ଯାଇଥିଲେ । କ’ଣ ହେଲା ତା’ପରେ ମୁଁ ଆଉ କିଛି ଖବର ରଖିନି ।

 

ହେମକାନ୍ତ ସେତେବେଳେ ଯାହା ଟିକେ ଦାନ୍ତ ନିକିଟିଲେ । ମନଦେଇ ଅବିନାଶ କଥା ଶୁଣୁଥିଲେ । ତା’ପରେ ଅବିନାଶ ତାଙ୍କଠାରୁ ବିଦାୟ ନେଲେ । ସେ ଫେରିଲେ ବସାକୁ ।

 

ସେତେବେଳକୁ ରାତି ଆସି ଯାଇଥିଲା, ଆଲୋକ ଜାଳି ସେ ଚେୟାର ଉପରେ ବସିପଡ଼ିଲେ । ମନଭିତରେ ତାଙ୍କର ଆଜି ବିବାହର ତୋଫାନ ଉଠିଛି ।

 

ଯେଉଁ ତିନି ମାସ ଗାୟତ୍ରୀଠାରୁ ସମୟ ସେ ଆଣିଥିଲେ ତାହା ପୂରିଯାଇ ତିନି ଦିନ ଚାଲିଲାଣି । ତଥାପି ତାଙ୍କୁ ସେ ଜବାବ୍ ଦେଇନାହାନ୍ତି । ଗାୟତ୍ରୀ କ’ଣ ମନରୁ ସେ କଥା ପାସୋରି ଗଲେଣି ? ନା, କେବେ ହୋଇ ନଥିବ । ସେ ଅପେକ୍ଷା କରିଥିବେ ତାଙ୍କଠାରୁ ଶୁଭ ସମ୍ବାଦ ଶୁଣିବ ବୋଲି । ଆଶାରେ ମଣିଷ ବଞ୍ଚେ । ସେ ବୋଧହୁଏ ସେଇ ଆଶା ଭିତରେ ସେ ସବୁକିଛି ଅନୁଭବ କରିପାରୁଛନ୍ତି । ଆସୁ ଶୁଭ ସମ୍ବାଦ—ଦିନେ, ଦୁଇ ଦିନ ପରେ ଆସୁ । ଏଇଆ ଭାବି ବୋଧହୁଏ ସେ ଅପେକ୍ଷା କରିଥିବେ ।

 

କି ମୁସ୍କିଲ୍‌ରେ ପଡ଼ିଲେ ସେ । ତିନୋଟି ନାରୀ ତାଙ୍କୁ ନେଇ ନୀରବ ପ୍ରତିଦ୍ୱନ୍ଦିତା କରୁଛନ୍ତି । କେହି କାହାରି କଥା ଜାଣିବାକୁ ଅବକାଶ ପାଉ ନାହାନ୍ତି ।

 

ଏଇ ତିନୋଟି ନାରୀମାନଙ୍କ ଭିତରୁ କାହାରି ପ୍ରତି ତାଙ୍କର ଦୁର୍ବଳତା ନାଇଁ । ସେ ସେମାନଙ୍କୁ ପ୍ରେମ କରିନାହାନ୍ତି କି ସେମାନଙ୍କ ପ୍ରଥମ ଭେଟରେ ସେ ମୁଗ୍‌ଧବିଭୋର ହୋଇ ନାହାନ୍ତି । ତାଙ୍କ ଅବିବାହିତ ଜୀବନ କେବେହେଲେ ସେମାନଙ୍କ ପାଇଁ ବିକଳ ହୋଇନି । ରାତି ରାତି ଉନ୍ନିଦ୍ର ହୋଇ ସେ ପ୍ରେମ ଚିଟାଉ ଲେଖିନାହାନ୍ତି । ସେମାନେ ସମସ୍ତେ ଏକପ୍ରକାରର ।

 

ଗାୟତ୍ରୀ ଅଧ୍ୟାପିକା । ଆରତି ଅଭିନେତ୍ରୀ ଆଉ ମାଳତୀ ସଙ୍ଗୀତ ଶିଳ୍ପୀ ।

 

କେଉଁ କଳାକାରକୁ ନେଇ ଜୀବନ ତାଙ୍କର କଳାଶ୍ରୀମଣ୍ଡିତ କରିବେ ?

 

ଭାବିଲେ, ଗାୟତ୍ରୀ ଅଧ୍ୟାପିକା । ତାଙ୍କୁ ଆଉ ବିବାହ କରିବେ କି ? ତାଙ୍କୁ ବିବାହ କଲେ ଏକରକମ ଅନ୍ତତଃ ହୁଅନ୍ତା ।

 

କିନ୍ତୁ ଗାୟତ୍ରୀ ? ବି.ଏ. ଶ୍ରେଣୀରେ ପଢ଼ୁଥିବା ବେଳର ଗାୟତ୍ରୀ ଆଜି ନାହିଁ । ତାଙ୍କ ଭସାଣିଆ ଆଖି ଦୁଇଟାରେ ଭରି ରହିଥିଲା ଯେଉଁ ଉଜ୍ଜ୍ୱଳତା, ମଦିରତା, ସେ ଆଜି ମଳିନ । ଯେଉଁ ପୂରିଲା ପୂରିଲା ଗାଲ ଦୁଇଟିରେ ଉପୁଚି ଉଠିଥିଲା ରକ୍ତ, ସେ ଗାଲରେ ଆଜି ଭଉଁରୀ ଖେଳୁଛି । ସେ ତନୁ ନାହିଁ, ତନିମା ନାହିଁ, । ତଥାପି…ତଥାପି ତାଙ୍କର ସରି ଆସୁଥିବା ଯୌବନକୁ ନେଇ ହୁଏତ ବିବାହ କରିହେବ, ସଂସାର ପାତିହେବ ।

 

ସେ ସରକାରୀ କଲେଜର ଅଧ୍ୟାପିକା । କାଲି ସେ ଏ ସହର ଛାଡ଼ି ଏ ସାମ୍ବାଦିକତା ଛାଡ଼ି ସେଇ ଗାଆଁ ଭୂଇଁକୁ ଯିବେ, ମାଟି କାଦୁଅରେ ବାଟ ଚାଲି ଚାଲି କ୍ଳାନ୍ତ ହେବେ । ଆଉ ସେ ? ସେ ତ ଆଉ ଚାକିରୀ ଛାଡ଼ି ସେଇ ନିରାଟ ମଫସଲରେ ରହିପାରିବେନି । ନା, ତାଙ୍କ କଥା ଆଉ ହୋଇପାରିବନି ।

 

ଯଦି ଗାୟତ୍ରୀ ଚାକିରୀରୁ ଇସ୍ତଫା ଦେଇ ତାଙ୍କ ସଙ୍ଗେ କାଦୁଅ ପଙ୍କଭିତରେ ଘାଣ୍ଟି ହେବାକୁ ପ୍ରସ୍ତୁତ ହେବେ ସେ କ’ଣ କରିବେ ? ତାଙ୍କୁ ନେଇ କ’ଣ ଜୀବନର ଯାତ୍ରା ଆରମ୍ଭ କରିବେ-? ତାଙ୍କୁ ନେଇ କ’ଣ ଜୀବନର ଯାତ୍ରା ଆରମ୍ଭ କରିବେ ? ଗାୟତ୍ରୀଙ୍କ ଜୀବନରେ ବହୁ ବନ୍ଧୁ ଜୁଟିଛନ୍ତି । ତାଙ୍କରି ନିଜ ଭାଷାରେ ଦିନେ, ଓଳିଏ ଓ ଘଣ୍ଟାଟିର ସାଥି ସେମାନେ ହୋଇଛନ୍ତି-। ସେଇ ଅଳ୍ପ ସମୟର ସଂଖ୍ୟ ଲାଭ ତାଙ୍କୁ ଆରାମ ଲାଗିଛି । ତେଣୁ ସେ ଦିନ ସାଥିରୂପେ ତାଙ୍କୁ ଗ୍ରହଣ କରିବେ, ସେ କ୍ଳାନ୍ତ ଆଉ ଅତିଷ୍ଠ ହୋଇପଡ଼ିବେନି ତ ?

 

ନା, ନା, ଏ ଯୁଗର ଏଇ ଉଚ୍ଚ-ଶିକ୍ଷିତା ନାରୀଟି ସେ ବିବାହ କରିପାରିବେନି । ସେମାନେ ବହୁ ଅଧ୍ୟୟନ କରି ଭୟଙ୍କର ହୋଇଛନ୍ତି । ଦୁନିଆଁର ବିରାଟ ଜ୍ଞାନ-କୋଷକୁ ଘାଣ୍ଟିଚକଟି କେତେ କଥା ସେମାନେ ଶିଖିଛନ୍ତି । ଗାୟତ୍ରୀ ତାଙ୍କରି ପରି କଠୋର, ନିର୍ମମ ହୋଇଛନ୍ତି । ଜୀବନର ଏଇ କଠୋରତାକୁ ନେଇ ସେ ଯେତେବେଳେ ଗାଁ ଭୂଇଁକୁ ଯିବେ, ଗାୟତ୍ରୀ କ’ଣ ତାଙ୍କର କଠୋର ଜୀବନ ଭିତରେ ପ୍ରାଣର ସଞ୍ଚାର କରିପାରିବେ ? ନା, ବରଂ ଆହୁରି ଜଟିଳ ଆଉ ସର୍ପିଳ ହେବାକୁ ସେ ପରିବେଶ ସୃଷ୍ଟି କରିବେ ।

 

ତା’ ହେଲେ ଛାଡ଼ ଗାୟତ୍ରୀଙ୍କ କଥା—ଆଉ ଆରତି ? ସତରେ କ’ଣ ଗାୟତ୍ରୀଙ୍କୁ ସେ ନିରାଶ କରିବେ ?

 

ବିଚାରୀ ଦୀର୍ଘ ବାରବର୍ଷ କାଳ ରଙ୍ଗମଞ୍ଚରେ ଅଭିନୟ କରି କରି କ୍ଳାନ୍ତ ହୋଇପଡ଼ିଛି । ଦେଖିବାକୁ ବେଶ୍ ସୁନ୍ଦର ସେ—କିନ୍ତୁ ବିବାହ କରିବାର ବୟସ ତା’ର ଗଡ଼ିଯାଇଛି । ଅଭିନୟ ଭିତରେ କେତେ ନାୟକଙ୍କ ଛାତି ଉପରେ ଲୋଟିପଡ଼ି, ଦର୍ଶକଙ୍କ ପ୍ରାଣରେ କେତେ ଆବେଗ ଓ ଉତ୍କଣ୍ଠା ସେ ସୃଷ୍ଟି କରିଥିବ । ବାର ବର୍ଷକାଳ ଯିଏ ଅଭିନୟ କରି ହଜାର ହଜାର ଦର୍ଶକଙ୍କୁ ମୁଗ୍‌ଧ ବିଭୋର କରିଛି, କରତାଳି ଧ୍ୱନିରେ ଯେ ଆହୁରି ସୁନ୍ଦର ଅଭିନୟ କରିବାକୁ ଚେଷ୍ଟା କରିଛି, ସେ ପୁଣି କିପରି ଆସି ଗୋଟିଏ ଘରକୋଣରେ ପଶି ବଧୂ ସାଜିବେ ? ପ୍ରତିଦିନ ହଜାର ହଜାର ଦର୍ଶକ ସେ ଦେଖୁଥିଲେ । ତାଙ୍କ ଘରକୁ ବଧୂରୂପେ ସେ ଆସିଲେ କିପରି ସେ ରହିବେ ?

 

ପୁଣି ତାଙ୍କର ମନେପଡ଼ିଲା ଆରତି କହିଥିଲା—ଏ ଦେଶର ଛାୟା ଓ ମଞ୍ଚର ପ୍ରଧାନ ଅନ୍ତରାୟ ହେଉଛି ସମାଜ । ସେ ଦିନ ସେ ଯାହା ମତ ଦେଇଥିଲେ, ଠିକ୍ ତାର ବିପରୀତ ଦିଗରେ ସେ ଗତି କରିବାକୁ ଆଜି ମନ ବଳାଇଛନ୍ତି ତାଙ୍କର ଆଶାବାଦ ଭାଙ୍ଗି ଚୂରି ହୋଇଯାଇଛି ବୋଧ ହୁଏ ।

 

ସେ ଦିନ ଆରତି ଅଭିନୟ ଛଳରେ ଏତେ କଥା କହିଗଲାନି ତ ଆଉ ! ସେ ଦିନ ସେ କି କରୁଣ ହୋଇ ନଥିଲା !

 

ସେ ହସି ଉଠିଲେ ।

 

ଆଉ ମାଳତୀ ?

 

ପ୍ରଥମେ ସେ ବିବାହ କରିଥିଲେ । ସ୍ୱାମୀଠାରୁ ସବୁ ସୁଖ ସଂଭୋଗ ସେ ପାଇଛନ୍ତି । କିନ୍ତୁ କଣ୍ଟ୍ରାକ୍‌ଟ ମ୍ୟାରେଜ୍‌ର ଯେତେବେଳେ ନିର୍ଦ୍ଦଷ୍ଟ ସମୟ ଗଡ଼ିଗଲା, ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ିଲେ ଏବଂ ଆଉ ଗୋଟିଏ ବିବାହ କରିବାପାଇଁ ଠିକ୍‍ଠାକ୍ କଲେ । ଉଭୟ ବେତାରଶିଳ୍ପୀ । ପ୍ରତିଦିନ ବେତାର କେନ୍ଦ୍ରକୁ ଆସନ୍ତି । ଯେଉଁଦିନ ଅମିତାଭ ବାବୁ ମାଳତୀର ଆଗରେ ତାଙ୍କ ନବବିବାହିତ ସ୍ତ୍ରୀସହ ହାତ ଧରାଧରି ହୋଇ ଚାଲିଯିବେ, ପ୍ରକୃତରେ ସେ ସହି ପାରିବେନି । ସେ ଯଦି ତାକୁ ବିବାହ କରି ଗାଁ ଭୂଇଁକୁ ନେଇଯିବେ ସେ କ’ଣ ନିଶ୍ଚିନ୍ତରେ ରହିପାରିବେ ? ଗାଆଁ ରେ ତା’ର ସେଇ ପୂର୍ବ ବିବାହର କଥା ଆଉ ଅଛପା ହୋଇ ରହିବନି । ଲୋକେ କହିବେ—ହେମକାନ୍ତ ଏତେ ଦିନ ଧରି ବାହା ହେଉ ନଥିଲା—ବାହା ହେଲା ଯେ ଜଣକୁ—ଯା’ର ସ୍ୱାମୀ ତାକୁ କାଢ଼ି ଦେଇଛନ୍ତି-

 

ଗାଆଁ ମାଟିରେ ତାକୁ ଏ କଥା ଭାରି ବାଧିବ । ମାଳତୀ ଯଦି ତାଙ୍କ ଲଳିତ କଣ୍ଠର ମଧୁ ମୂର୍ଚ୍ଛନା ତୋଳି ତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବେ ଗାଁ ଲୋକେ ଭାବିବେ ହେମକାନ୍ତ ସ୍ତ୍ରୀର ମୁହଁରୁ ଲାଜସରମ ଛାଡ଼ିଯାଇଛି । ତେଣୁ ତାକୁ ସ୍ତ୍ରୀରୂପେ କିପରି ସେ ବରଣ କରିବେ ?

 

ପୁଣି ସେ ଭାବିଲେ, ଆରତି, ଗାୟତ୍ରୀ ଆଉ ମାଳତୀ—ଏମାନଙ୍କ ଭିତରୁ ସତୀ କିଏ ? ‘ସତୀ’ ବୋଲି ଗୋଟେ ଶବ୍ଦ ଦୁନିଆର ଅଭିଧାନରେ ବୋଧହୁଏ ଆଉ ନାହିଁ । ଏ ତିନିହେଁଯାକ ସେମାନଙ୍କର ସତୀତ୍ୱକୁ ବଳି ଦେଇଛନ୍ତି । କିନ୍ତୁ ଯେଉଁମାନେ ବିବାହ କରି ସ୍ୱାମୀଙ୍କ ପାଖରେ ରହୁଛନ୍ତି ସେମାନଙ୍କୁ କ’ଣ ସତୀ କୁହାଯିବ ? ରାତିରେ ସ୍ୱାମୀ ପାଖରେ ଶୋଇ ମଧ୍ୟ ଅନେକେ ସେମାନଙ୍କ ମନ ଭିତରେ ଆଉ ଜଣକୁ ସ୍ୱପ୍ନ ଦେଖି ରାତିରେ ବୋବାଳି ଛାଡ଼ନ୍ତି । ଯେଉଁମାନେ ନିଜ ଝିଅକୁ ନିଜ ଆଖିର କଡ଼ା ପରଦା ଭିତରେ ରଖି ବାହାରର ଆଲୋକକୁ ଟିକେ ଛାଡ଼ି ଦିଅନ୍ତି ନାହିଁ ସେମାନେ କ’ଣ ପ୍ରକୃତରେ ସତୀ ! ସେହି ଚାରିକାନ୍ଥ ଘେରା ଘରକୋଣରେ ରହି ମଧ୍ୟ ମନର କେଉଁ ନିଭୃତ ରାଇଜରେ ଏକ ସୌମ୍ୟ ଯୁବକର କଥା ଭାବୁଥାଏ ।

 

ସେଇ ଦୃଷ୍ଟିରୁ ଏ ତିନିଜଣଙ୍କୁ ଅସତୀ କୁହାଯାଇପାରିବନି । ସେଇ ଦୋଷରେ ଏମାନଙ୍କୁ ମନା କରିଦେଲେ ତାଙ୍କ ପକ୍ଷେ ଏକ ବିରାଟ ଭୁଲ୍‍ ହୋଇଯିବ । ତା’ ହେଲେ କ’ଣ ସେ କରିବେ ?

 

ଏଇମିତି ଭାବି ଭାବି ସେ ଦିନଟା ତାଙ୍କର କଟିଗଲା । ରାତି ଆସିଲା । ଦିନଯାକ ମାନସିକ ଚିନ୍ତାରେ ସେ ଘାଣ୍ଟିଚକଟି ହୋଇଥିବାରୁ ଆଖିରେ ତାଙ୍କର କ୍ଳାନ୍ତିର ନିଦ ଘୋଟି ଆସିଲା-

 

ସେ ଶୋଇଛନ୍ତି । ସ୍ୱପ୍ନ ଦେଖିଲେ— ଗାୟତ୍ରୀ, ଆରତି ଆଉ ମାଳତୀ ତିନିହେଁଯାକ ବଧୂ ସାଜିଛନ୍ତି । ଜଣେ ତାଙ୍କ ବାମପଟେ, ଆଉ ଜଣେ ଡାହାଣ ପଟେ ଓ ଶେଷ ଜଣଙ୍କ ଗୋଡ଼ତଳେ ବସିଛନ୍ତି । ଜଣେ ମୁଣ୍ଡକୁ, ଜଣେ ହାତକୁ ଆଉ ଜଣେ ଗୋଡ଼କୁ ଟିପି ଦେଉଛନ୍ତି ।

 

ତା’ ପରେ ସେ ଦେଖିଲେ—ତିନିହେଁଯାକ କଳି ଆରମ୍ଭ କଲେ । ଆଗ ଗାୟତ୍ରୀ କହିଲେ—ଦେଖ ସେ ମୋର ସ୍ୱାମୀ, ସବା ଆଗେ ମୁଁ ତାଙ୍କ ହାତ ଧରି ଏ ଘରେ ଗୋଡ଼ ଦେଇଛି, ସ୍ତ୍ରୀ ହିସାବରେ ତାଙ୍କର ଯତ୍ନ ନେବା ମୋର କର୍ତ୍ତବ୍ୟ, ତମେ ଏଠୁ ଚାଲିଯାଅ ।

 

ଆରତି କହିଲା—ତମେ ଯେତେ କହ, ସେ ମୋର ସ୍ୱାମୀ । ବେଦୀ ଉପରେ ବସି, ଦଶଦିଗପାଳକୁ ସାକ୍ଷୀ ରଖି ମୁଁ ତାଙ୍କୁ ବିବାହ କରିଛି । ମୁଁ ତାଙ୍କୁ ସେବା କରିବି । ତମେ ସମସ୍ତେ ଏଠୁଗଲ ।

 

ମାଳତୀ କହିଲା—ତମେ ଦିହେଁ କିଏ ମ ? ହେଇ ଦେଖୁନ, ହାତରେ ମୋର ବିବାହର ଶଙ୍ଖା, ତମେ ଦିହେଁ ଗଲ ଏଠୁ ଆଗ ! ମୁଁ ତାଙ୍କ ଗୋଟ ଟିକେ ଟିପିଦିଏଁ ।

 

ସେ ଖଟ ଉପରେ ଶୋଇ କିଛି କହୁନାହାନ୍ତି । ସେ ଦେଖିଲେ ତିନିହେଁଯାକ ଖଟ ଉପରୁ ଉଠି ବଡ଼ପାଟିରେ ଝଗଡ଼ା ଆରମ୍ଭ କଲେ । ଶେଷରେ ଗାୟତ୍ରୀ ଧରିଲା ତାଙ୍କ ଡାହାଣ ହାତକୁ, ଆରତି ବାମ ହାତକୁ ଆଉ ମାଳତୀ ଧରିଲା ଗୋଡ଼କୁ । ପୁଣି ଚାଲିଲା ଭିଡ଼ାଓଟରା ।

 

ସେ ଦେଖିଲେ ଏହାଫଳରେ ଗୋଡ଼ହାତ ତାଙ୍କର ଯନ୍ତ୍ରଣା ପାଉଛି । ପୁଣି ଖୁବ୍ ଜୋରରେ ସେମାନେ ଟଣାଟଣି କରି ଯେତେବେଳେ ତାଙ୍କୁ ତଳେ ପକାଇ ଦେଲେ, ସେତେବେଳେ ତାଙ୍କର ନିଦ ଭାଜିଗଲା ।

 

ପାହାନ୍ତା ରାତିରେ ବୋବାଳି ଛାଡ଼ି ତାଙ୍କ ବିଛଣାକୁ ସେ ଉଠିପଡ଼ିଲେ । ସେ ଦେଖିଲେ ଘରଭିତରେ କିଟି କିଟି ଅନ୍ଧାକାର ତାଙ୍କୁ ଭାରି ଡର ଲାଗିଲା ।

 

ଧୀରେ ଧୀରେ ତାଙ୍କର ଚେତନା ଫେରିଆସିଲା । ମନରୁ ଭୟ କଟି କଟି ଆସିଲା । ସେ ଉଠିଲେ । ଲାଇଟ୍ ଜାଳିଲେ । କେହି ନାଇଁ ।

 

ଆଜି ତାଙ୍କର ବିବାହର ସ୍ୱପ୍ନ ! ପୁଣି ବଧୂରୂପେ ଆସିଛନ୍ତି ସେଇ ତିନିହେଁଯାକ । ରାତି ପାହି ପାହି ଆସୁଥିଲା ।

 

–ଷୋହଳ–

 

ସେ ବାପାବୋଉଙ୍କଠାରୁ ପୁଣି ଚିଠି ପାଇଛନ୍ତି । ଲେଖିଛନ୍ତି—ବାହାଘର ପାଇଁ ତୁ ଏପର୍ଯ୍ୟନ୍ତ ତ କିଛି କହିଲୁ ନାହିଁ, ଆମେ କିନ୍ତୁ ଏବେ ଜବାବ ଦେଇଦେଲୁ । ତୁ ଜାଣିଥିବୁ ରତନପୁରର ଜଗନ୍ନାଥ ସାମନ୍ତରାୟଙ୍କ ନାମ—ବଡ଼ ଖାନ୍‍ଦାନୀ ଆଉ ବୁନିଆଦୀ ଘର ତାଙ୍କରି ବଡ଼ ଝିଅ ।

 

ଝିଅଟି ଗୌର, ପାତଳୀ । ଗାଁ ହାଇସ୍କୁଲରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି । ଝିଅଟିର ନାମ ପୁଷ୍ପ । ତୁ ସେ ଚାକିରୀଟି ଛାଡ଼ିଦେବୁ, ଚାଲିଆସିବୁ ଘରର ହାଲଚାଲ ବୁଝିବୁ ।

 

ସେ ଚିଠି ପଢ଼ୁଛନ୍ତି, ଆଖି ଆଗରେ ଭାସି ଉଠୁଛି ଗୋଟିଏ ସରଳା ପଲ୍ଲୀବାଳିକାର ଢଳ ଢଳ ମୁହଁ । ସେ ଦିନ ରାତିର ସେଇ ବହଳ ଅନ୍ଧାରରେ ଛପି ଛପି ଯେଉଁ ଶୁଭ୍ର ଉଜ୍ଜ୍ୱଳ ମୁହଁଟିଏ ତାଙ୍କ ଆଖି ଆଗରେ ଭାସି ଉଠିଥିଲା, ସେଇ କ’ଣ ଏଇ ପୁଷ୍ପ ? ଶୋଇବା ଘରର ନିଝୁମ ଅନ୍ଧାର ଭିତରେ ଖେଳି ଖେଳି ବୁଲୁଥିଲା ଯେଉଁ ଚମ୍ପା ରଙ୍ଗର ଦୁଇଟି ହାତ, ସେଇ କ’ଣ ସେ ପୁଷ୍ପର !

 

ନା, ଆଉ ସେ ଚାକିରୀ କରିବେନି । ଫେରିଯିବେ ଗାଆଁକୁ । ତାଙ୍କର ନିଠୁର ଜୀବନ ଭିତରେ ପୁଷ୍ପ ଯଦି ମଳୟର ପରଶ ନ ଦେବ, ତେବେ ପଲ୍ଲୀର ସେଇ ପରିବେଶ ଭିତରେ ସେ ଅଣନିଃଶ୍ୱାସୀ ହୋଇଯିବେ ।

 

ବାପାବୋଉ ତ ଦେଖିଛନ୍ତି । ଯେଉଁମାନେ ଅନ୍ତରଫାଡ଼ି ଜନ୍ମ ଦେଇଛନ୍ତି ସେମାନେ କ’ଣ ତାଙ୍କର ଅମଙ୍ଗଳ ପାଞ୍ଚିବେ ?

 

ସେ ଦିନ ଖୁବ୍ ତରତର ହୋଇ କାମସବୁ ସାରିଦେଇ ସେ ଫେରିଆସିଲେ ନିଜ ବସାକୁ-

 

ବସାରେ ବସି ଭାବୁଛନ୍ତି, ଗାୟତ୍ରୀ ଛାତ୍ରୀ ଥିବାବେଳେ କେତେ ଡାହାଣା ଟୋକାଙ୍କ ଆଖି ତାଙ୍କ ଉପରେ ପଡ଼ିଥିବ । କଲେଜ ଛକରେ ଚାଲି ଚାଲି ନିଜଘରକୁ ଫେରୁଥିଲେ ବଜାରର କେତେ ଦୋକାନୀଙ୍କ ଆଖି ଉପରେ ପଡ଼ିଥିବ । ଗାୟତ୍ରୀ ଆଉ ଜଣର ନୁହେଁ ‘ଗଣ’ର ।

 

ମାଳତୀ ଗୀତ ଗାଏ । ସେଇ ଗୀତର ଧ୍ୱନି କେତେ ପାର୍କରେ, କେତେ ଟାଉନ୍ ହଲରେ ଆଉ କେତେ ଘରକୋଣରେ ପ୍ରତିଧ୍ୱନିତ ହୁଏ । ଆଧୁନିକ ଗୀତ ଗାଇଲାବେଳେ କେତେ ତରୁଣ ରେଡ଼ିଓ ପାଖରେ କାନ ଦେଇ ଶୁଣନ୍ତି । ତେଣୁ ସେ ଜଣର ନୁହେଁ ‘ଗଣ’ ର ।

 

ଆଉ ଆରତି ? ଅଭିନୟରେ ଦେହରୁ ତାଙ୍କର ଲୁଗା ଖସିପଡ଼େ । କେତେ ଯୁବକ ଆଖି ମେଲି ତାକୁ ଚାହାଁନ୍ତି । ତେଣୁ ସେ ବି ଜଣର ନୁହେଁ ‘ଗଣ’ ର ।

 

ପୁଷ୍ପ ? ପଢ଼ୁଥିଲାବେଳେ କେତେ କିଶୋରଙ୍କ ମେଳରେ ବସିଥିବ । ଚଗଲା ଛାତ୍ରଟିଏ କିଏ ସେ ତା’ ବେଣୀରେ ହାତ ମାରିଥିବ । ଆଉ କିଏ ସେ ଥଟ୍ଟା କରି ତା’ ନାଆଁରେ ଅଧଡଜନେ ପ୍ରେମ କବିତା ଲେଖିଥିବ । ତଟକା କଲେଜ ଫେରନ୍ତା ଶିକ୍ଷକ ବି ଗଳି ଗଳି ତାକୁ ଚାହିଁଥିବ । ସୁତରାଂ ସେ କ’ଣ ଜଣର ? ‘ଗଣ’ର ।

 

କିନ୍ତୁ ଗାୟତ୍ରୀ, ଆରତି ଆଉ ମାଳତୀର ଜୀବନ–ନଈରେ ଯେତେ ବନ୍ୟା ଆସିଛି, ଯାଇଛି, ସେ ବନ୍ୟା ହୁଏତ ପୁଷ୍ପର ଜୀବନ ନଈରେ ଆସି ନ ଥିବ । ଗୋଟିଏ ସବୁଜ ସରଳ ଗାଁର ପରିବେଶ ଭିତରେ ରହି ନିଜ ହୃଦୟକୁ ସେ ସରଳ, ସବୁଜ, ସଂକୋଚ କରିଥିବ ।

 

କାହାକୁ, କାହାକୁ, ସେମାନଙ୍କ ଭିତରୁ ବଧୂରୂପେ ସେ ଗ୍ରହଣ କରିବେ ?

 

ବହୁଭାବନାପରେ ସେ ନିଜ ଟେବୁଲ୍ ଉପରେ ଝୁଙ୍କିପଡ଼ି ଚିଠି ଲେଖି ବସିଲେ ।

 

—ଗାୟତ୍ରୀ ଦେବୀ, ସେ ଦିନ ବିବାହ କଥା କହି ମୋଠାରୁ ଜବାବ୍ ନେବାକୁ ବସିଥିଲେ-। ମୁଁ କିନ୍ତୁ ଏତେ ହଠାତ୍ ଜବାବ୍ ଦେଇପାରି ନଥିଲି । ଭାବିଚିନ୍ତି ଆପଣଙ୍କୁ କହିବି ବୋଲି କହିଥିଲି-

 

ୟା’ରି ଭିତରେ ତିନୋଟି ମାସ ଯାଇଁ ତିନୋଟି ଦିନ ଚାଲିଲାଣି । ବହୁ ଭାବିଚିନ୍ତି ମୁଁ ଏଇ ସିଦ୍ଧାନ୍ତରେ ପହଞ୍ଚିଲି ।

 

ଏଇ ବୟସକୁ ନେଇ କାହାରି ପାଖରେ ଆବେଦନ କରି ପାରିବେ ନାହିଁ ବୋଲି କହିଥିଲେ । କହିଥିଲେ ଲୋକେ ହସିବେ । ସତକଥା । ସେ କଥା ମୁଁ ବୁଝିଛି । ଆପଣ ମୋର ସହପାଠିନୀ । ଆପଣଙ୍କ ସହ ମୋର ଘନିଷ୍ଠତା (ପାଠପଢ଼ା ସାଙ୍ଗ ହିସାବରେ) ଥିଲା । ସେଇ ଦୃଷ୍ଟିରୁ ସିଧାସଳଖ ମୋ ଆଗରେ ସେ କଥା କହିଲେ । ଗାୟତ୍ରୀ ଦେବୀ, ଗତ ଦୁଇବର୍ଷ ଧରି ଯେଉଁ ସାମ୍ବାଦିକ ଜୀବନ ଗ୍ରହଣ କରିନେଇଥିଲି ତାକୁ ଛାଡ଼ି ଦେଉଛି । ଜମିବାଡ଼ି ଆମର ଯଥେଷ୍ଟ ଅଛି । ଦେଖାଶୁଣା କରିବାକୁ କେହି ନାହାନ୍ତି । ଏଇ ଦୁଇ ତିନିଦିନ ଭିତରେ ଗାଁକୁ ଚାଲିଯାଉଛି ।

 

ଆପଣଙ୍କୁ ବିବାହ କରି ମଫସଲର ସେଇ କାଦୁଅ ପଙ୍କରେ, ମଶା ଆଉ ମାଛିର ଘେର ଭିତରେ ପୁରାଇ ଆପଣଙ୍କୁ ମୁଁ ଅଣନିଃଶ୍ୱାସୀ କରିବାକୁ ଚାହେନି । ଆପଣ କ’ଣ ରହିପାରିବେ ସେଠି ?

 

ମତେ କ୍ଷମା କରିବେ ଗାୟତ୍ରୀ ଦେବୀ, ମୁଁ କ’ଣ କରିବି ? ଆପଣ ଭାବିଛନ୍ତି ବିବାହ କରି ଜୀବନରେ ପରିପୂର୍ଣ୍ଣତା ଆଣିବାକୁ—ମୁଁ ବି ସେଇଆ ଚାହେ । ମୁଁ କିନ୍ତୁ ଯେଉଁ ମାଟିପଙ୍କର ରାହା ଧରିବି, ସେ ରାସ୍ତାରେ ଆପଣ ଚାଲିପାରିବେନି । ତା’ର ଛାତି ଫାଡ଼ି କେତେ ସୁନାଫସଲର ସଙ୍ଗୀତ ମୁଁ ଗାଇବି ।

 

—ଆରତି ଦେବୀ, ସେ ଦିନ ଆପଣଙ୍କୁ ମୁଁ ହଠାତ୍ ଜବାବ୍ ଦେଇ ନ ପାରି ଦୁଇଟି ମାସ ସମୟ ନେଇଥିଲି । ଆରତି ଦେବୀ, ମୁଁ ଆଉ ଚାକିରୀ କରିପାରିବିନି । ଏଇ ଦୁଇ ତିନି ଦିନ ଭିତରେ ମୁଁ ମୋ ଘରକୁ ଚାଲିଯାଉଛି ।

 

ତେଣୁ ଆପଣଙ୍କ ପରି ଅଭିନେତ୍ରୀଙ୍କୁ ବିବାହ କରି ମଫସଲରେ କିପରି ଚଳାଇବି ? ଆମ ଗାଁରେ ଗୋଟିଏ କଚାସଡ଼କ ବି ନାଇଁ । ବର୍ଷା ଚାରି ମାସରେ ସେଇ ଗାଆଁର ଲୋକେ ବଡ଼ ହଇରାଣରେ ଚଳନ୍ତି । କାଦୁଅ ଆଉ ପଙ୍କରେ ସେମାନେ ଲୋଟି ହୁଅନ୍ତି ।

 

ଆପଣଙ୍କର ଏଇ ବିଳାସୀ ଜୀବନକୁ ମୁଁ ଟାଣିଓଟାରି ନେଇ କାହିଁକି କାଦୁଅପଙ୍କ ତଳେ ପୋତି ପକାଇବି ? ମତେ କ୍ଷମା କରିବେ ଆରତି ଦେବୀ, ଆପଣଙ୍କୁ ମୁଁ ନିରାଶ କରୁଛି ।

 

—ମାଳତୀ ଦେବୀ, ଅମିତାଭବାବୁ ଯେତେବେଳେ ତାଙ୍କ ନିବବିବାହିତା ପତ୍ନୀଙ୍କୁ ଧରି ସେଇ ବେତାର କେନ୍ଦ୍ରରେ ଆପଣଙ୍କ ଆଗରେ ଚାଲିଯିବେ ଆପଣଙ୍କ ଭାଷାରେ ସତରେ ଏକା ଆପଣଙ୍କ ନାରୀତ୍ୱ ସେଠାରେ ପଳେ ପଳେ ଅସହିଷ୍ଣୁ ହୋଇଉଠିବ ।

 

ଏଇ ଦୁଇ ତିନି ଦିନ ଭିତରେ ମୋ ଗାଁକୁ ମୁଁ ଯାଉଛି । ସମ୍ପତ୍ତି ବାଡ଼ିର ହାନିଲାଭ ମୁଁ ବୁଝିବି ।

 

ତେଣୁ ଆପଣଙ୍କୁ ବିବାହ କଲେ ନିରାଟ ମଫସଲର ସେଇ ବାୟୁମଣ୍ଡଳ ଭିତରେ ଆପଣ ଚଳିପାରିବେନି । ମତେ କ୍ଷମା କରିବେ ।

 

ସେ ଏଇ ତିନୋଟି ଚିଠି ଲେଖି ସାରିଲାପରେ, ଅନୁଭବ କଲେ ସତେ ଯେପରି ମୁଣ୍ଡ ଉପରୁ ଏକ ବୋଝ ଖସିପଡ଼ିଛି । ତାଙ୍କୁ ଭାରି ମୁକ୍ତି ଆଉ ସ୍ୱଚ୍ଛନ୍ଦ ଲାଗିଲା ।

 

ଚିଠି ତିନୋଟି ଡାକରେ ପଠାଇଲେ….

 

ସେ ଭାବିଲେ, ଆଜି ଯେତେବେଳେ ବାଟ ପରିଷ୍କାର ହୋଇ ଯାଉଛି, ତା’ ହେଲେ ସବୁ ବାଟ ସଫା ହୋଇଯାଉ । ଏତିକି ଭାବି ନିଜ ବାପାବୋଉଙ୍କ ପାଖକୁ ଚିଠି ଲେଖିଲେ ।

 

—ଅବାଧ୍ୟ ହୋଇନି । ଆପଣ ଯାହା କହିବେ, ତାହା ମୁଁ ମୁଣ୍ଡପାତି ଗ୍ରହଣ କରିବି । ଏଇ ଚାରି ଛ’ ଦିନ ଭିତରେ ଇସ୍ତଫା ଦେଇ ମୁଁ ଗାଁକୁ ଯାଉଛି । ଆଜି ସ୍ୱାଧୀନ ଭାରତର ସବୁ ସହରଗୁଡ଼ିକର ସଂସ୍କାର ଓ ବିକାଶ ହେଉଛି । କିନ୍ତୁ ମୋ ଗାଁର ଯେଉଁ ମଳିମୁଣ୍ଡିଆମାନେ ରୋଗ, ବ୍ୟାଧି, ବନ୍ୟା ଆଉ ମରୁଡ଼ିରେ ସଢ଼ୁଥିଲେ, ସ୍ୱାଧୀନତା ପରେ ବି ଆଜି ଠିକ୍ ସେଇମିତି ସଢ଼ୁଛନ୍ତି । ମୁଁ ଗଲେ ମୋ ଗାଁ ଲୋକଙ୍କର ଏଇଗୁଡ଼ିକ ଆଗ ଘୁଞ୍ଚାଇବାକୁ ଚେଷ୍ଟା କରିବି । ବଧୂରୂପେ ଯେଉଁ ‘ପୁଷ୍ପ’ ଆପଣଙ୍କ ମନକୁ ଯାଇଛି, ମୋର ସେଥିରେ ଆପତ୍ତି କରିବାର କିଛି ନାହିଁ । ବିବାହର ଆୟୋଜନ ପାଇଁ ଆପଣଙ୍କର ଯେଉଁଦିନ ଇଚ୍ଛା, ସେ ଦିନ କରିପାରନ୍ତି ।

 

ହେମକାନ୍ତଙ୍କର ମନରୁ ସବୁ ଝଡ଼ଝଞ୍ଜା ଖସିଯାଇଛି ।

 

–ସତର–

 

ଫାଲ୍‌ଗୁନର ଏକ ସୁନ୍ଦର ସକାଳ….

ହେମକାନ୍ତ ଷ୍ଟେସନ୍‌ଠାରୁ ଶଗଡ଼ଟିଏ କରିଛନ୍ତି । ନିଜର ଜିନିଷପତ୍ର ସେଥିରେ ଥୋଇଛନ୍ତି । ଶଗଡ଼ ଚାଲିଛି ତାଙ୍କର ଗାଁ ଆଡ଼େ । ତାଙ୍କ ମନଭିତରେ ପଲ୍ଲୀ ପୁଷ୍ପର ମହକ । ରାସ୍ତାଧାରର ଦୁଇ ପାର୍ଶ୍ୱରେ କେତେ ଫୁଲ, କେତେ ଜାତିର ଫଳ । ସେ ଭାବୁଛନ୍ତି, ସହରରେ ରହି, ଉଚ୍ଚଶିକ୍ଷା ପାଇ ସେ ଯେପରି କଠୋର, ନିର୍ମମ, ନିର୍ଲ୍ଲଜ ହୋଇଛନ୍ତି, କାଲି ହୁଏତ ଏକ ଅଦେଖା ପଲ୍ଲୀ-ବାଳିକାର ପରିଚର୍ଯ୍ୟାରେ ମନ ତାଙ୍କର ବଦଳିଯିବ । ସେ ଶାନ୍ତ, କାନ୍ତି ଓ ସରଳ ହୋଇ ଉଠିବେ ।

ପୁଷ୍ପ । ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଚି । ମଫସଲର ସବୁଜଶ୍ରୀ ଆଉ ଲଘୁ ଶିକ୍ଷାଲୋକରେ ହୁଏତ ମଧୁସିକ୍ତ ହୋଇଥିବ ତାର ହୃଦୟ । ଏଇମିତି ଭାବୁଛନ୍ତି । କେଁ କଟର ହୋଇ ଶଗଡ଼ ଚାଲିଛି ।

ଶଗଡ଼ ଅଟକିଲା ତାଙ୍କ ଦାଣ୍ଡରେ….

ମଙ୍ଗନର ଶଙ୍ଖ, ହୁଳହୁଳି ଆଉ ତେଲିଙ୍ଗି ବାଇଦ ରହି ରହି ଖାଲି ବାଜି ଉଠୁଥିଲା ସେତେବେଳେ

୨୩ । ୮ । ୫୮, କଟକ

Image